ଚଳିତ ବାଲିଯାତ୍ରାରେ ମିଳିବ ନିଆରା ଅନୁଭୂତି

Spread the love

କଟକ: ସଜେଇ ହେଲାଣି ମେଳା ପଡିଆ । ପୁଣି ଜମିବ ଐତିହାସିକ ବାଲିଯାତ୍ରା। ରଙ୍ଗୀନ ଆଲୋକରେ ଝଲସିବ ମେଳା ପଡିଆ। ଆଉ ମେଳା ପଡ଼ିଆରେ ଆରମ୍ଭ ହୋଇ ଗଲାଣି ଷ୍ଟଲ ନିର୍ମାଣ କାର୍ଯ୍ୟ। ତେବେ ଏଥର ବାଲିଯାତ୍ରାରେ ୧୪ ଟି ରାଜ୍ୟର ହସ୍ତକଳା ଓ ହସ୍ତଶିଳ୍ପର ପସରା ମେଲିବ ଓରମାସ ବଜାରରେ । ଲେଜର୍ ଶୋ ଠାରୁ ଆରମ୍ଭ କରି କଟକ ଇନ କଟକ ପ୍ରମୁଖ ଆକର୍ଷଣ ପାଲଟିବ ବାଲିଯାତ୍ରାରେ। ଏହାଛଡା ଚାଲ ଯିବା କଟକ ବାଲିଯାତ୍ରାର ଥିମକୁ ନେଇ ବୁଲିବ ତିନୋଟି ପ୍ରଜ୍ଞାପନ ମେଢ଼। ଯାହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା ହେବ ରଙ୍ଗୀନ । ବାଣିଜ୍ୟିକ ମହାକୁମ୍ଭରେ ପ୍ରତିଦିନ  ଲକ୍ଷାଧିକ ଲୋକଙ୍କର ହେବ ଗହଳି ଚହଳି । ଚଳିତବର୍ଷ ମେଳାକୁ ସ୍ମରଣୀୟ କରିବା ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ଦର୍ଶକଙ୍କୁ ଆକର୍ଷିତ କଲା ଭଳି ପ୍ରଥମ କରି ମହାନଦୀରେ ଲେଜର୍ ଲାଇଟ ଶୋ ଠାରୁ ଆରମ୍ଭ କରି କଟକ ଇନ କଟକ ର ପରିକଳ୍ପନା ହାତକୁ ନେଇଛି ସିଏମସି। ମେଳା ପଡ଼ିଆରେ ଥିବା ୪00ରୁ ଅଧିକ ଗଛକୁ ଅତି ସୁନ୍ଦର ଭାବରେ ସଜାଯାଉଛି। ତେବେ ମେଳାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚେଇବା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଏଥର ବୁଲିବ ତିନୋଟି ପ୍ରଜ୍ଞାପନ ମେଢ଼ ।ଯାହାର ଥିମ ରହିଛି ଚାଲ ଯିବା କଟକ ବାଲିଯାତ୍ରା । ଆଉ ଏହି ପ୍ରଜ୍ଞାପନ ମେଢ଼କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ସିଏମସି ମେୟର।

ଏଥର ବାଲିଯାତ୍ରା ରେ ଦେଖିବାକୁ ମିଳିବ ୧୫୦୦ ରୁ ଅଧିକ ଷ୍ଟଲ । ଚାଲିବ କିଣା ବିକା, ଜମିବ ଲୋକଙ୍କ ଭିଡ଼। ଖାଇବା ପିଇବାର ମଜା ନେବେ ଲୋକେ। ଓରମାସ ପରିସରରେ ପଡ଼ିବାକୁ ଥିବା ୪୨୦ଟି ଷ୍ଟଲ ପାଇଁ ଚାଲିଛି ଦିନ ରାତି କାମ। ଓରମାସ ଷ୍ଟଲରେ ରାଜ୍ୟ ତଥା ବାହାରର ୧୪ଟି ରାଜ୍ୟର ହସ୍ତକଳା ଓ ହସ୍ତଶିଳ୍ପର ପସରା ମେଲାଇବେ। ମିଶନ ଶକ୍ତିଙ୍କ ଠାରୁ ଆରମ୍ଭ କରି ମହିଳା ସ୍ୱଂୟସହାୟକ ଗୋଷ୍ଠୀଙ୍କ ଉତ୍ପାଦର ବିକ୍ରି ହେବ ।ଯେଉଁଠି ୫ଟଙ୍କା ଠାରୁ ଆରମ୍ଭ କରି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ମିଳିବ। ଏହାଛଡା ଟେରାକୋଟା  ସାମଗ୍ରୀ ବିକ୍ରି ଉପରେ ଦିଆଯିବ ଅଧିକ ଗୁରୁତ୍ୱ ବୋଲି କହିଛନ୍ତି ଓରମାସ ଯୁଗ୍ମ ନିର୍ଦ୍ଦେଶକ ।

ମେଳା ବୁଲିବାକୁ ଆସୁଥିବା ଲୋକେ ଏଥର ବାଲିଯାତ୍ରାର ନେବେ ନୂଆ ଅନୁଭୂତି। କାରଣ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ନୂଆ ନୂଆ ଇଭେଣ୍ଟର ହୋଇଛି ଆୟୋଜନ।

ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *