ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଆ ଚାଷୀ ପିଏମ୍ କିଷାନରୁ ବଞ୍ଚିତ : ବିଜେପି

Spread the love

ଭୁବନେଶ୍ୱର : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି”ର ୧୪ତମ କିସ୍ତି ପ୍ରଦାନ କରିଛନ୍ତି । ଦେଶର ୮କୋଟି ୫୦ଲକ୍ଷ ଚାଷୀ ତଥା ଓଡ଼ିଶାର ୩୦ଲକ୍ଷ ୬ହଜାର ୭୯୨ଚାଷୀ ଏହାଦ୍ୱାରା ଉପକୃତ ହୋଇଛନ୍ତି । ମୋଦି ସରକାରଙ୍କ ପକ୍ଷରୁ ଗତ ୨୦୧୮ ମସିହାରୁ ପିଏମ୍ କିଷାନ ସମ୍ମାନନିଧି ଘୋଷଣା କରାଯାଇଥିଲା ସେବେଠାରୁ ନିରନ୍ତର ଅବଧିରେ ୬ହଜାର ଟଙ୍କା ଲେଖାଏଁ ବାର୍ଷିକ କୃଷକଙ୍କ ପାଖରେ ପହଞ୍ଚୁଛି । ୨୦୧୮ ଡିସେମ୍ବର ୨୫ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀଠାରେ କାଳିଆ ଯୋଜନା ଘୋଷଣା କରିଥିଲେ । ଏବେକାର ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଯେ, ୨୦୧୯ ନିର୍ବାଚନ ସରିବା ପରେ ରାଜ୍ୟ ସରକାର ଓଡ଼ିଶାର ଚାଷୀଙ୍କୁ ଭଣ୍ଡେଇଛନ୍ତି । ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଆ ଚାଷୀ ପିଏମ୍ କିଷାନରୁ ବଞ୍ଚିତ ବୋଲି ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ।

ରାଜ୍ୟ ସରକାର ହିତାଧିକାରୀ ଚୟନ କରିବା କଥା କିନ୍ତୁ ତାହା ଠିକ୍ ଢଙ୍ଗରେ କଲେ ନାହିଁ । ରାଜ୍ୟ ସରକାର କେତେବେଳେ ହିତାଧିକାରୀ ସଂଖ୍ୟା ବଢ଼ାଉଛନ୍ତି ତ ପୁଣି କମାଉଛନ୍ତି, ପୁଣି ଟଙ୍କା ଫେରାଇବାକୁ ପ୍ରଚାର କରୁଛନ୍ତି । ରାଜ୍ୟ ସରକାର ଚାଷୀମାନଙ୍କୁ ୧୦ହଜାର ଟଙ୍କା ଦେବେ କହି ତାହା ଏବେ ୪ହଜାରରେ ପହଞ୍ଚିଛନ୍ତି । ଦୁଇ ଦୁଇ କିସ୍ତିରେ ଟଙ୍କା ଦେଉଛନ୍ତି ପୁଣି ତାହାର ଠିକ୍ ନାହିଁ କି ଠିକଣା ନାହିଁ । ରାଜ୍ୟ ସରକାର ଏଭଳି କାର୍ଯ୍ୟ ଚାଷୀମାରଣ ନୀତିକୁ ବୁଝାଉଛି ବୋଲି ତ୍ରିପାଠୀ କହିଛନ୍ତି ।

ପିଏମ କିଷାନର ହିତାଧିକାରୀ ଚୟନ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର କିନ୍ତୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୧୦,୬୬୬ଜଣ କେୱାଇସି ଅପଡେଟ ନକରିଥିବା କାରଣରୁ ପିଏମ୍ କିଷାନ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି । ଗୋଟିଏ ଗୋଟିଏ ଆକାଉଣ୍ଟର ଏକାଧିକ ବ୍ୟକ୍ତିଙ୍କ ନାମ ଥିବାରୁ କେନ୍ଦ୍ର ତାକୁ ସଂଶୋଧନ କରିବା ପାଇଁ ରାଜ୍ୟକୁ ଫେରାଇ ଦେଇଥିଲା । ରାଜ୍ୟ ସରକାର ତାଙ୍କ ନୀତିକୁ ସୁଧାରନ୍ତୁ ଓ ପିଏମ୍ କିଷାନର ବଳକା ହିତାଧିକାରୀମାନଙ୍କ ଚୟନ ପକ୍ରିୟା ଶୀଘ୍ର ଆରମ୍ଭ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଅନ୍ତୁ ଓ କାଳିଆ ଯୋଜନାରେ ଦେଉଥିବା ୪ହଜାର ଟଙ୍କାକୁ ୧୦ହଜାର କରାନ୍ତୁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୩ବର୍ଷର ରାଜ୍ୟ ସରକାର ଏପର୍ଯ୍ୟନ୍ତ ଚାଷୀଙ୍କ ସଂଖ୍ୟା ଆକଳନ କରିନାହାନ୍ତି । ଭାଗଚାଷୀ ଓ ଭୂମିହୀନଙ୍କ ତାଲିକା ବି ନାହିଁ । ହିତାଧିକାରୀ ସଂଖ୍ୟା ସ୍ଥିର ନକରି କେଉଁ ଆଧାରରେ ଯୋଜନା ପ୍ରସ୍ତୁତ ହେଉଛି ସବୁଠୁ ଆଶ୍ଚର୍ଯ୍ୟର କଥା ବୋଲି ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *