ମାଣ୍ଡିଆର ଭୂ-ପ୍ରଜାତି ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ

Spread the love

ଭୁବନେଶ୍ୱର : ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତିକୁ ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି । ରାଜ୍ୟ ସରକାର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତିଗୁଡ଼ିକ ଜାରି କରିବା ନିମନ୍ତେ ଲ୍ୟାଣ୍ଡରେସ୍ ଭେରାଇଟି ରିଲିଜ୍ କମିଟି ଗଠନ ନିମନ୍ତେ ଆନୁଷ୍ଠାନିକ ମଂଜୁରୀ ପ୍ରଦାନ କରିଛନ୍ତି । ବିଗତ ୩ ବର୍ଷରେ ଆବଶ୍ୟକ ବୈଜ୍ଞାନିକ ତଥ୍ୟ ଉପଲବ୍ଧ ନିମନ୍ତେ ନିରନ୍ତର ପରୀକ୍ଷଣ କରାଯାଇଛି । ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପରିକ ଜ୍ଞାନକୌଶଳର ସମ୍ମିଶ୍ରଣରେ ମାଣ୍ଡିଆର ଭୂ-ପ୍ରଜାତିକୁ ବିକଶିତ କରିବା ଫଳରେ କୃଷି ଜୈବବିବିଧତାର ମୂଳଧାରାରେ ଦୃଷ୍ଟାନ୍ତମୂଳକ ପରିବର୍ତନ ଆସିପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ।

ଏହି ପାରମ୍ପରିକ ମାଣ୍ଡିଆ ଭୂ-ପ୍ରଜାତିର କିସମ ସ୍ଥାନୀୟ ମୃତିକା ଓ ଜଳବାୟୁ ଅନୁକୂଳ ହୋଇଯାଇଛି । ଏଥିରୁ କିଛି କିସମ ରୋଗପୋକ ଏବଂ ଜଳବାୟୁ ପରିବର୍ତନ ପ୍ରତି ମଧ୍ୟ ସହନଶୀଳ ଅଟନ୍ତି । ଏହି ପାରମ୍ପରିକ ଭୂ-ପ୍ରଜାତିଗୁଡ଼ିକ ଜୈବିକ କୃଷି କ୍ଷେତ୍ରରେ ଉତମ ପ୍ରଦର୍ଶନ କରୁଛନ୍ତି । ଏହିପରି ଅନେକ ପାରମ୍ପରିକ ସ୍ଥାନୀୟ କିସମର ବହୁଳ ଚାହିଦା ରହିଛି, ଯାହା କୃଷକମାନଙ୍କ ନିକଟରେ ସହଜଲବ୍ଧ ହୋଇପାରିନାହିଁ । ମାନକସମ୍ମତ ବୈଜ୍ଞାନିକ ପଦ୍ଧତିର ଅଭାବ କାରଣରୁ ରାଜ୍ୟ ସରକାର ସଂପୃକ୍ତ ସଂରକ୍ଷକ କୃଷକ ସଂପ୍ରଦାୟକୁ ଏ ଦିଗରେ ପର୍ଯ୍ୟାପ୍ତ ସହାୟତା ଯୋଗାଇ ପାରୁ ନଥିଲେ । ଏହା ଫଳରେ ଜୈବବିବିଧତା ଲୋପ ପାଇବାର ଆଶଙ୍କା ଓ ଜନଜାତି ସଂପ୍ରଦାୟର ସାଂସ୍କୃତିକ ବିଭବ ଧୀରେ ଧୀରେ ହଜିବାକୁ ବସିଥିଲା । ରାଜ୍ୟର ୬୨ଟି ଜନଜାତି ସଂପ୍ରଦାୟ ବାସ କରନ୍ତି । ଜନଜାତି ସଂପ୍ରଦାୟଗୁଡ଼ିକର ସ୍ଥାନୀୟ ମାଣ୍ଡିଆ ଆଦି କିସମର ସଂରକ୍ଷଣ ଦିଗରେ ଏକ ସମୃଦ୍ଧି ଐତିହ୍ୟ ରହିଛି । ଓଡ଼ିଶାର ଜନଜାତି ସଂପ୍ରଦାୟର କୃଷକମାନେ ଅନାଦିକାଳରୁ ବିଭିନ୍ନ ମାଣ୍ଡିଆ କିସମର ସଂରକ୍ଷକ ଭାବରେ ପରିଗଣିତ ହୋଇ ଆସୁଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ମିଲେଟ୍ ମିଶନ ମାଧ୍ୟମରେ ଏହିସବୁ ପାରମ୍ପରିକ ସଂଚାଳନ ପ୍ରକ୍ରିୟା ବିକଶିତ କରିଛନ୍ତି । ଏହି ପଦ୍ଧତି ଆଇସିଏଆର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବୈଷୟିକ ବିଶେଷଜ୍ଞ, କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଜନଜାତି କୃଷକମାନଙ୍କ ଭାଗୀଦାରିତା ଓ ପରାମର୍ଶ ଅନୁସାରେ ବିକଶିତ କରାଯାଇଛି । ଏହି ପ୍ରକ୍ରିୟାର ଅଂଶବିଶେଷ ଭାବରେ ଫସଲର ବିବିଧତା ଅନୁଯାୟୀ ଚାଷଜମିର ଡକୁମେେଂଟସନ୍ , କୃଷି କ୍ଷେତ୍ରର ସଂରକ୍ଷଣ, ଚାଷୀମାନଙ୍କର ପସନ୍ଦ ଓ ସେମାନଙ୍କର ଦୃଷ୍ଟିକୋଣ ଅନୁଯାୟୀ ବିହନ ମାନର ବିକାଶ ଆଦି କରାଯାଇଥିଲା । ଏଥି ସହିତ ଉନ୍ନତ କିସମ ସହିତ ପାରମ୍ପରିକ ପ୍ରଜାତିର ମଧ୍ୟ ପରୀକ୍ଷଣ କରାଯାଇଥିଲା ।ଏହି ପ୍ରକ୍ରିୟାକୁ ୧୬୩ଟି ମାଣ୍ଡିଆ ଭୂ-ପ୍ରଜାତି ଚିହ୍ନଟ କରାଯାଇଛି । ଏଥି ମଧ୍ୟରୁ ୧୪ଟି ଭୂ-ପ୍ରଜାତିର ଉତମ ପ୍ରଦର୍ଶନର ସମ୍ଭାବନା ରହିଛି । କୁନ୍ଦ୍ରାବାଟି, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ୱର ଭାରତୀ ଆଦି ୪ଟି ଭୂ-ପ୍ରଜାତିକୁ ନିମନ୍ତେ ବିହନ ପ୍ରଣାଳୀ ଅଧିନରେ ଜାରି କରାଯିବା ନିମନ୍ତେ ବିବେଚନା କରାଯାଉଛି ।

ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ମଧ୍ୟ ଭୂ-ପ୍ରଜାତିର ବିହନ ପ୍ରଣାଳୀ ନିମନ୍ତେ ଓଡ଼ିଶା ସରକାରଙ୍କ ସହିତ ସହଭାଗିତା ପାଇଁ ଆଗ୍ରହ ପ୍ରଦର୍ଶନ କରିଛନ୍ତି ଏବଂ ଏହିସବୁ ପାରମ୍ପରିକ ଜ୍ଞାନକୌଶଳକୁ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ସଂପ୍ରସାରିତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ମିଶନ ମଧ୍ୟ ସଂପ୍ରତି ବିଭିନ୍ନ ରାଜ୍ୟ ସରକାରଙ୍କୁ ଫସଲର ବିବିଧିକରଣକୁ ଆପଣେଇବା ସହିତ, ଭୂ-ପ୍ରଜାତି ପଦ୍ଧତିର ମ୍ୟାପିଂ ପ୍ରକ୍ରିୟା ଗ୍ରହଣ କରିବା ପାଇଁ ପତ୍ର ଲେଖିଛନ୍ତି । ଏଥି ସହିତ ନ୍ୟାସନାଲ ରେନ୍‌ଫେଡ୍ ଏରିଆ ଅଥରିଟି ଏବଂ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ମଧ୍ୟ ଓଡ଼ିଶା ମିଲେଟ୍ ମିଶନ ସହିତ ସହଯୋଗ କରିବା ଏବଂ ଏଥିରୁ ଶିକ୍ଷା ଗ୍ରହଣ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *