ପାର୍ଟ-ପ୍ଲଟ ଦ୍ୱନ୍ଦ୍ୱ : SUSPEND ନୁହେଁ, SOP ହିଁ ସମାଧାନ

ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନକୁ ଯିଏ ମନା କରିବ, ସେ ସବ୍‌-ରେଜିଷ୍ଟ୍ରାରଙ୍କୁ ସସପେଣ୍ଡ କରିବି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି କଥା ଦେଇଛନ୍ତି। ଏହା ସହ କହିଥିଲେ, ବେଶୀ ନୁହେଁ। ଗୋଟିଏ ପ୍ରମାଣ ଦିଅ। ବିନା ପ୍ରମାଣରେ ମିଛ ଅଭିଯୋଗ କି ପ୍ଲଟିଂ ଆଳରେ ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନ ଲାଗି ଫନ୍ଦି କରୁଥିଲେ, ଏ ସରକାରରେ ସମ୍ଭବ ନୁହେଁ। ପାର୍ଟ-ପ୍ଲଟ ପଞ୍ଜୀକରଣ ବେଳେ ଦ୍ୱନ୍ଦ୍ୱରେ ରହୁଛନ୍ତି ସବ-ରେଜିଷ୍ଟ୍ରାର। ରାଜସ୍ୱ ବିଭାଗର ବିନା ଏସଓପିରେ ପାର୍ଟ-ପ୍ଲଟ ଦଲିଲକୁ ଛୁଉଁନାହାନ୍ତି ସବ-ରେଜିଷ୍ଟ୍ରାର। କ୍ଲାରିଫିକେସ ଆଳରେ ସମୟ ଗଡ଼ାଉଛନ୍ତି। ଓଡ଼ିଶା ବିକାଶ ଅଭିଯାନର ଅଭିଯୋଗକୁ ନେଇ ଏଭଳି ପ୍ରତିକ୍ରିୟାଶୀଳ ହୋଇଥିଲେ ମନ୍ତ୍ରୀ ପୂଜାରୀ। ଭୁବନେଶ୍ୱର ଓ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସ୍‌ର ନଜିର ଥୋଇଥିଲା ଓଡ଼ିଶା ବିକାଶ ଅଭିଯାନ। ନିଜ ଚାଷ ଜମି ଯେଉଁଠିକୁ ରାସ୍ତାଘାଟ ନାହିଁ, ଜଣେ ଲୋକ ଚାହିଁଲେ, ସେଥିରୁ କେତେ ଡିସିମିଲ୍ ବିକିପାରିବ। ଘରିବାରି ଭଳି ଚାଷ ଜମିର ପାର୍ଟ କିଣାବିକାରେ ୫ହଜାର ୨୮୩ ବର୍ଗଫୁଟ ଯାଏ ସୀମା ଅଛି କି। ଏ ତମାମ ପ୍ରଶ୍ନର ଉତ୍ତର ମାଗିଥିଲା ଓଡ଼ିଶା ବିକାଶ ଅଭିଯାନ। ଓଡ଼ିଶା ବିକାଶ ଅଭିଯାନ କହିଛି, କୌଣସି ସବ-ରେଜିଷ୍ଟ୍ରାରଙ୍କୁ ସସପେଣ୍ଡ କରିବା ଉଦେଶ୍ୟ ନୁହେଁ। ସସପେଣ୍ଡ ସମସ୍ୟାକୁ ସମାଧାନ କରିବନି। ପାର୍ଟପ୍ଲଟ୍‌ କେମିତି ସରଳ ଓ ସହଜରେ ରେଜିଷ୍ଟ୍ରେସନ ହୋଇପାରିବ, ଏ ପ୍ରୟାସ ଦିଗରେ କାମ କରୁଛି ସଂଗଠନ। ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ କିଛି ଦ୍ୱନ୍ଦ୍ୱ ଅଛି କି। ସବ-ରେଜିଷ୍ଟ୍ରାରମାନେ ବୁଝିପାରୁନାହାନ୍ତି କି। ଯଦି ସ୍ପଷ୍ଟତା ଅଛି, ସ୍ପଷ୍ଟିକରଣ ମାଗୁଛନ୍ତି କାହିଁକି ସବ-ରେଜିଷ୍ଟ୍ରାର ବୋଲି ପଚାରିଛନ୍ତି ଓଡ଼ିଶା ବିକାଶ ଅଭିଯାନର ମ୍ୟାନେଜିଂ ଟ୍ରଷ୍ଟି ପ୍ରଦୀପ କୁମାର ସାହୁ। ବାସ୍ତବରେ କିଏ କହୁଛି ସତ। ଏହାର ଗ୍ରାଉଣ୍ଡ ରିଅଲିଟି ଚେକ୍ କରିଥିଲା ନକ୍ଷତ୍ର ନ୍ୟୁଜ୍। ନବରଙ୍ଗପୁରରୁ ନୟାଗଡ଼। ଖୋର୍ଦ୍ଧାରୁ ବ୍ରହ୍ମପୁର। ଅସଲ ସମସ୍ୟା ଯାଇ କେଉଁଠି ପରଖିଥିଲୁ। ଚାଷ ଜମି ଉପରୁ ସମସ୍ତ ପ୍ରତିବନ୍ଧକ ହଟିଗଲା ବୋଲି ମନ୍ତ୍ରୀ ସିନା କହିଦେଲେ। କିନ୍ତୁ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିରେ ଅସ୍ପଷ୍ଟତା ଓ ରେରା ଡରରେ ମନ୍ତ୍ରୀଙ୍କ କଥାକୁ କିଏ କାର୍ଯ୍ୟକାରୀ କରୁଛି ତ କିଏ କରୁନି। କାରଣ ସବ-ରେଜିଷ୍ଟ୍ରାରମାନେ ରାଜସ୍ୱ ବିଭାଗ ଅଧୀନରେ। ନଗର ଉନ୍ନୟନ ବିଭାଗ କଥା ସେମାନେ କାହିଁକି ମାନିବେ। ଆଇଜିଆର ବି ନଗର ଉନ୍ନୟନ ବିଭାଗର ଆକ୍ଟ କହି କ୍ଲାରିଫିକେସନ ଖଣ୍ଡେ ମାଗିଦେଇ ଚୁପ୍ ବସିପଡ଼ିଛନ୍ତି। ନବରଙ୍ଗପୁରରେ ପାର୍ଟ ଚାଷ ଜମି ପଞ୍ଜୀକରଣ ହେଉନି। ନୟାଗଡ଼ରେ ବି ସମାନ ଅବସ୍ଥା। କେତେ ଜମି ରେଜିଷ୍ଟ୍ରେସନ ହୋଇପାରିବ, ତାକୁ ନେଇ ଅକଳରେ ପଡ଼ିଛନ୍ତି ସବ-ରେଜିଷ୍ଟ୍ରାର। ଖୋର୍ଦ୍ଧାରେ ବି ଜଣେ ଚାହିଁଲେ ଏକର ଜାଗାରୁ କେତେ ବିକିପାରିବ, ଥରକରେ କେତେ ଜମି ଭାଗ କରି ବିକିବ ଏ ନେଇ ସ୍ପଷ୍ଟତା ନଥିବାରୁ ଲୋକେ ଫସିଛନ୍ତି। ବ୍ରହ୍ମପୁରରେ ତ ଦୀର୍ଘ ବର୍ଷ ହେଲା ଅଚଳାବସ୍ଥା ଜାରି ରହିଛି। ପାର୍ଟ ଚାଷଜମି ଉପରୁ ପ୍ରତିବନ୍ଧକ ହଟିନି। ଆଉ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା ରାଜସ୍ୱ ମନ୍ତ୍ରୀଙ୍କୁ ଏ କଥା ପଚାରିବା ମାତ୍ରେ ସମାନ କଥା ଦୋହରାଇଛନ୍ତି। କୁଆଡ଼େ ଗଲା ରାଜସ୍ୱ ବିଭାଗର ଏସଓପି ବୋଲି ପଚାରିବାରୁ ମନ୍ତ୍ରୀ କହିଛନ୍ତି, ରେରା ଆଇନକୁ ବିନା କାରଣରେ ଗଲା ସରକାର ଓଡ଼ିଶାରେ ଲାଗୁ କରିଥିଲେ। ରେରା ଆଇନ ଓ ଓଡିଏ ଆକ୍ଟ ପାର୍ଟ-ପ୍ଲଟ କିଣାବିକାରେ ବାଧକ ଥିଲା। ମୂଳତଃ ଏ କାମ ନଗର ଉନ୍ନୟନ ବିଭାଗର। ଲୋକଙ୍କ ସମସ୍ୟାକୁ କେବଳ ଏହା ଅଧିକ ଜଟିଳ କରୁନଥିଲା। ତା ସାଙ୍ଗକୁ ରାଜସ୍ୱ ବିଭାଗ ବି ବିପୁଳ କ୍ଷତି ସହୁଥିଲା। ରାଜସ୍ୱ ବିଭାଗର କାମ ନ ହୋଇଥିଲେ ବି ସେ ନଗର ଉନ୍ନୟନ ମନ୍ତ୍ରୀ, ରେରା, ଉନ୍ନୟନ କର୍ତ୍ତୃପକ୍ଷ ଓ ରାଜସ୍ୱ ବିଭାଗକୁ ଏକାଠି ବସାଇ ଏ କାମକୁ ଆଗକୁ ବଢ଼ାଇଲେ। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏସଓପି ଜାରି ହୋଇସାରିଲାଣି। ୫ହଜାର ୪ଶହ ବର୍ଗଫୁଟ ଯାଏ ସମସ୍ତ କଟକଣା ହଟାଇସାରିଲୁଣି। ତା ପୁଣି ଘରବାରି କ୍ଷେତ୍ରରେ। ଯେଉଁ ସବ-ରେଜିଷ୍ଟ୍ରାର କରୁନାହାନ୍ତି, ଆକ୍ସନ ବି ନେଉଛନ୍ତି ସରକାର। ଆଉ ଚାଷ ଜମି ଉପରୁ ସମସ୍ତ କଟକଣା ହଟିସାରିଛି। ଯେଉଁ ମାନେ ପ୍ଲଟିଂ ଉଦେଶ୍ୟରେ ଚାଷ ଜମି ବିକାକିଣା କରିବାକୁ ଚାହୁଁଛନ୍ତି, ସେମାନଙ୍କ ଲାଗି ବି ନିୟମାବଳୀ ପ୍ରସ୍ତୁତ ହୋଇଛି। ସେମାନେ ଲେ ଆଉଟ୍ ଆପୃଭାଲ ନେବେ। ଆବଶ୍ୟକୀୟ ରାସ୍ତାର ଚଉଡ଼ା ସାଙ୍ଗକୁ ଓପନ ସ୍ପେଶ୍ ଆଦି ଆନୁସଙ୍ଗିକ ଭିତ୍ତିଭୂମି ରଖିବେ। ତା ପରେ ରେରାରେ ରେଜିଷ୍ଟ୍ରେନ କରାଇବେ। ତେବେ କଥା ପଡ଼ିଛି, ରାଜସ୍ୱ ବିଭାଗ ଏସଓପି ଜାରି କରିଦେଲେ ନା ସବ୍‌-ରେଜିଷ୍ଟ୍ରାର ଅବୁଝା ହୁଅନ୍ତେ ନା ଲୋକେ ହନ୍ତସନ୍ତ ହୁଅନ୍ତେ। କିଏ ରେରା ଆଳରେ ଏଡ଼ାଇଯାଉଛି ତ କିଏ କେତେ ବିକାକିଣା କରିହେବ, ସେ ଅଡ଼ୁଆରେ ଘାରିହୋଇ ଦଲିଲରେ ମୋହର ମାରୁନାହାନ୍ତି। ମନ୍ତ୍ରୀ କହିଛନ୍ତି, କୌଣସି ପ୍ରକାର ଦ୍ୱନ୍ଦ୍ୱ ରହିବନି। ରେରା ଅଧ୍ୟକ୍ଷ ଅସିତ ମହାପାତ୍ର ବି କହିଲେଣି, ସହର ଓ ଗାଁ ମଝିରେ ଥିବା ଚାଷ ଜମି ପଞ୍ଜୀକରଣକୁ ନେଇ ଦ୍ୱନ୍ଦ୍ୱ ରହିଛି। ସେଥିଲାଗି ପଞ୍ଚାୟତିରାଜ, ରାଜସ୍ୱ ଓ ନଗର ଉନ୍ନୟନ ବିଭାଗ ସହ ଏ ଦ୍ୱନ୍ଦ୍ୱ ଦୂର କରିବାକୁ ଆଲୋଚନା ଚାଲିଛି। ରେରା ଆକ୍ଟିଭିଷ୍ଟ ଚନ୍ଦନ ମହାନ୍ତି କହିଛନ୍ତି, ରେରା ଆଇନ ବାବଦରେ ଅନେକ ସବ-ରେଜିଷ୍ଟ୍ରାର ଅଜ୍ଞ। ଆଉ ଲୋକଙ୍କୁ ଯେମିତି ଚାହୁଁଛନ୍ତି, ଆଇନର ତର୍ଜମା କରି ମୋଡ଼ୁଛନ୍ତି।ପାର୍ଟ-ପ୍ଲଟ୍ ପଞ୍ଜୀକରଣ ନେଇ ଏତେ ଅଡ଼ୁଆ କାହିଁକି। ରାଜସ୍ୱ ବିଭାଗ ଯଦି ଖଣ୍ଡିଏ ଏସଓପି ଜାରି କରିଦିଅନ୍ତା, ଲୋକେ ବି ହଇରାଣ ହୁଅନ୍ତେନି। ସବ-ରେଜିଷ୍ଟ୍ରାରମାନେ ବି ଦ୍ୱନ୍ଦ୍ୱରେ ପଡ଼ନ୍ତେନି। ରାଜସ୍ୱ ବି ହାନୀ ହୁଅନ୍ତାନି। ଆଉ ରାଜସ୍ୱ ଓ ନଗର ଉନ୍ନୟନ ବିଭାଗର ମିଳିତ ମାନସମନ୍ଥନ ବି ସାକାର ହେଲା ବୋଲି ବୁଝାପଡ଼ନ୍ତା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *