ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଡରୁଛି କମିଶନରେଟ ପୁଲିସ

Spread the love

() ଭୟଙ୍କର ଷଡ଼ଯନ୍ତ୍ର। ଲୋକଙ୍କୁ ଚୂନ ଲଗାଇବାର ଅନେକ କାରସାଦି ଶୁଣିଥିବେ ଓ ଦେଖିଥିବେ। କିନ୍ତୁ ଜଣେ ଅଭିଯୁକ୍ତଙ୍କ ସବୁପ୍ରକାର କାରନାମା ପଦାରେ ପଡ଼ିବା ପରେ ବି ପୁଲିସ ତା ଦେହରେ ହାତ ମାରିପାରୁନି। ଏପରିକି ହାଇକୋର୍ଟଙ୍କ ନିର୍ଦେଶକୁ ବି କାର୍ଯ୍ୟକାରୀ କରିବାକୁ ପୁଲିସ କାହା ଚାପରେ ପଛଘୁଞ୍ଚା ଦେଉଛି, ତାକୁ ନେଇ ଉଠିଲାଣି ପ୍ରଶ୍ନବାଚୀ। ପୀଡ଼ିତ ସାଢେ ୫କୋଟି ଟଙ୍କାର ଠକେଇରେ ପଡ଼ିଛନ୍ତି। କିନ୍ତୁ ପୁଲିସରୁ ନେଇ ଓକିଲ ଯାଏ, ସମସ୍ତଙ୍କର ମିଲିଭଗତରେ କେମିତି ଅସାଧୁ କାମକୁ ପ୍ରୋତ୍ସାହନ ଦିଆଯାଉଛି, ଦେଖନ୍ତୁ ଏହି ରିପୋର୍ଟରେ।

୧୩ ମାସରେ ୨୦ କିସ୍ତିରେ ସାଢ଼େ ୫କୋଟିର ଚୂନ ଲଗାଇଦେଲା ଦୁର୍ବୃତ୍ତ। ପଟିଆ ଡିଏଲଏଫ ସାଇବର ସିଟିରେ ଲୁମେକ୍ସ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ ନାଁରେ ସଂସ୍ଥା ଖୋଲି ଆରମ୍ଭ କରିଥିଲା କାରସାଦି। ଜିନ୍ଦଲ, ହଳଦିଆ ପୋର୍ଟ ଭଳି ବଡ଼ ବଡ଼ ସଂସ୍ଥା ସହ କ୍ରୋମ୍ ସହ ଏକାଧିକ ବ୍ୟବସାୟ କରୁଥିବାର ମିଛ ଦସ୍ତାବିଜ୍ ଦେଖାଇ ନିବେଶକଙ୍କୁ ପୁଞ୍ଜି ଖଟାଇବାକୁ ପ୍ରଲୋଭନର ପାଲରେ ପକାଇବାକୁ ସକ୍ଷମ ହୋଇଥିଲେ କୁଆଡ଼େ ଏହି ଦମ୍ପତ୍ତି। ଆଉ ଏହାର ଶୀକାର ହୋଇଥିଲେ କଳାରାହାଙ୍ଗ ନନ୍ଦନବିହାରର ନିଶାରାଣୀ ମହାପାତ୍ର।

ଅବଶ୍ୟ ୧୩ ମାସ ଯାଏ ଉକ୍ତ ସଂସ୍ଥା ସୁଧ ଦେଇଚାଲିଥିଲା। ଆଉ ତା ପରେ ସୁଧ ଦେବା ବନ୍ଦ କରିଦେବା ପରେ ଭାଳେଣୀ ପଡ଼ିଥିଲା ନିବେଶକଙ୍କ ଭିତରେ। ଖୋଳତାଡ଼ ପରେ ସବୁ ଜାଲି ବୋଲି ଜାଣିବାକୁ ପାଇଥିଲେ ଜମାକାରୀ। ଠକେଇର ମାଷ୍ଟରମାଇଣ୍ଡ ହେଉଛନ୍ତି ରାଜୀବ ଲୋଚନ ଦାସ, ତାଙ୍କ ପତ୍ନୀ ସୋନିଆ ତ୍ରିପାଠୀ। ଏମାନଙ୍କ ସହ କାରସାଦିରେ ଆଉ ୩ ଜଣ ଥିବା ଅଭିଯୋଗ ହୋଇଛି। ହିମାଂଶୁ ପାଣିଗ୍ରାହୀ, ଉଷା ପାଣିଗ୍ରାହୀ ଓ ବିମଳ ପାଢ଼ୀ।

ହେଲେ ମାଷ୍ଟରମାଇଣ୍ଡ ଦମ୍ପତ୍ତିଙ୍କ ପାଖରେ ପହଞ୍ଚିବାକୁ ସାହସ କୁଳାଇପାରୁନି କମିଶନରେଟ ପୁଲିସ। ଏମିତିକି ଆଗ ଏତଲା ରୁଜୁ କରିବାକୁ ବି କୁନ୍ଥୁକୁନ୍ଥୁ ହେଉଥିବା ଦେଖି ବାଧ୍ୟ ହୋଇ ଅଭିଯୋଗକାରୀ କୋର୍ଟର ଦ୍ୱାରସ୍ଥ ହେବା ପରେ ପୁଲିସ ଏତଲା କଲା। ଦୁଇ ସପ୍ତାହ ଭିତରେ ଗିରଫ କରିବାକୁ କୋର୍ଟ ବି ନିର୍ଦେଶ ଦେଇଥିଲେ। କିନ୍ତୁ ଏମାନଙ୍କ ଦେହରେ ହାତ ମାରିପାରୁନି ପୁଲିସ। କୁଆଡ଼େ ମୁଖ୍ୟ ଅଭିଯୁକ୍ତ ଜଣେ ଆଇପିଏସ ଅଧିକାରୀଙ୍କ ସମ୍ପର୍କୀୟ ବୋଲି ଚର୍ଚ୍ଚା ହେଉଥିବାରୁ ଘଟଣାକୁ ନେଇ ଏତେ ତତ୍ପରତା ପୁଲିସ ଦେଖାଉନି। କେତେବଳେ କୁହାଯାଉଛି ଅଭିଯୁକ୍ତ ଫେରାର୍ ତ କେତେବେଳ କୁହାଯାଉଛି, କାଗଜପତ୍ର ନିରୀକ୍ଷଣ ଚାଲିଛି। ୧୫ ଦିନ ଭିତରେ ଆକ୍ସନ ନେବାକୁ ହାଇକୋର୍ଟ ଦେଇଥିବା ନିର୍ଦେଶକୁ ଦୁଇ ମାସ ପରେ ବି ଅନୁପାଳନ କରିପାରିନି କମିଶନରେଟ ପୁଲିସ।

ଲୁମେକ୍ସ ସଂସ୍ଥା ସହ ନିବେଶକଙ୍କର କୌଣସି ନେଣଦେଣ ନଗଦରେ ହୋଇନି। ନଗଦରେ ହୋଇଥିଲେ ହୁଏତ, ତଦନ୍ତ ସମୟ ସାପେକ୍ଷ। କିନ୍ତୁ ପୁଲିସ କାହାକୁ ନେଇ ତଦନ୍ତ କରୁଛି, ତାହା ହିଁ ବଡ଼ ପ୍ରଶ୍ନ। ଜମାକାରୀ ନିଜ ଟଙ୍କା ଫେରିପାଇବାକୁ ନା ବାଟ ବାହାର କରୁଛି ପୁଲିସ ନା ଅଭିଯୁକ୍ତର ଆକାଉଣ୍ଟକୁ ଜବତ୍ କରୁଛି। ତଦନ୍ତକୁ ପୁରା ଅନ୍ଧାରରେ କାହା ସ୍ୱାର୍ଥରେ ରଖାଯାଉଛି ବୋଲି ପ୍ରଶ୍ନ ଉଠୁଛି ସାଧାରଣରେ। ଏତିକିରେ ସରିନି ଏହି ଠକେଇ ଏପିସୋଡ୍। କୋର୍ଟରେ ମାମଲା ଚାଲୁଥିଲା ବେଳେ ଆଉ ଅଭିଯୁକ୍ତଙ୍କ ଅନ୍ତରୀଣ ଜାମିନ ଲାଗି ଆବେଦନ ପ୍ରକ୍ରିୟା ଭିତରେ କୁଆଡ଼େ ଅଭିଯୋଗକାରିଣୀଙ୍କ ସହ ସଂସ୍ଥାର ଆପୋଷ ବୁଝାମଣା ସରିଛି କହି ଅଭିଯୋଗକାରିଣୀଙ୍କ ଅଜାଣତରେ ଦୁଇ ଜଣ ଓକିଲ କୋର୍ଟକୁ ଭୁଲ୍ ତଥ୍ୟ ଦେଇ ଅକଳରେ ପଡ଼ିଛନ୍ତି।

କାରଣ ଆପୋଷ ବୁଝାମଣା ହୋଇଛି କି ନାଁ, ଅଭିଯୋଗକାରିଣୀଙ୍କ ଦସ୍ତଖତ ମେଳ ନେଇ କୋର୍ଟ ସତ୍ୟପାଠରେ ଦର୍ଶାଇବାକୁ କହିବାରୁ ଏତେ ବଡ଼ କାରସାଦି ପଦାରେ ପଡ଼ିଥିଲା। ସେଥିଲାଗି ତରବରିଆ ଭାବେ ଆପୋଷ ବୁଝାମଣା ସମ୍ପର୍କିତ ତଥ୍ୟକୁ କୋର୍ଟରୁ ପ୍ରତ୍ୟାହାର କରିନିଆଯାଇଥିଲା। ଆଉ ଅନ୍ତରୀଣ ଜାମିନ ବି ଖାରଜ ହୋଇଯାଇଛି କୋର୍ଟରେ। ତା ସତ୍ତ୍ୱେ ବି ଅଭିଯୁକ୍ତକୁ ବାନ୍ଧୁନି ପୁଲିସ। ଆଉ ଅଭିଯୋଗକାରୀ ସଂପୃକ୍ତ ଦୁଇ ଓକିଲଙ୍କ ବିରୁଦ୍ଧରେ ବାର୍ କାଉନସିଲ ଅଫ ଇଣ୍ଡିଆକୁ ଚିଠି ଲେଖି ଏଭଳି କାରସାଦିକୁ ନେଇ ଫେରାଦ୍ ହୋଇଛନ୍ତି।

ଚଞ୍ଚକତାର ସୀମା ଟପିସାରିଛି ଲୁମେକ୍ସ ସଂସ୍ଥା। ଆଉ ଏହାର ନିର୍ଦେଶକମଣ୍ଡଳୀ ଲୋକଙ୍କୁ ଚୂନ ଲଗାଇ ଯେମିତି ବେଫିକର। ଅନୁରୂପ ଭାବେ କମିଶନରେଟ ପୁଲିସ ବି ନ୍ୟାୟ ଦେବା ନାଁରେ ବେପରଓ୍ୱା। ହାଇକୋର୍ଟ ହୃଦବୋଧ କରିସାରିଛନ୍ତି, ଠକେଇ କେଉଁ ସ୍ତରର ହୋଇଛି। ହେଲେ ଏ ଯାଏ କମିଶନରେଟ ପୁଲିସ କେମିତି ବୁଝିପାରୁନି, ତାକୁ ନେଇ ସନ୍ଦେହ ଉପୁଜିଛି। ଯାହାକି ବିଡ଼ମ୍ୱନା।

କଟକରୁ ଦୀପ୍ତିରଞ୍ଜନ ଶତପଥୀ, ଚିତ୍ତରଞ୍ଜନ ସାମନ୍ତରାୟଙ୍କ ସହ ଭୁବନେଶ୍ୱରରୁ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *