ପାର୍ଟ-ପ୍ଲଟ ସମସ୍ୟା: ଏସଓପି ଆଣ ଓ ଅପ୍ରାସଙ୍ଗିକ ଆଇନକୁ ହଟାଅ

ପାର୍ଟ ପ୍ଲଟ ପଞ୍ଜୀକରଣ ସମସ୍ୟା ହଟୁନି। ଦୀର୍ଘ ବର୍ଷ ଧରି ଲାଗିରହିଥିବା ଅଚଳାବସ୍ଥା ହଟାଇବାକୁ ରାଜସ୍ୱ ଓ ନଗର ଉନ୍ନୟନ ବିଭାଗର ମିଳିତ ବୈଠକରୁ କୌଣସି ଠୋସ୍ ନିଷ୍କର୍ସ ବାହାରିପାରୁନି। ୨୦୧୩ର ସଂଶୋଧିତ ଆଇନର ଧାରା ୨୨-ଏ(୧)(ସି) କୁ ଉଛେଦ ନ ହେଲା ଯାଏ ସବରେଜିଷ୍ଟ୍ରାରମାନଙ୍କ ମନମୁଖୀ ଚାଲି ରହିବ ବୋଲି ଆଶଙ୍କା କରି ବାରମ୍ୱାର ରାଜସ୍ୱ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲା ଓଡ଼ିଶା ବିକାଶ ଅଭିଯାନ। କାରଣ ଏହି ଆଇନକୁ ଆଳ କରି ଲୋକଙ୍କ ଜମି ପଞ୍ଜୀକରଣ କରବାକୁ ମନା କରି ଏହାକୁ ବଡ଼ ଅସ୍ତ୍ର କରି ଦୁର୍ନୀତିରେ ବୁଡ଼ି ରହୁଥିଲେ ସବ-ରେଜିଷ୍ଟ୍ରାର। ଏବେ ଜୁନ୍‌ରେ ଜାରି ହୋଇଥିବା ନଗର ଉନ୍ନୟନ ବିଭାଗର ନୋଟିଫିକେସନ ଆଳରେ ଡେଉଁଥିବା ରାଜସ୍ୱ ବିଭାଗ ଆଜିଯାଏଁ ନା ଏସଓପି ଜାରି କଲା ନା ସବ-ରେଜିଷ୍ଟ୍ରାରଙ୍କ ଦ୍ୱନ୍ଦ୍ୱ ଦୂର କରୁଛି। ଫଳରେ ଯେମିତି ଚାହୁଁଛନ୍ତି, ସେମିତି ଆଇନକୁ ମୋଡ଼ିମକଚିବାକୁ ଫନ୍ଦି କରିପାରୁଛନ୍ତି ସବ-ରେଜିଷ୍ଟ୍ରାର। ଆଇଜିଆରଙ୍କୁ ଓଡ଼ିଶା ବିକାଶ ଅଭିଯାନ ଭେଟିବା ପରେଆଇଜିଆର ବି ଖୋର୍ଦ୍ଧା ଜିଲ୍ଲାର ସବ-ରେଜିଷ୍ଟ୍ରାରଙ୍କ ଉଦେଶ୍ୟରେ କଡ଼ା ଚିଠି କଲେ। ଆଇନକୁ ବୁଝିପାରୁନୁ, ଜାଣିପାରୁନୁ କହି ଲୋକଙ୍କୁ ହଇରାଣ କରି ଟିକେ ଟିକେ କଥାରେ କ୍ଲାରିଫିକେସନ ମାଗିଲେ ଏଣିକି ନିସ୍ତାର ନାହିଁ ବୋଲି ସବ-ରେଜିଷ୍ଟ୍ରାରମାନଙ୍କୁ ତାଗିଦ୍ କଲେ ଆଇଜିଆର। ତା ସତ୍ତ୍ୱେ ମାନୁନାହାନ୍ତି ଭୁବନେଶ୍ୱର, ଖଣ୍ଡଗିରି ସମେତ ଅନେକ ସବ-ରେଜିଷ୍ଟ୍ରାର। ରାଜସ୍ୱ ମନ୍ତ୍ରୀ ବାରମ୍ୱାର କହୁଛନ୍ତି, ଚାଷ ଜମି କିଣାବିକା ଉପରୁ ସମସ୍ତ ପ୍ରତିବନ୍ଧକ ହଟିଗଲା। ହେଲେ ଗ୍ରାଉଣ୍ଡର ବାସ୍ତବତାରୁ ଅନେକ ଦୂରରେ ମନ୍ତ୍ରୀ ବୋଲି ଆରୋପ ଲଦିଛି ଓଡ଼ିଶା ବିକାଶ ଅଭିଯାନ। ସବ-ରେଜିଷ୍ଟ୍ରାର ପାର୍ଟ ଚାଷ ଜମି କିଣାବିକାର ଦଲିଲକୁ ମୋହର ମାରିବାକୁ ପଛଘୁଞ୍ଚା ଦେଉଛନ୍ତି। ରାଜସ୍ୱ ବିଭାଗର ଏସଓପି ନାହିଁ କହି ପାର୍ଟ ଚାଷଜମିର ଦଲିଲକୁ ଛୁଉଁନାହାନ୍ତି ସବ-ରେଜିଷ୍ଟ୍ରାର। ଫୁଲ୍ ପ୍ଲଟରୁ ୫ଶହ ବର୍ଗମିଟର ଯାଏ ବିକିହେବ କହି ଲକ୍ଷ୍ମଣରେଖା ଟାଣିଦେଇଥିବା ସରକାରଙ୍କ ସ୍ପଷ୍ଟତା ବି ନାହିଁ ଏଥିରେ। ସବରେଜିଷ୍ଟ୍ରାର ସମ୍ମିଳନୀରେ ବି ମନ୍ତ୍ରୀ କହିଥିଲେ, ଖୁବ୍ ଶୀଘ୍ର ଏସଓପି ଜାରି ହେବ। ହେଲେ କୁଆଡ଼େ ଗଲା ଏସଓପି ବୋଲି ପଚାରିଛି ମଞ୍ଚ। ସରକାରଙ୍କୁ ମାସକର ମହଲତ ଦେଇଛି ଓଡ଼ିଶା ବିକାଶ ଅଭିଯାନ। ଏହାରି ଭିତରେ ସମସ୍ୟାର ସମାଧାନ ନ ହେଲେ ପ୍ରତି ସବ-ରେଜିଷ୍ଟ୍ରାର ଅଫିସ ଆଗରେ ଧାରଣା ଦେବା ସହ ଆଇନଗତ ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛି ମଞ୍ଚ। ଦଲିଲରେ ସିଲ୍ ମାରି ଚାଷ ଜମି କେବେ ବି ଭବିଷ୍ୟତରେ ଘରବାରି ହୋଇପାରିବନି କହି ନୂଆ ଫନ୍ଦି କାଢ଼ି ଲୋକଙ୍କୁ ହଇରାଣ କରୁଛନ୍ତି ଆଉ କିଛି ସବରେଜିଷ୍ଟ୍ରାର। ରେରା ଆଳରେ ଖସିବାକୁ ଚେଷ୍ଟା ଚାଲିଛି। ଅପ୍ରାସଙ୍ଗିକ ଆଇନକୁ ଉଛେଦ କରି ଲୋକଙ୍କ ଜମିକୁ ସହଜରେ ବିକ୍ରି କରିବାର ବାଟକୁ ସରଳୀକରଣ କରିବାକୁ ଦାବି କରିଛନ୍ତି ଓଡ଼ିଶା ବିକାଶ ଅଭିଯାନର ମ୍ୟାନେଜିଂ ଟ୍ରଷ୍ଟି ପ୍ରଦୀପ କୁମାର ସାହୁ ଓ ସମ୍ପାଦକ ପ୍ରଶାନ୍ତ କୁମାର ମାର୍ଥା। ରାଜସ୍ୱ ମନ୍ତ୍ରୀ କହିଥିଲେ, ଚାଷ ଜମିର ଆଂଶିକ କିଣାବିକା ଉପରୁ ସମସ୍ତ ପ୍ରତିବନ୍ଧକ ହଟିଲା। ଲୋକେ ଆଉ କୌଣସି ଅସୁବିଧାରେ ପଡ଼ିବେନି। ସବ-ରେଜିଷ୍ଟ୍ରାରଙ୍କୁ ଏ ସନ୍ଦର୍ଭରେ କ୍ଲିଅରକଟ୍ ଗାଇଡଲାଇନ୍ ଯାଉଛି। ହେଲେ ଆଜିଯାଏଁ ଗଲାନି। ରାଜସ୍ୱ ସଚିବ ଦେଓରଞ୍ଜନ ସିଂ ବି ସବ-ରେଜିଷ୍ଟ୍ରାରଙ୍କ ଜମି ପଞ୍ଜୀକରଣ ବେଳେ କଅଣ ଗୁରୁଦାୟିତ୍ୱ ରହିଛି, ସୁପ୍ରିମକୋର୍ଟଙ୍କ ନଜିର ଦେଇ ଚେତାଇଦେଇଥିଲେ। ହେଲେ ସବ-ରେଜିଷ୍ଟ୍ରାରମାନେ ଏହାକୁ ମାନିଲେ ତ। ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ପାର୍ଟ ପ୍ଲଟ ପଞ୍ଜୀକରଣ ସମସ୍ୟାରେ ଲୋକେ ଏବେ ବି ଜୁଝୁଛନ୍ତି। ସମସ୍ୟା ସମାଧାନ ବଦଳରେ ନାନା ଫନ୍ଦି କରି ଏହାକୁ ଅଧିକ ଜଟିଳ ଓ ଦ୍ୱନ୍ଦାତ୍ମକ କରିଦେଉଛନ୍ତି ସରକାର। ଆଇଜିଆର ସୁବ୍ରତ ଶତପଥୀ କହିଥିଲେ, ନଗର ଉନ୍ନୟନ ବିଭାଗକୁ ମଗାଯାଇଥିବା କ୍ଲାରିଫିକେସନ ଆସିବା ମାତ୍ରେ ଏହି ସପ୍ତାହକ ଭିତରେ ପାର୍ଟ ଚାଷଜମି କିଣାବିକା ନେଇ ସ୍ପଷ୍ଟ ଗାଇଡଲାଇନ ଯିବ। ଜମି ବିକ୍ରି ବେଳେ ଶୋଷଣର ଶୀକାର ହେଉଛନ୍ତି ଲୋକେ। ପଞ୍ଜୀକରଣ ନିୟମରେ ଥିବା ଅପ୍ରାସଙ୍ଗିକତାକୁ ହଟାଇ ପାର୍ଟ-ପ୍ଲଟ କିଣାବିକାରେ ସମସ୍ୟାର ସମାଧାନ ଜରୁରୀ। ନିୟମର ସରଳୀକରଣ ଓ ଲୋକେ କେମିତି ସହଜରେ ନିଜର ଖଣ୍ଡେ ଜମି ବିକି ଆବଶ୍ୟକତା ମେଣ୍ଟାଇବେ, ସେ ଦିଗରେ ସରକାର ଧ୍ୟାନ ଦେବା ଜରୁରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *