ଓଡ଼ିଶାକୁ ମିଳିଲା ‘ଭୂମି-ସମ୍ମାନ’ ପୁରସ୍କାର, ପୁରସ୍କୃତ ହୋଇଥିବା ୬୮ ଜିଲ୍ଲା ମଧ୍ୟରେ ଓଡ଼ିଶାର ୧୯ଟି ଜିଲ୍ଲା

Spread the love

ଭୁବନେଶ୍ୱର : ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲ୍‌ଆରଏମ୍‌ପି)ର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଦେଶର ସମୁଦାୟ ୭୬୬ ଜିଲ୍ଲା ମଧ୍ୟରୁ ୬୮ଟି ଜିଲ୍ଲାକୁ ଡିଆଇଏଲ୍‌ଆରଏମ୍‌ପି ଅନ୍ତର୍ଗତ ଛଅଗୋଟି ବର୍ଗରେ ପ୍ଲାଟିନମ୍ ପୁରସ୍କାର ମିଳିଛି । ତନ୍ମଧ୍ୟରୁ ଓଡ଼ିଶାର ୧୯ଟି ଜିଲ୍ଲା ଏହି ପୁରସ୍କାର ହାସଲ କରିଛି ।

ଓଡ଼ିଶାର ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁର ଆଦି ୧୯ଟି ଜିଲ୍ଲା ଏହି ପ୍ଲାଟିନମ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିଲେ । ରାଷ୍ଟ୍ରପତି ଏହି ଜିଲ୍ଲାମାନଙ୍କର ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଥିଲେ ।

ଭର୍ଚୁଆଲ୍ କୋର୍ଟ ମାଧ୍ୟମରେ ୧୩ ହଜାରରୁ ଉର୍ଦ୍ଧ୍ୱ ମାମଲାର ଫଇସଲା ହୋଇଛି । ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଡିଆଇଏଲ୍‌ଆରଏମ୍‌ପିର ମାନଦଣ୍ଡ ଯଥା: ଜମି ରେକର୍ଡର କମ୍ପୁଟରୀକରଣ, ଜମି ନକ୍ସାର କମ୍ପୁଟରୀକରଣ, ଜମି ରେକର୍ଡ ଏବଂ ନକ୍ସାର ସଂଯୋଗୀକରଣ, ନିବନ୍ଧନ ଓ ଉପନିବନ୍ଧନ କାର୍ଯ୍ୟାଳୟର କମ୍ପୁଟରୀକରଣ, ତହସିଲ ଏବଂ ନିବନ୍ଧନ କାର୍ଯ୍ୟାଳୟର ସଂଯୋଗୀକରଣ ଏବଂ ଆଧୁନିକ ରେକର୍ଡ କକ୍ଷ ନିର୍ମାଣ କ୍ଷେତ୍ରରେ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିବା ପାଇଁ ପଦକ୍ଷେପ ନିଆଯିବ ।

Leave a Reply

Your email address will not be published. Required fields are marked *