ମାଆଙ୍କୁ ସମୟ ଦେବା ଯେମିତି ଅପରାଧ ସାଜିଥିଲା। ଛୁଆ ହେଲେ ସବୁ ସ୍ୱାଭାବିକ ହେବ ବୋଲି ଭାବନା ଭାବନାରେ ହିଁ ରହିଗଲା। କୋର୍ଟ ଉପରେ ଭରସା ଅଛି। ଜଗନ୍ନାଥଙ୍କ ଉପରେ ଭରସା ଅଛି। କେସ୍ ଲଢ଼ିବି। ଛୁଆ ଜନ୍ମ ବେଳେ ହସ୍ପିଟାଲରେ ସେ ୩ ଦିନ ରହି ସବୁ ସେବା କରିଥିଲେ। ପତ୍ନୀ ଅର୍ଚ୍ଚନା ଦାସଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କିଛି ଏମିତି ଢଙ୍ଗରେ କହିଛନ୍ତି ଓଏଏସ ଅଫିସର ସାର୍ଥକ ସୌରଭ ମହାପାତ୍ର। ସେବା ଓ ସମର୍ଥନ କଲେ ସତ। କିନ୍ତୁ ପାଲଟାରେ ପାଇଲେ ନିର୍ଯାତନା ଓ ଖାଇଲେ କେସ୍। ସେ ହସ୍ପିଟାଲରେ ରହି ପତ୍ନୀଙ୍କ ଗୋଡ଼ ଘଷିବାରୁ ନେଇ ସ୍ୱାମୀ ଭାବେ ଯାହା ଯାବତୀୟ ଦାୟିତ୍ୱ ଥିଲା ତୁଲାଇଥିଲେ। ଅଫିସରୁ ଫେରିଲା ପରେ ବିଧବା ମାଆ ପାଖରେ ୧୦ ମିନିଟ ବସିଗଲେ ଅସହ୍ୟ ହୋଇପଡ଼ନ୍ତି ଅର୍ଚ୍ଚନା। ବଡ଼ ଅପରାଧ ବୋଲି ଭାବନ୍ତି ଅର୍ଚ୍ଚନା। ଭଉଣୀକୁ ଲୁଚାଇ ଟଙ୍କା ପଠାଇଦେଉଛ କହି ଗର୍ଜନ୍ତି ଅର୍ଚ୍ଚନା। ତାଙ୍କ ଛଡ଼ା ତାଙ୍କ ମାଆଙ୍କର ଆଉ କେହି ନାହାନ୍ତି। ମାଆ ଭଉଣୀଙ୍କୁ ତାଙ୍କର ସପୋର୍ଟ ଦରକାର। ତାଙ୍କ ପତ୍ନୀ ଅର୍ଚ୍ଚନା କେବେ ବି ମାଆ ଓ ଭଉଣୀଙ୍କୁ ସପୋର୍ଟ ଦେଉନଥିଲେ। ବହୁ ଝଗଡ଼ା ହୁଏ। କିନ୍ତୁ ଆତ୍ମହତ୍ୟା କରିଦେବି କହି ସବୁବେଳେ ଭୟ ଓ ମାନସିକ ଯନ୍ତ୍ରଣା ଦେଉଥିଲେ ଅର୍ଚ୍ଚନା। ଇଞ୍ଜିନିୟର ପତ୍ନୀ ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଓଏଏସ ସାର୍ଥକ ମହିଳା ଥାନାରେ ହାଜର ହୋଇଥିଲେ। ଅର୍ଚ୍ଚନା ଅଭିଯୋଗ କରିଥିଲେ ଯେ, ମାଆ ହେବା ପରେ ପତ୍ନୀ ଓ ପୁଅକୁ ପଚାରୁନଥିଲେ ସାର୍ଥକ। ଏତଲାରେ ସ୍ୱାମୀ, ଶାଶୁ ଓ ନଣନ୍ଦ କେମିତି ନିର୍ଯାତନା ଦେଉଥିଲେ, ତାହା ଦର୍ଶାଇଛନ୍ତି ଅର୍ଚ୍ଚନା। ଅର୍ଚ୍ଚନା ଏବେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଛନ୍ତି। ମେ ୧୦ରେ ଅର୍ଚ୍ଚନା ଘରୋଇ ହସ୍ପିଟାଲରେ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ହସ୍ପିଟାଲ ବେଡରେ ନବଜାତ ଶିଶୁ ଓ ପତ୍ନୀଙ୍କୁ ଛାଡ଼ି ଚାଲିଯାଇଥିଲେ ସାର୍ଥକ ମହାପାତ୍ର। ସେବେଠୁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ ନାହିଁ ବୋଲି ଏତଲାରେ ଲେଖିଛନ୍ତି ଅର୍ଚ୍ଚନା।

Naxatra News is now on Whatsapp
Join and get latest news update delivered to you via whatsapp
Join Now