ରେରାରେ ମାସ ମାସ ଧରି ପଡିରହୁଛି ଫାଇଲ୍। ପ୍ରମୋଟରଙ୍କୁ ହଇରାଣ କରାଯାଉଛି। ସମସ୍ତ ଦସ୍ତାବିଜ୍ ଦିଆଯାଉଥିଲେ ବି ମନଇଛା ଫାଇଲ୍ ପକାଇ ରଖୁଛନ୍ତି ଅଧିକାରୀ। ଆରଟିଆଇ ତଥ୍ୟ ବି ଏଭଳି ଅନେକ ପ୍ରକଳ୍ପ ମାସ ମାସ ଧରି ଅକାରଣରେ ପଡ଼ିରହୁଥିବା ପୁଷ୍ଟି କରିଛି। ତାହେଲେ ତୃଟି ଓ ଅବହେଳା ରହୁଛି କେଉଁଠି। ପ୍ରମୋଟରଙ୍କ ପାଖରେ ନା ଓରେରା ପାଖରେ। ମାସକ ଭିତରେ କୌଣସି ପ୍ରକଳ୍ପକୁ ପଞ୍ଜୀକରଣ ଲାଗି ଅନୁମତି ନ ଦେଲେ, ଆଇନତଃ ତାହା ସ୍ୱତଃପ୍ରବୃତ୍ତ ବୋଲି ଧରାଯିବ। ଆଉ ଯଦି ଓରେରା ଖାରଜ କରେ, ତାହାର ଉପଯୁକ୍ତ କାରଣ ବି ଦର୍ଶାଇବା ବାଧ୍ୟ। ହେଲେ ଅନେକ ପ୍ରମୋଟର ଓରେରାର କହିବା ଅନୁସାରେ ସମସ୍ତ ଦସ୍ତାବିଜ୍ ଦେଉଥିଲେ ବି ଏହାକୁ ପକାଇରଖାଯାଉଛି। ନାନା ଆଳରେ ସମୟ ଗଡ଼େଇ ଦିଆଯାଉଛି। ଓରେରାର କିଛି ଅଧିକାରୀ ବୋଧହୁଏ ବିଲଡରଙ୍କୁ ତାଙ୍କ ଅଫିସକୁ ଦୌଡ଼ାଇ କିଛି ଫାଏଦା ନେବା ଚକ୍କରରେ ରହୁଛନ୍ତି। କାରଣ ଆଇନ ତ ସମସ୍ତଙ୍କ ଲାଗି ସମାନ। ତାହେଲେ ୧୦ ପ୍ରତିଶତ ପ୍ରମୋଟରଙ୍କ ପ୍ରକଳ୍ପକୁ ରକେଟ ବେଗରେ କେମିତି ପଞ୍ଜୀକରଣ ଲାଗି ମୋହର ବାଜୁଛି। ଆଉ ୯୦ ପ୍ରତିଶତ ପ୍ରମୋଟରଙ୍କୁ ଯେନତେନ ପ୍ରକାରେ ହଇରାଣ କରାଯାଉଛି। ଏହା ପଛରେ ବଡ଼ କିକବ୍ୟାକ୍ ଚାଲିଛି। ଓରେରା ସିନା ପ୍ରତ୍ୟକ୍ଷ ଭାବେ ଏଭଳି ବିଳମ୍ୱରୁ ପ୍ରମୋଟର ହଇରାଣ ହେଉଥିବା ଭାବୁଛି। କିନ୍ତୁ ବାସ୍ତବରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରକଳ୍ପରେ ଘର ଖଣ୍ଡିଏ କିଣିବାକୁ ଅପେକ୍ଷା କରିଥିବା ଉପଭୋକ୍ତାଟି ଉପରେ ହିଁ ଏହାର ପ୍ରଭାବ ପଡେ। କାରଣ ପ୍ରମୋଟର ନିଜର ସମୟ ଓ ଆର୍ଥିକ କ୍ଷତିଭରଣା ଗ୍ରାହକଙ୍କ ମୁଣ୍ଡରେ ବୋଳିଥାଏ। ବିଚରା ଗ୍ରାହକ ବି କାନମୁଣ୍ଡା ଆଉଁସି ଦେବାକୁ ବାଧ୍ୟ ହୋଇଥାଏ। ଏଭଳି ଆଶଙ୍କା କରି ଓରେରାରେ ଥିବା ତୃଟିବିଚ୍ୟୁତିକୁ ନେଇ ରେରା ଅଧ୍ୟକ୍ଷ ଅସିତ କୁମାର ମହାପାତ୍ରଙ୍କୁ ଗଲା ଶୁକ୍ରବାର ଭେଟିଥିଲା ଓଡ଼ିଶା ବିକାଶ ଅଭିଯାନ। ଆଉ ସବୁଠୁ ବଡ଼ କଥା ହେଲା, ଓରେରା ଅଧ୍ୟକ୍ଷ ବି ଏ ବାବଦରେ ବେଶ୍ ଅବଗତ ଅଛନ୍ତି। ଏହାର ଗୁରୁତ୍ୱ ଉପଲବ୍ଧି ଘରି ତୁରନ୍ତ ଏ ବାବଦରେ ବୈଠକ କରି ଓ ସମସ୍ତ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ ଅଧ୍ୟକ୍ଷ। ତେବେ କେବଳ କଥାରେ ନୁହେଁ। ଏହାକୁ କେମିତି କାମରେ କରାଯିବ। ଆଉ ଓରେରାର ସ୍ୱଛତାକୁ ନେଇ ଉଠୁଥିବା ଅଙ୍ଗୁଳିକୁ କେମିତି ପ୍ରତିହତ କରାଯିବ। ସେ ନେଇ ତୁରନ୍ତ ବୈଠକ ଡାକିଛନ୍ତି ଓରେରା ଅଧ୍ୟକ୍ଷ। ମଙ୍ଗଳବାର ଓଡ଼ିଶା ରାଜ୍ୟ ଅତିଥି ଭବନରେ ଦିନ ସାଢ଼େ ୧୧ଟାରେ ଏହି ବୈଠକ ବସିବ। ଅଲ ଓଡ଼ିଶା ଡେଭେଲପର ଆସୋସିଏସନ ସମେତ ବିଭିନ୍ନ ଷ୍ଟେକହୋଲଡରଙ୍କୁ ନେଇ ବସିବାକୁ ଥିବା ଏହି ବୈଠକରେ ଆଶା କରାଯାଉଛି। ଓରେରାରେ ଥିବା ଅସଙ୍ଗତିକୁ ଏହା ଦୂର କରିବାରେ ସହାୟକ ହେବ।ରେରା ଆକ୍ଟର ସବସେକ୍ସନ ୧ର ସେକ୍ସନ ୫ ଅନୁସାରେ ୩୦ ଦିନ ଭିତରେ ରେଜିଷ୍ଟ୍ରେସନ ଦେବାକୁ ବାଧ୍ୟ। ରେଜିଷ୍ଟ୍ରେସନ ଦେବ ନଚେତ କାହିଁକି ରଦ୍ଦ କଲ, କାରଣ ଦର୍ଶାଇବ ରେରା। ୩୦ ଦିନ ଭିତରେ ରେଜିଷ୍ଟ୍ରେସନ ଦେବାକୁ ବିଫଳ ହେଲେ, ଏହା ସ୍ୱତଃପ୍ରବୃତ୍ତ ଭାବେ ପଞ୍ଜୀକୃତ ବୋଲି ଧରାଯିବ। ଏହାର ୭ ଦିନ ଭିତରେ ରେରା ଅଥୋରିଟି ରେଜିଷ୍ଟ୍ରେସନ ନମ୍ୱର ସହ ଲଗ୍-ଇନ ଆଇଡି ଦେବାକୁ ବାଧ୍ୟ।ଏ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ, ବମ୍ୱେ ହାଇକୋର୍ଟ, ଦିଲ୍ଲୀ ହାଇକୋର୍ଟ ରେରାର ଦାୟିତ୍ୱ ବାବଦରେ ଦେଇଥିବା ରାୟର ନଜିର ରହିଛି। କେମିତି ରେରା ଅଥୋରିଟି ଉତ୍ତରଦାୟୀ ସେ କଥା ବି କହିଛନ୍ତି ଅଦାଲତ। ସେକ୍ସନ ୫ ଅଧୀନରେ ଥରେ ୩୦ ଦିନର ଷ୍ଟାଚୁଟୋରୀ ପିରିୟଡ୍ ସରିଗଲେ। ରେରା ଅଥୋରିଟିଙ୍କ ପ୍ରଶାସନିକ ଉଦାସୀନତା ଲାଗି ରେଜିଷ୍ଟ୍ରେସନକୁ ରଦ୍ଦ କରିହେବନି। ସମୟସୀମାରେ ରେଜିଷ୍ଟ୍ରେସନ ନ ଦେଲେ, ଏହା ସମ୍ୱିଧାନର ଧାରା ୧୪ ସହ ନାଚୁରାଲ ଜଷ୍ଟିସର ନୀତିକୁ ବିରୁଦ୍ଧାଚରଣ କରୁଛି।ରେଜିଷ୍ଟ୍ରେସନ ନମ୍ୱର ସହ ଲଗ୍ଇନ ଆଇଡି ଓ ପାସଓ୍ୱାର୍ଡ ଆବେଦନକାରୀକୁ ଦେବା କଥା।ଅଣ୍ଡର ରିଭ୍ୟୁ ନାଁରେ ରିଜେକ୍ସନ ଖେଳ ଆଳରେ ଚାଲିନି ତ ଶୋଷଣ। ଆରଟିଆଇ ତଥ୍ୟ କହୁଛି, ଓରେରାରେ ରିଭ୍ୟୁ ପ୍ରକ୍ରିୟାରେ ଏଭଳି ୭୨ଟି ଆବେଦନ ପଡ଼ିଛି। ଯାହା ୩୦ ଦିନର ସାମ୍ୱିଧାନିକ ଅବଧିର ସୀମାକୁ ଡେଇଁସାରିଛି। ଅନେକ ଆବେଦନ ୪ମାସରୁ ଉର୍ଦ୍ଧ୍ୱ ସମୟ ଧରି ଓରେରାରେ ଗଡ଼ୁଛି। ୧୭ଟି ଆବେଦନକୁ ଓରେରା ଫେରାଇବା ପୂର୍ବରୁ ୩୦ ଦିନ ସମୟ ଗଡାଇ ସାରିଲାଣି। କେବଳ ଏତିକିରେ ଓରେରାର ହଇରାଣ କରିବାର ଖେଳ ସରିନି। ସମସ୍ତ ଡକ୍ୟୁମେଣ୍ଟାରୀ ପ୍ରମାଣର ଡେସପାଚ୍ ସତ୍ତ୍ୱେ କିଛି ପାଉନୁ ବୋଲି ନୂଆ ନାଟକ ବି ରଚୁଛି ରେରା।
Naxatra News is now on Whatsapp
Join and get latest news update delivered to you via whatsapp
Join Now