ପାର୍ଟପ୍ଲଟ କଟକଣା- ନା ଅଛି କ୍ଲାରିଟି ନା ଆସୁଛି କ୍ଲିଅର ଏସଓପି- ଆଇଜିଆର ବେଫିକର- ଦ୍ୱନ୍ଦ୍ୱରେ ସବରେଜିଷ୍ଟ୍ରାର

ପାର୍ଟ-ପ୍ଲଟ କିଣାବିକାକୁ ନେଇ ପୁଣି କାହିଁକି ଦ୍ୱନ୍ଦ୍ୱ। ରାଜସ୍ୱ ମନ୍ତ୍ରୀ ତ କହିସାରିଲେଣି, ଚାଷ ଜମିର ପାର୍ଟ କିଣାବିକା ନେଇ ସମସ୍ତ ପ୍ରତିବନ୍ଧକ ହଟିସାରିଛି। ସବ-ରେଜିଷ୍ଟ୍ରାରଙ୍କ ସମ୍ମିଳନୀରେ ବି ଏ କଥାକୁ ଆଉ ଥରେ ଦୋହରାଇଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ନଗର ଉନ୍ନୟନ ମନ୍ତ୍ରୀ ବି କହିଥିଲେ, ରାଜସ୍ୱ ବିଭାଗ ସହ ମିଶି ପାର୍ଟ-ପ୍ଲଟ୍‌ ଉପରେ ଥିବା କଟକଣା ହଟାଇସାରିଛୁ। ଆପାର୍ଟମେଣ୍ଟ କିଣାବିକା ସମସ୍ୟା ବି ହଟିବ। ହାଇକୋର୍ଟରେ ଥିବା ରହିତାଦେଶ ଉଠିଲେ ପୁରୁଣା ଆପାର୍ଟମେଣ୍ଟ କିଣାବିକାର ବାଟ ବି ଫିଟିଯିବ। ରେରା ଆସିବା ଆଗରୁ ହୋଇଥିବା ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ଉପରୁ ପ୍ରତିବନ୍ଧକ ହଟିବ। ସଚିବ ଦେଓରଞ୍ଜନ ସିଂ ବି କହିଥିଲେ, ସବ-ରେଜିଷ୍ଟ୍ରାରଙ୍କ କାମ କେବଳ ପଞ୍ଜୀକରଣ କରିବା। କ୍ରେତା ଓ ବିକ୍ରେତାଙ୍କ ପରିଚୟ, ଷ୍ଟାମ୍ପଡ୍ୟୁଟି ସଠିକ ପୈଠ ହୋଇଛି କି ନାହିଁ, କୌଣସି ଇଛାକୃତ ଠକାମୀକୁ ଧରପଗଡ଼ ଏସବୁ ତର୍ଜମା କରିବାର ଅଧିକାର ରହିଛି। କିନ୍ତୁ ଜମି ରେଜିଷ୍ଟ୍ରେସନ କରିବୁନିର ଅଧିକାର ଆସିଲା କେଉଁଠୁ ବୋଲି ଚେତାଇ ଦେଇଥିଲେ ସଚିବ ଦେଓରଞ୍ଜନ ସିଂ। ଚାଷଜମିର ପାର୍ଟ କିଣାବିକା ଓ ଘରବାରି ପ୍ଲଟ କିଣାବିକା ନେଇ ରାଜସ୍ୱ ବିଭାଗ ବି ଖୁବ୍ ଶୀଘ୍ର ଏସଓପି ଜାରି କରିବ ବୋଲି କହିଥିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ହେଲେ କୁଆଡ଼େ ଗଲା ରାଜସ୍ୱ ବିଭାଗର ଏସଓପି। ଏସଓପି ନଥିବାରୁ ସବ-ରେଜିଷ୍ଟ୍ରାରମାନେ ବି ନିଜେ ଆଇନକୁ ଯେମିତି ବୁଝୁଛନ୍ତି, ସେମିତି ମୋଡ଼ୁଛନ୍ତି। ଆଇଜିଆର ସୁବ୍ରତ ଶତପଥୀ କାହିଁକି ଚୁପ୍। ୧୨୩ ଡିସିମିଲ ଉପରକୁ ପାର୍ଟ ଜମି ରେଜିଷ୍ଟ୍ରେସନ କରୁନାହାନ୍ତି ସବରେଜିଷ୍ଟ୍ରାର। ତା ନହେଲେ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଚାଷ ଜମିର ଆଂଶିକ କିଣାବିକା ବେଳେ ନିଜର ସୁରକ୍ଷା ଲାଗି ମନେ ମନେ ଏଭଳି ସିଲ୍ କରି ମାରୁନଥାଆନ୍ତେ। ଯେଉଁ ସିଲରେ ଲେଖାଯାଇଛି, ଚାଷ ଜମି ଭବିଷ୍ୟତରେ କେବେ ବି ଘରବାରି ଉଦ୍ଦେଶ୍ୟରେ ବ୍ୟବହୃତ ହେବନି। ଖୋର୍ଦ୍ଧା ଏଡିଏମ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ସ୍ପଷ୍ଟିକରଣ ଲୋଡ଼ିଥିଲେ ସୁଦ୍ଧା ଏଡିଏମ ବି ପୁରା ଚୁପ୍‌। ଭୁବନେଶ୍ୱର ଯେଭଳି ବଢ଼ୁଛି। ଆଉ ଉପକଣ୍ଠର ବିକାଶ ଲାଗି ବିଡିଏ ଅଧିକରୁ ଅଧିକ ମୌଜାକୁ ନେଇ ଟାଉନ ପ୍ଲାନିଂରେ ବିକାଶ କରୁଛି। କ୍ୟାବିନେଟ ବି ମଞ୍ଜୁରୀ ଦେଇସାରିଛି, ଟିପି ସ୍କିମରେ ଯାଉଥିବା ସମସ୍ତ ଜମିକୁ ଘରବାରି କିସମ କରି ସରକାର ମାଗଣାରେ ଦେବେ। ଆଉ କିଛି ଦିନ ପରେ ଚାଷ ଜମି ଘରବାରିରେ ବ୍ୟବହାର ହେବନି ବୋଲି କହିବା ବୋକାମୀ ନୁହେଁ ତ ଆଉ କଅଣ। ଏଭଳି ଦଲିଲର ବୈଧତାକୁ ନେଇ ପ୍ରଶ୍ନ ଉଠିବ ହିଁ ଉଠିବ। ଏ ସନ୍ଦର୍ଭରେ ଓଡ଼ିଶା ବିକାଶ ଅଭିଯାନ ଆଇଜିଆରଙ୍କୁ ଭେଟିଛି। ସମସ୍ୟା ବାବଦରେ ଅବଗତ କରାଇବା ସହ ସମାଧାନର ସରଳ ବାଟ ବାହାର କରିବାକୁ ଦାବି କରିବା ସହ କିଛି ପ୍ରସ୍ତାବ ଦେଇଛନ୍ତି ମ୍ୟାନେଜିଂ ଟ୍ରଷ୍ଟି ପ୍ରଦୀପ କୁମାର ସାହୁ ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ ମାର୍ଥାଙ୍କ ସମେତ ୫ଜଣିଆ ପ୍ରତିନିଧି ଦଳ। ଇଣ୍ଡିଆନ ରେଜିଷ୍ଟ୍ରେସନ ଆକ୍ଟ ଓ ଓଡିଏ ଆକ୍ଟ ଭିନ୍ନ ହୋଇଥିଲେ ସୁଦ୍ଧା, ଏହାକୁ ନେଇ କେମିତି ପ୍ରହସନ ଚାଲିଛି, ତାହାର ଅବତାରଣା କରିଛନ୍ତି। ସବରେଜିଷ୍ଟ୍ରାରଙ୍କୁ କ୍ଲିଅର ଗାଇଡଲାଇନ ଦିଆଯାଉ। ଯାହା ଫଳରେ ସବ-ରେଜିଷ୍ଟ୍ରାର ନା ନିଜେ ଦ୍ୱନ୍ଦ୍ୱରେ ରହିବେ ନା ଲୋକଙ୍କୁ ଭ୍ରମରେ ରଖିପାରିବେ। ବ୍ୟକ୍ତିଗତ ଏଜେଣ୍ଡା ଲାଗି ପାର୍ଟ-ଜମି ପଞ୍ଜୀକରଣକୁ ମନା କରୁଥିବା ସବ-ରେଜିଷ୍ଟ୍ରାରଙ୍କ ବିରୁଦ୍ଧରେ ଆକ୍ସନ ହେଉ। ଜଏଣ୍ଟ ପ୍ରପର୍ଟି ମାମଲାରେ ନିଜର ଅଂଶକୁ ବିକିବାକୁ ଅଂଶୀଦାରଙ୍କୁ ଅନୁମତି ମିଳୁ। ସମସ୍ତ ଜମିରେ ରେରା ଲାଗୁ ନ ହେଉ। ରେରା ଗାଇଡଲାଇନର ଅନୁପାଳନ ପାଇଁ ବିଧିବଦ୍ଧ ନୋଟିଫିକେସନ ଜାରି ହେଉ। ଯେଉଁଠି ଉନ୍ନୟନ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ଅଞ୍ଚଳର ବିକାଶ ଲାଗି ପ୍ରସ୍ତାବ ରଖିଥିବେ। ଆଇଜିଆର ସୁବ୍ରତ ଶତପଥୀ ବି ଏଭଳି ସମସ୍ୟାକୁ ନେଇ ହୃଦବୋଧ କରିଛନ୍ତି। ଆଇଜିଆର ବି ମାନିଛନ୍ତି, ଅଧିକାଂଶ ସବରେଜିଷ୍ଟ୍ରାର ଆଇନକୁ ଠିକ ଭାବରେ ତର୍ଜମା ନକରି ଲୋକଙ୍କୁ ହଇରାଣ କରୁଛନ୍ତି। ସେଥିଲାଗି ଖୁବ ଶୀଘ୍ର ସମସ୍ତଙ୍କୁ ସ୍ପଷ୍ଟ ଗାଇଡଲାଇନ ଦିଆଯିବ। ପାର୍ଟ ଜମି କିଣାବିକାକୁ ନେଇ ଥିବା ଦ୍ୱନ୍ଦ୍ୱ ହଟିବ।ପାର୍ଟ-ପ୍ଲଟ କିଣାବିକା ହେଉ ଅବା ରେରା ଆସିବା ଆଗରୁ ପୁରୁଣା ଆପାର୍ଟମେଣ୍ଟ କିଣାବିକା ସମସ୍ୟା। ଏ ସବୁ ଦୂର କରିବାକୁ ରାଜସ୍ୱ, ନଗର ଉନ୍ନୟନ, ଆଇନ ବିଭାଗ ଅନେକ ଥର ମିଳିତ ତର୍ଜମା କଲେଣି ସତ। କିନ୍ତୁ ନା ହଟୁଛି ଦ୍ୱନ୍ଦ୍ୱ ନା ଥମୁଛି ସମସ୍ୟା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *