ଗେଟ୍ ଭାଙ୍ଗିଲେ ବିରୋଧୀ- ଭିତରୁ ବିଜେଡି- ବାହାରୁ କଂଗ୍ରେସ

ବିଧାନସଭାରେ ବିରଳ ଦୃଶ୍ୟ। ଗେଟ୍ ବାହାରେ କଂଗ୍ରେସ। ଗେଟ୍ ଭିତରେ ବିଜେଡି। ମଝିରେ ପୁଲିସ। ବିଧାନସଭା ପରିସରର ବ୍ୟାରିକେଡ୍ ଭିତରେ ପୁଲିସ ସହ ବିଜେଡିର ମୁହାଁମୁହିଁ ତ ବାହାରେ କଂଗ୍ରେସ ସହ ଧସ୍ତାଧସ୍ତି। ଗୃହରେ ବିଶୃଙ୍ଖଳିତ ଆଚରଣରୁ ମଙ୍ଗଳବାର ଗୃହରୁ ୧୨ କଂଗ୍ରେସ ବିଧାୟକଙ୍କ ନିଲମ୍ୱନ ପ୍ରତିବାଦର ସ୍ୱରକୁ ନେଇ ରାତି ପାହିଗଲା ପଛେ। କିନ୍ତୁ କଂଗ୍ରେସ ନିଜ ଜିଦରେ ଅଡ଼ି ରହିଥିଲା। ଗୃହକୁ ନିଲମ୍ୱିତ ବିଧାୟକ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। କାହା ନିର୍ଦେଶରେ ଗୃହକୁ ଛଡ଼ାଯାଉନି କହି ପଚାରିଥିଲେ କଂଗ୍ରେସ ସଭ୍ୟ। ପୁଲିସ ଯେତେ ବୁଝାଇଲେ ବି ବୁଝିନଥିଲେ ବିଧାୟକ, କର୍ମୀ ଓ ନେତା। ସେଥିଲାଗି ବିଧାନସଭା ପ୍ରବେଶ ପଥରେ ଧାରଣା ଦେଇଥିଲେ। ପୁଲିସ ଏମାନଙ୍କୁ କେମିତି ନିୟନ୍ତ୍ରଣ କରିବ ବୋଲି ନାକେଦମ ହେଉଥିଲା ବେଳେ ବିଧାନସଭା ଭିତର ପଟୁ ମାଡ଼ି ଆସିଥିଲେ ବିଜେଡି ବାହିନୀ। ସଂରକ୍ଷଣ ଦାବିରେ ହାତରେ ପ୍ଲାକାର୍ଡ ଧରି ବିଧାନସଭା ବାହାରକୁ ଯିବାକୁ ବାହାରିଥିଲେ। କାରଣ ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନଥିବାରୁ ଏହା ବିରୁଦ୍ଧରେ କକ୍ଷତ୍ୟାଗ କରିଥିଲେ ବିଜେଡି ସଭ୍ୟ। ସେମାନଙ୍କୁ ଗୃହବନ୍ଦୀ କରାଯାଇ ବାହାରକୁ ଛଡ଼ାଯାଉନି କହି ଗର୍ଜିଥିଲେ। ଆଉ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଶେଷରେ ଭିତରୁ ଗେଟ୍ ଭାଙ୍ଗି ବାହାରକୁ ବିଜେଡି ସଭ୍ୟ ଉଦ୍ୟମ କରିଥିଲା ବେଳେ ଭିତରକୁ ପ୍ରବେଶ ନେଇ ସେପଟେ କଂଗ୍ରେସ ସଭ୍ୟ ବଳ କଷୁଥିଲା। ଆଉ ଶେଷରେ ସଫଳ ହୋଇଥିଲେ ବିରୋଧୀ। ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡି ଧାରଣା ଦେବା ସହ ପ୍ରତିବାଦ କରିଥିଲା। ତେବେ କଂଗ୍ରେସ ସଭ୍ୟ ସିନା ପୁଲିସ ସହ ବଳ କଷାକଷି ହୋଇ ବ୍ୟାରିକେଡ୍ ଭାଙ୍ଗି ଗେଟ୍ ସମ୍ମୁଖକୁ ଆସିଥିଲେ। କିନ୍ତୁ ତାଲା ଭାଙ୍ଗି ବିଧାନସଭା ଭିତରକୁ ପ୍ରବେଶ କରିବାରୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କୁ ଟେକି ନେଇଯାଇଥିଲା। କିନ୍ତୁ ନିଲମ୍ୱିତ ହୋଇନଥିବା ଦୁଇ ବିଧାୟକ ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଗୃହ ଭିତରକୁ ଯିବାକୁ ଛାଡ଼ିଦେଇଥିଲା ପୁଲିସ। ବାହିନୀପତି ଓ ରମେଶ ଘଣ୍ଟ ବଜାଇ ଗୃହ ଭିତରକୁ ଯାଇଥିଲେ। ସେପଟେ ସରକାରଙ୍କ ନିର୍ଦେଶରେ ପୁଲିସର ଏଭଳି ଗୁଣ୍ଡାରାଜ ହେଉଥିବାରୁ ଏହାକୁ କଦାପି ବରଦାସ୍ତ କରାଯିବନି ବୋଲି ଚେତାଇ ଦେଇଥିଲେ କଂଗ୍ରେସ ସଭ୍ୟ।କଂଗ୍ରେସକୁ ସମର୍ଥନ ଦେବାକୁ ସାଂସଦ ସପ୍ତଗିରି ଉଲ୍ଲାକା ବି ବିଧାନସଭା ଭିତରକୁ ଯିବାକୁ ଚାହିଁବାରୁ ପୁଲିସ ତାଙ୍କୁ ଅଟକାଇଥିଲା। ସପ୍ତଗିରି କହିଥିଲେ, ଏଭଳି ଅନ୍ୟାୟ ଚଳିବନି। ଶାସକ ଦଳ କହିଛି, ଘଣ୍ଟ ବାଡ଼େଇବାର ଯଦି ଅଛି କୌଣସି ମନ୍ଦିରକୁ ଚାଲିଯାଆନ୍ତୁ। ଗଣତନ୍ତ୍ରର ପବିତ୍ର ମନ୍ଦିର ଆଲୋଚନା ଲାଗି ପ୍ରଜୁଯ୍ୟ। ବାଚସ୍ପତି ଯାହା ନିଷ୍ପତ୍ତି ନେଇଛନ୍ତି ଯଥାର୍ଥ। ଗୃହ ଭିତରେ ନିଲମ୍ୱିତ ସଦସ୍ୟ କେମିତି ରହିବେ। ଏଭଳି ଡ୍ରାମା ସମସ୍ତେ ଦେଖୁଛନ୍ତି। ପୁଲିସର ଅପବ୍ୟବହାର କରାଯାଇନି। ସୁରକ୍ଷାକର୍ମୀ ନିଜ ଦାୟିତ୍ୱ ପାଳନ କରିଛନ୍ତି। କୌଣସି ସରକାର ଏଭଳି ଆଚରଣକୁ ଏତେଦିନ ଧରି ବରଦାସ୍ତ କରିବେନି।ପୁଲିସ କହିଛି, ବିଧାନସଭା ଭିତରକୁ ଯିଏ ପ୍ରବେଶ କରିପାରିବେନି, ତାଙ୍କୁ ଛଡ଼ାଯାଇନି। ପ୍ରିଭେଣ୍ଟିଭ୍ ଅନୁସାରେ ପଦକ୍ଷେପ ନିଆଯାଇଛି। କଂଗ୍ରେସର ଦୁଇ ବିଧାୟକ ଯିଏ ନିଲମ୍ୱିତ ହୋଇନଥିଲେ, ସେମାନଙ୍କୁ ସମ୍ମାନର ସହ ଏସକର୍ଟ କରି ପୁଲିସ ବିଧାନସଭା ଭିତରକୁ ଛାଡିଥିଲା। କୌଣସି ବଳ ପ୍ରୟୋଗର କଥା ଉଠୁନି। ଶେଷରେ ବାହିନୀପତି ଓ ରମେଶଙ୍କୁ ବି ଗୃହରୁ ନିଲମ୍ୱିତ କରିଦେଇଛନ୍ତି ବାଚସ୍ପତି। ଗୃହକୁ ପ୍ରବେଶ ମାତ୍ରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିବାରୁ ଏମାନଙ୍କୁ ବି ନିଲମ୍ୱନ ଦଣ୍ଡ ଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *