ପାଣ୍ଡିଆନ୍‌ଙ୍କ କବଜାରେ ବିଜେଡି!

ବିଜେଡିରେ ପୁଣି ପାଣ୍ଡିଆନ୍ ରାଜ୍। ନାଁ କୁ ମାତ୍ର ନବୀନ ନେତା! କିନ୍ତୁ ଦଳର ଏ-ଟୁ- ଜେଡ୍ ପୁଣି ନିୟନ୍ତ୍ରଣ ହେଉଛି ପାଣ୍ଡିଆନଙ୍କ ଇସାରାରେ! ଦଳର ବିପର୍ଯ୍ୟୟ ପରେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ପାଣ୍ଡିଆନଙ୍କୁ ସିନା ନବୀନଙ୍କ ଛାଇ ଭଳି ସାଙ୍ଗରେ ଦେଖିବାକୁ ମିଳୁନି। କିନ୍ତୁ ସବୁ କଥାରେ ମାମଲତକାର ସାଜି ଦଳକୁ ପୁଣି କୁଆଡ଼େ ନିଜ ଫର୍ମାଟରେ ପାଣ୍ଡିଆନ୍ ଚଳାଉଥିବା ଚର୍ଚ୍ଚା ହେଉଛି। ଏ ସବୁ ଲୁଚାଛପାରେ ଚାଲିନି, ବରଂ ସମସ୍ତଙ୍କ ସାମ୍ନାରେ ହେଉଥିବାରୁ ବରିଷ୍ଠ ନେତା ଓ କର୍ମୀ ଚିନ୍ତାରେ ପଡ଼ିଲେଣି। ନବୀନ ନିବାସରେ ଏଭଳି ଚିତ୍ର ଓ ଚରିତ୍ରକୁ ନେଇ ଚାରିଆଡ଼େ ଚର୍ଚ୍ଚା ଭିତରେ କେତେବେଳେ ବରିଷ୍ଠ ମେଳି ବାନ୍ଧିଲେଣି ତ କେତେବେଳେ ଯୁବ ଗୋଷ୍ଠୀ ଏକାଠି ହେଲେଣି। ସମସ୍ତେ ସମାନ୍ତରାଳ ମେଳି କରିବା ପଛର ରହସ୍ୟ କଅଣ ବୋଲି ପ୍ରଶ୍ନ ଉଙ୍କିମାରୁଥିବା ବେଳେ କିଛି ଦଳୀୟ ନେତା ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। ନବୀନ ନିବାସରେ ସେମାନେ କେବଳ ନେତା ନବୀନଙ୍କୁ ଭେଟୁଥିବା କହିଛନ୍ତି। ପାଣ୍ଡିଆନ୍ ଦରବାର ନେଇ ସେମାନେ କିଛି ଜାଣନ୍ତିନି। ଆଉ କିଛି ନେତା କହିଛନ୍ତି, ପାଣ୍ଡିଆନ ରାଜନୀତିକୁ ଫେରିବେ କି ନାହିଁ, ତାହା ତାଙ୍କ ବ୍ୟକ୍ତିଗତ କଥା। ଦଳର ନେତା ନବୀନଙ୍କ ନିର୍ଦେଶରେ ଦଳ ଚାଲିଛି। ନବୀନ ନିବାସରେ ଦରବାର କେବଳ ନବୀନଙ୍କର ଚାଲିଛି। ନବୀନଙ୍କୁ ନେତା ଭେଟୁଛନ୍ତି।

ବିଜେଡି ବିପର୍ଯ୍ୟୟ ପଛରେ ନବୀନଙ୍କୁ ହାଇଜାକ୍ କରି କ୍ଷମତା ଚାଖୁଥିବା ପାଣ୍ଡିଆନଙ୍କୁ ଅନେକାଂଶରେ ଦାୟୀ କରାଯାଉଛି। ଆଉ ନବୀନ ନିବାସରେ ପାଣ୍ଡିଆନ୍ ଦରବାର ଚାଲୁଥିବା ଚର୍ଚ୍ଚା ଉପରେ ବିଜେପି କହିଛି, ପାଣ୍ଡିଆନ୍ ପୁଣି ରାଜନୀତିକୁ ଫେରିଲେ ଓଡ଼ିଶାବାସୀଙ୍କ ମଙ୍ଗଳ ହେବ। ପାଣ୍ଡିଆନ୍ ବିଜେଡିରେ ରହିଲେ ଆସନ୍ତା ୨୫ ବର୍ଷ ଯାଏ ବିଜେପି ଶାସନରେ ରହିବ। ପାଣ୍ଡିଆନ୍ ଓଡ଼ିଆଙ୍କ ପ୍ରଭୂତ କ୍ଷତି କରିଥିଲେ। ଏବେ ବିଜେଡିରେ ନେତୃତ୍ୱ ସଂକଟ ବେଳେ ଓଡ଼ିଶାକୁ ଲୁଟିବାର କଳା ପାଣ୍ଡିଆନଙ୍କଠୁ ଶିଖିବେ ବୋଲି ବିଜେଡି ନେତାଙ୍କ ଭିତରେ ପ୍ରତିଯୋଗିତା ଚାଲିଛି।

ପାଣ୍ଡିଆନଙ୍କ ନାଁରେ ଫ୍ୟାନ୍‌କ୍ଲବ ଚାଲିଛି। ବିଭିନ୍ନ ଫଟୋ ଓ ଭିଡିଓ ନିୟମିତ ଭାବେ ପୋଷ୍ଟ କରି ଭାବମୂର୍ତ୍ତି ସୁଧାରିବାକୁ ପ୍ରୟାସ ହେଉଛି। ପାଣ୍ଡିଆନଙ୍କ ଲାଗି ହିଁ ବିଜେଡି ଅପ୍ରତ୍ୟାଶିତ ପରାଜୟର ମୁହଁ ଦେଖିଲା। ବିଜେଡି ଅମଳରେ ବିପୁଳ କ୍ଷମତା ଉପଭୋଗ କରିଥିବା ପାଣ୍ଡିଆନ୍ ଓ ତାଙ୍କ ଗୋଷ୍ଠୀ ବିପର୍ଯ୍ୟୟର ନୈତିକ ଦାୟିତ୍ୱ ମୁଣ୍ଡାଇବା ବଦଳରେ ପୁଣିଥରେ କଳବଳେ ଦଳକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ପ୍ରୟାସ ଜାରି ରଖିଥିବା କୁହାଯାଉଛି। ନବୀନଙ୍କୁ ଜନନାୟକ ଓ ପାଣ୍ଡିଆନଙ୍କୁ ମହାନାୟକ ଭାବେ ଉପସ୍ଥାପିତ କରିବାର ଧାରା ପୁଣି ଆରମ୍ଭ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *