ଓଡ଼ିଶା ଭାରତର ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ଉଭା ହୋଇଛି : ମନ୍ତ୍ରୀ

Spread the love

ଭୁବନେଶ୍ୱର : ଓଡ଼ିଶା ଏହାର ଅସାଧାରଣ ଭିତ୍ତିଭୂମି, ସୁବିଧା ଏବଂ ଅନେକ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ ଯୋଗୁଁ କ୍ରୀଡ଼ା ପାଇଁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ଦ୍ରୁତ ଗତିରେ ଉଭା ହୋଇଛି ।  ରାଜ୍ୟ ବିଭିନ୍ନ କ୍ରୀଡ଼ାର ପ୍ରୋତ୍ସାହନ ଓ ପ୍ରତିଭା ବିକାଶ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି ଏବଂ ଏକ ସମୃଦ୍ଧ କ୍ରୀଡ଼ା ହବ୍ ଭାବେ ନିଜ ଯାତ୍ରା ପଥରେ ଆଗକୁ ବଢ଼ିଚାଲିଛି ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଜଣାଇଛନ୍ତି ।

ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ୨୦୧୮ ଓ ୨୦୨୩ରେ ଏଫଆଇଏଚ୍ ହକି ବିଶ୍ୱକପର କ୍ରମାଗତ ସଂସ୍କରଣ ସଫଳତାର ସହ ଆୟୋଜନ କରି ଓଡ଼ିଶା ହକିର ଏକ ବିଶ୍ୱସ୍ତରୀୟ ହବ୍ ଭାବେ ନିଜକୁ ପ୍ରତିଷ୍ଠିତ କରିଛି । ଏହାବ୍ୟତୀତ ଓଡ଼ିଶା ଏଫଆଇଏଚ୍ ହକି ଜୁନିୟର ପୁରୁଷ ବିଶ୍ୱକପ୍‌, ପ୍ରୋ ଲିଗ୍‌, ଏଫ୍‌ଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟର୍ସ ଏବଂ ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲ୍ସ ଭଳି ପ୍ରମୁଖ ହକି ଇଭେଣ୍ଟର ଆୟୋଜନ କରିଛି । କଳିଙ୍ଗ ହକି ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱର ଶ୍ରେଷ୍ଠ ହକି ଷ୍ଟାଡିୟମ ଭାବେ ମାନ୍ୟତା ଲାଭ କରିଛି ।

ଫୁଟବଲରେ ରାଜ୍ୟ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଏବଂ ସାଫ୍ ୨୦ ବର୍ଷରୁ କମ୍ ଚାମ୍ପିୟନସିପ୍ ସଫଳତାର ସହ ଆୟୋଜନ କରି ବିଶ୍ୱର ପ୍ରତିଭାବାନ ଯୁବ ଫୁଟବଲରମାନଙ୍କୁ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଛି । ଓଡ଼ିଶା ଓପନ୍‌, ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍ ଏବଂ ବିଭିନ୍ନ ଜାତୀୟ ପ୍ରତିଯୋଗିତା ଓଡ଼ିଶାକୁ ଭାରତର ଏକ କ୍ରୀଡ଼ା ହବ୍ ଭାବେ ପରିଚୟ ଆଣିଦେଇଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ସୁପର କପ୍ ଚାମ୍ପିୟନ ଓଡ଼ିଶା ଏଫ୍‌.ସି.ର ଘରୋଇ ପଡ଼ିଆ ଭାବେ କାର୍ଯ୍ୟ କରୁଛି । ଅଲ୍ଟିମେଟ୍ ଖୋ ଖୋ ଲିଗରେ ଓଡ଼ିଶା ଜଗରନଟ୍ସ ରାଜ୍ୟର ଫ୍ରାଂଚାଇଜ୍ ହୋଇଛି ।

            କର୍ପୋରେଟ ଏବଂ ବିଶିଷ୍ଟ କ୍ରୀଡ଼ାବିତମାନଙ୍କୁ ନେଇ ବିଭିନ୍ନ କ୍ରୀଡ଼ା ବିଭାଗରେ ହାଇ ପରଫର୍ମାନ୍ସ ସେଂଟର ଆରମ୍ଭ କରାଯାଇଛି ।  ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱର ସର୍ବାଧିକ ଆସନବିଶିଷ୍ଟ ହକି ଷ୍ଟାଡିୟମ ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଏକ ସମ୍ମାନଜନକ ସ୍ଥାନ ହାସଲ କରିଛି ।  ଓଡ଼ିଶାରେ ହକିର ପୀଠ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆଷ୍ଟ୍ରୋ-ଟର୍ଫ ହକି ପଡ଼ିଆ ନିର୍ମାଣ ହୋଇଛି । ଏହା ବ୍ୟତୀତ ରାଜ୍ୟ ସରକାର ସହରାଂଚଳରେ ୯୦ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା କରିବା ସହିତ ୬ଟି ଫିଫା ଷ୍ଟାଣ୍ଡାର୍ଡ ପିଚ୍ ମଧ୍ୟ ବିକଶିତ କରିଛନ୍ତି । ଓଡ଼ିଶାର କ୍ରୀଡ଼ା ବଜେଟ ଗତ ଚାରି ବର୍ଷ ମଧ୍ୟରେ ବୃଦ୍ଧି ପାଇ ୧୨୧୭ କୋଟି ଟଙ୍କାରେ ପହଂଚିଛି ।

            ରାଜ୍ୟରେ କ୍ରୀଡ଼ାର ବିକାଶ ଉପରେ ଆଲୋକପାତ କରି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, କ୍ରୀଡ଼ାକ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ଯାଇଛି ଏବଂ ଏକ ବିଶେଷ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।

Leave a Reply

Your email address will not be published. Required fields are marked *