ମିଡିଆ କଭରେଜ- ବିଧାନସଭାରୁ ବିରୋଧୀଙ୍କୁ ପାତରଅନ୍ତର

() ବିରୋଧୀଙ୍କୁ ପାତରଅନ୍ତର କରାଯାଉଛି। ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଜାଣିଶୁଣି ବିରୋଧୀଙ୍କ ପ୍ରତିବାଦକୁ ସିଧାପ୍ରସାରଣ ବେଳେ ଦେଖାଯାଉନି। ଗଲା କିଛି ଦିନ ହେଲା ଜାଣିଶୁଣି ବିରୋଧୀଙ୍କ ଭିଜୁଆଲକୁ ବାରଣ କରାଯାଇଛି। କେବଳ ସରକାରୀ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ଭିଜୁଆଲ ଦେଖାଯାଉଛି। ଗୃହରେ କାହାର କେମିତି ଆଚରଣ। ସରକାରୀ ଓ ବିରୋଧୀ ଦଳ ଠିକ୍ ଭାବରେ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି କି ନାହିଁ। ତାହା ରାଜ୍ୟବାସୀ ଜାଣିବେ କେମିତି। ବିଧାନସଭାରେ ତ କେବଳ ଶାସକ ଦଳର ମୁହଁ ଦେଖାଯାଉଛି। ଏଭଳି ଅଗଣତାନ୍ତ୍ରିକ, ଏକଛତ୍ରବାଦ ନୀତି ଚଳିବନି କହି ଗୃହ ଭିତରେ ଓ ବାହାରେ ଆଜି ପ୍ରତିବାଦକୁ ଶାଣିତ କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେଡି। ଏଭଳି ଆଚରଣରୁ ସରକାର ନିବୃତ୍ତ ରୁହନ୍ତୁ। ବିରୋଧୀଙ୍କ ଦାବିର ଭିଜୁଆଲ ଲୋକଲୋଚନକୁ ଆସିବାକୁ ଦିଆଯାଉନି। ବିଧାନସଭା ପ୍ରେସ ଗ୍ୟାଲେରିକୁ ପୂର୍ବଭଳି ମୋବାଇଲ ନେବାକୁ  ସାମ୍ୱାଦିକଙ୍କୁ ଅନୁମତି ଦେଲେ ସତ। କିନ୍ତୁ କୌଣସି ଫଟୋ କି ଭିଜୁଆଲ ନେବାକୁ ବାରଣ କରିଦେଲେ ବାଚସ୍ପତି। ଫଳରେ ନା ବିଧାନସଭାର ଲାଇଭ୍ ଫିଡ୍ ନା ସାମ୍ୱାଦିକଙ୍କ ଜରିଆରେ ବିରୋଧୀଙ୍କ ପ୍ରତିବାଦର ଭିଜୁଆଲ ଆଗକୁ ଆସିପାରୁଛି ବୋଲି ଆରୋପ ଲଦିଛନ୍ତି ଡକ୍ଟର ଅରୁଣ ସାହୁ, ଧୃବ ସାହୁ ଓ ତାରାପ୍ରସାଦ ବାହିନୀପତି ପ୍ରମୁଖ। ସେପଟେ ଶାସକ ଦଳ କହିଛି, ଗଣମାଧ୍ୟମ ସ୍ୱାଧୀନତାର କଥା ବିଜେଡି ମୁହଁରେ ଶୋଭା ପାଉନି। ନବୀନ ସରକାର କେମିତି ମିଡିଆକୁ ଅଙ୍କୁଶ ଲଗାଇ ପ୍ରତି ମୂହୂର୍ତ୍ତରେ ଅପମାନିତ କରିଆସୁଥିଲେ, ତାହା କହିବା ଆଉ ଦରକାର ନାହିଁ। ଗଣମାଧ୍ୟମକୁ ସ୍ୱାଧୀନତା ଦେବାରେ କେଉଁଠି ବି ମୋହନ ସରକାର ପଛଘୁଞ୍ଚା ଦେଇନାହାନ୍ତି। ବିରୋଧୀ ଗୃହର ମୂଲ୍ୟବାନ ସମୟ ଅପଚୟ କରି ତୁଛାରେ ହଟ୍ଟଗୋଳ କରି ଗଣମାଧ୍ୟମରେ ଚର୍ଚ୍ଚାରେ ରହିପାରୁନାହାନ୍ତି ବୋଲି ଏମିତି କଷ୍ଟ ହେଉଛି। ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ୱଳିତ ପ୍ରସଙ୍ଗରେ ସାମିଲ ନ ହୋଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବାହାବା ନେବାକୁ ମାତିଛନ୍ତି। ସରକାର ଉତ୍ତର ଓ ଆଲୋଚନାକୁ ପ୍ରସ୍ତୁତ ଥିଲା ବେଳେ ବିରୋଧୀ ପଳାୟନପଂଥୀ ସାଜିଛନ୍ତି ବୋଲି କହିଛନ୍ତି ସରୋଜ ପାଢ଼ୀ ଓ ଟଙ୍କଧର ତ୍ରିପାଠୀ। ମିଡିଆ କଭରେଜରୁ ବଞ୍ଚିତ ହେଉଛନ୍ତି ବିରୋଧୀ। ବିଧାନସଭାର ସିଧାପ୍ରସାରଣ ବେଳେ ଏମାନଙ୍କୁ ଗୌଣ କରିଦିଆଯାଉଛି। ଯାହାକୁ ନେଇ ତାତି ଉଠିଥିବା ବିରୋଧୀଙ୍କୁ ମନାଇବାକୁ ଚେଷ୍ଟା କରିଛନ୍ତି ବାଚସ୍ପତି। ଗୃହକୁ ସୁରୁଖୁରୁରେ ଚଳାଇବାକୁ ଡାକିଥିଲେ ସର୍ବଦଳୀୟ ବୈଠକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *