ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା, ଶ୍ରୀ ଜଗନ୍ନାଥଙ୍କୁ ବ୍ରହ୍ମଜ୍ୟୋତି ହୀରାଖଚିତ ଧଳାଚିତା ଲାଗି ହେଲା

Spread the love

ପୁରୀ : ଶ୍ରାବଣ ଅମାବାସ୍ୟା ତିଥି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଚିତାଲାଗି କରାଯାଇଛି । ଭୋଗମଣ୍ଡପ ପରେ ପତିମହାପାତ୍ର ତିନି ଠାକୁରଙ୍କ ଚିତାକୁ ସଂସ୍କାର କରିଥିଲେ । 

ପରେ ତିନି ବାଡର ବାଡଗ୍ରାହୀ ଦଇତାପତି ଏହି ଚିତା ଗୁଡିକୁ ଶ୍ରୀଜୀଉଙ୍କ ଲଲାଟରେ ଲାଗି କରିଥିଲେ । ସ୍ନାନପୂର୍ଣ୍ଣମୀ ଦିନ ପହଣ୍ଡି ହେବା ପୂର୍ବରୁ ଶ୍ରୀଜୀଉଙ୍କ ମସ୍ତକରୁ ଚିତା ଗୁଡିକ ଉଲାଗି କରାଯାଇ ରତ୍ନ ଭଣ୍ଡାରରେ ରଖାଯାଇଥିଲା । ଶ୍ରୀ ଜଗନ୍ନାଥଙ୍କୁ ବ୍ରହ୍ମଜ୍ୟୋତି ହୀରାଖଚିତ ଧଳାଚିତା, ଶ୍ରୀବଳଭଦ୍ରଙ୍କୁ ନୀଳାଖଚିତ ନୀଳ ଚିତା ଓ ମା ସୁଭଦ୍ରାଙ୍କୁ ମାଣିକ୍ୟଖଚିତ ନାଲିଚିତା ଲାଗି କରାଯାଇଛି । ଚିତାଲାଗି ଗୁପ୍ତ ସେବା ହୋଇଥିବାରୁ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ନୀତି ପାଳନ ହୋଇଛି । ରତ୍ନ ସିଂହାସନ ଉପରେ ଥିବା ଶ୍ରୀଦେବୀ, ଭୂଦେବୀଙ୍କୁ ସିଂହାସନରୁ ସେବକ ମାନେ ଆଣି ଖଟ ଶେଜ ଘରେ ବିଜେ କରାଇଥିଲେ । ଚିତା ଲାଗି ପରେ ଶ୍ରୀବିଗ୍ରହଙ୍କ ମହାସ୍ନାନ କରାଯାଇଥିଲା ଏବଂ ଏହାପରେ ଦର୍ଶନ ଆରମ୍ଭ ହୋଇଥିଲା । ଏହି ଗୁପ୍ତ ନୀତି ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିଲା । ଏହି ନୀତି ସମାପନ ନିମନ୍ତେ ପ୍ରାୟ ୪  ଘଂଟା ସମୟ ଲାଗିଥିଲା । ଶ୍ରୀଜୀଉଙ୍କ ଏହି ଗୁପ୍ତ ନୀତି ପାଇଁ ଭକ୍ତ ଦର୍ଶନ ୪ ଘଣ୍ଟା ବନ୍ଦ ରହିଥିଲା ।   

ଏହା ସହ ମହାପ୍ରଭୁ ଅମାବାସ୍ୟା ତିଥିରେ ସାଗର ବିଜେ କରିଥାନ୍ତି । ଏହି ଦିନ ସମୁଦ୍ରମନ୍ଥନରୁ ଚିତା ମିଳିଥିବା କଥିତ ଅଛି । ଏହି ବେଶ ଦର୍ଶନ କଲେ ଭକ୍ତ ଅନେକ ପୂଣ୍ୟଫଳ ପାଇଥାଏ ।

Leave a Reply

Your email address will not be published. Required fields are marked *