ଅଣସର ପିଣ୍ଡିରେ ପୂଜା ପାଇବେ ପଟିଦିଁଅ, ଚିତ୍ରକରଙ୍କ ଦ୍ୱାରା ପ୍ରସ୍ତୁତି ଶେଷପର୍ଯ୍ୟାୟରେ

Spread the love

ପୁରୀ : ପବିତ୍ରଧାମ ଶ୍ରୀକ୍ଷେତ୍ର । ଭକ୍ତପ୍ରିୟ ଭାବର ଠାକୁର ଭାବଗ୍ରାହୀ ଶ୍ରୀଜଗନ୍ନାଥ । ସ୍ନାନ ବେଦିରେ ଶ୍ରୀଜୀଉ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିବେ । ଏହି ସମୟରେ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିନପାରି ପଟିଦିଁଅଙ୍କୁ ପ୍ରତୀକ ଦର୍ଶନ କରିବେ । ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ଆୟୁର୍ବେଦିକ ଉପଚାର ସହ ଗୁପ୍ତ ସେବା ସମାପାନ କରିବେ । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ , ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ମା ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ ପଟିଦିଁଅ ପୂଜା ପାଇବେ । ଉତ୍କଳୀୟ ସଂସ୍କୃତିରେ ପଟଚିତ୍ରର ପ୍ରଭାବ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥାଏ । ଏହି ପଟିଦିଁଅଙ୍କୁ ଚିତ୍ରକର ସେବାୟତମାନେ ନିର୍ମାଣ କରିଥାନ୍ତି । ଶୀତଳଷଷ୍ଠୀ ଦିନ ପରମ୍ପରା ଅନୁଯାୟୀ ଅନନ୍ତ ନାରାୟଣଙ୍କ ପଟିଚିତ୍ର ଅନୁକୂଳ ହୋଇଥିଲା । ପଞ୍ଛମୀ ତିଥିରେ ବଳଭଦ୍ରଙ୍କ ଅନନ୍ତ ବାସୁଦେବଙ୍କ ପଟିଚିତ୍ର ଅନୁକୂଳ ହୋଇଥିଲା । ସ୍ନାନଯାତ୍ରା ଦିନ ଶ୍ରୀବିଗ୍ରହମାନେ ବାହୁଡ଼ା ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବା ପରେ ଶ୍ରୀମନ୍ଦିରରୁ ଘଂଟ,ଛତା,କାହାଳୀ ବାଜିବା ସହ ଚିତ୍ର ସେବକଙ୍କ ଘରକୁ ଯିବେ । ଚିତ୍ରକର ପରିବାରର ମହିଳାମାନେ ପଟିଦିଁଅଙ୍କୁ ବନ୍ଦାପନା କରିବା ପରେ ପଟିଦିଁଅ ଶ୍ରୀମନ୍ଦିରକୁ ବିଜେ କରିବେ । ଶିତଳଷଷ୍ଠୀ ଦିନ ପନ୍ତି ଭୋଗ ସରିବା ପରେ ଚିତ୍ରକର ସେବକମାନେ ପଟିଲାଗି କରିଥିବା ବେଳେ ରୁକୁଣୀ ହରଣ ଏକାଦଶୀ ଠାରୁ ପଟିରେ ରଙ୍ଗ ଦେଇ ଚିତିତ୍ର କରିବା ଆରମ୍ଭ କରିଥିଲେ । ହେଙ୍ଗୁଳ, ହରିତାଳ,ଶଙ୍ଖ,ଦୀପକଳା,ଖଣ୍ଡନେଳି,ପଟା,ଗେରୁ,କଇଁଥ ଅଠା ଆଦି ପାରମ୍ପରିକ ରଙ୍ଗରେ ପଟିଦିଁଅଙ୍କୁ ଚିତ୍ରକର ସେବକମାନେ ନିର୍ମାଣ କରୁଛନ୍ତି । ପ୍ରଥମେ ନୂଆ କନାରେ ଅଠା,ଖଡ଼ି ପ୍ରଲେପ ଦେଇ ଘସା ପଥର ଦ୍ୱାରା ଘସି ଘସି ଚିକ୍କଣ କରିବା ସହ ପଟି ପ୍ରସ୍ତୁତ କରିଥାନ୍ତି । ପଟିକୁ ଆଙ୍କିବା ପାଇଁ ଗେରୁ ରଙ୍ଗ ଟିପଣା କରାଯାଏ । ପଟି ପସ୍ତୁତ ପରେ ଉକ୍ତ ପଟିରେ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଭୁବନେଶ୍ୱରୀଙ୍କ ପ୍ରତିକୃତି ଅଙ୍କନ କରାଯାଇଥାଏ । ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ନିକଟରେ ଖଟ ଉପରେ ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ, ଭୂଦେବୀ. ମାଧବ ଓ ଶ୍ରୀ ନୃସିଂହଙ୍କ ସହ ପଟିଦିଁଅଙ୍କୁ ପୂଜା କରାଯିବ । ପଣାପ୍ରିୟା ସାହିର ଚିତ୍ରକର ସେବକ ଦେବଦତ ମହାରଣାଙ୍କ ନେତୃତ୍ୱରେ ଋତୁରାଜ ମହାରଣା,ସୋନୁ ମହାରଣା,ପବନ କୁମାର ମହାରଣା, ରମେଶ ଚନ୍ଦ୍ର ମହାରଣା, ବିପିନ ମହାରଣା, ସଚ୍ଚିକାନ୍ତ ମହାରଣା, ବିକ୍ରମ ମହାରଣା,ଭୂବନ ମହାରଣା,ତୁଷାର ମହାରଣା,ରତିକାନ୍ତ ମହାରଣା, ଚନ୍ଦ୍ରଶେଖର ମହାରଣା ଓ ମାନସ କୁମାର ମହାପ୍ରଭୁଙ୍କ ପଟଚିତ୍ର ଅନନ୍ତ ନାରାୟଣ  ନିର୍ମାଣ କରୁଛନ୍ତି । ଶ୍ରୀବଳଭଦ୍ରଙ୍କ  ଅନନ୍ତ ବାସୁଦେବ ଓ ମା ଦେବୀ ସୁଭଦ୍ରାଙ୍କ ସ୍ଥାନରେ ପୂଜିତ ହେବାକୁ ଥିବା ମା ଭୁବନେଶ୍ୱରୀ ପଟଚିତ୍ରକୁ ଚିତ୍ରକର ସାହିର ରବି ଶଙ୍କର ମହାରଣାଙ୍କ ନିର୍ଦ୍ଦେଶନାରେ ଅନନ୍ତ ମହାରଣା, ମଦନ ମୋହନ ମହାପାତ୍ର, ରାକେଶ ମହାରଣା, ନିରଞ୍ଜନ ମହାପାତ୍ର, ଚିତରଞ୍ଜନ ମହାରଣା,ରାଜେନ୍ଦ୍ର କୁମାର ମହାରଣା ଓ ପ୍ରଭାକର ମହାରଣା ପ୍ରମୁଖ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ଅଣସର ସମୟରେ ଅଣସର ପିଣ୍ଡିରେ ଦଶଅବତାର ଚିତ୍ର ପୂଜିତ ହେବା ପରମ୍ପରା ରହିଛି । ପଟିଦିଅଁ ପ୍ରସ୍ତୁତ କରି ଚିତ୍ରକର  ସେବକମାନେ ନିଜକୁ ଧନ୍ୟ ମନେ କରନ୍ତି । 

Leave a Reply

Your email address will not be published. Required fields are marked *