ଭୋଟ୍ ପରର ହିଂସାକୁ ନେଇ ଥରହର ଧାମନଗର

Spread the love

() ରାତି ପାହିଲେ ରେଜଲ୍ଟ। କିନ୍ତୁ ତା ଆଗରୁ ଭୋଟ୍ ପରର ହିଂସାକୁ ନେଇ ଥରହର ହୋଇଛି ଧାମନଗର। ଖପରପଡ଼ା, ତିହିଡ଼ି ଓ ବୋଡ଼କରେ ରାଜନୀତିକ ହିଂସା ଦେଖାଦେଇଛି। ସେପଟେ ଧାମନଗର ଆସନ ନିଶ୍ଚିତ ସେମାନଙ୍କ ସପକ୍ଷରେ ଯିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଉଭୟ ବିଜେଡି ଓ ବିଜେପି। ଆଉ ରେଜଲ୍ଚ ଆସିବା ଆଗରୁ ଏକପ୍ରକାର ହାତ ଟେକିବା ମୁଦ୍ରାରେ କଂଗ୍ରେସ ଥିଲା ବେଳେ ରାଜୁ ଦାସଙ୍କ ଫ୍ୟାକ୍ଟର କେତେ ପ୍ରଭାବୀ ହୋଇଛି, ସକାଳୁ ସ୍ପଷ୍ଟ ହେବ।

ରବିବାର ଧାମନଗର ଫୈସଲା। କିନ୍ତୁ ତା ଆଗରୁ ଭୋଟ୍ ପରବର୍ତ୍ତୀ ହିଂସା ଅନେକ ଜାଗାରେ ଦେଖିବାକୁ ମିଳିଛି। ତିହିଡ଼ି, ଖପରପଦା ଓ ବୋଡ଼କରେ ରାଜନୈତିକ ହିଂସା ସୃଷ୍ଟି ହୋଇଛି। ବିଜେଡିର ୩୦ କର୍ମୀଙ୍କ ଅତର୍କିତ ଆକ୍ରମଣରେ ବିଜେପିର ଦୁଇଜଣ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କୁ ଭେଟିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ। ଖପରପଦାରେ ଲୋକଙ୍କ ଘରେ ପଶି ଆକ୍ରମଣ ହୋଇଛି। ବିଜେଡିକୁ ଭୋଟ ଦେଇନଥିବାରୁ ଏଭଳି ଆକ୍ରମଣ ହୋଇଥିବାର ଅଭିଯୋଗ ଆସୁଛି।

ସେପଟେ ଭୋଟ ପରବର୍ତ୍ତୀ ହିଂସାକୁ ନେଇ ଧାମନଗରରେ ଆଲୋଡ଼ନ ଖେଳିଥିଲା ବେଳେ ଫଳ କାହା ସପକ୍ଷରେ ଯିବ, ତାକୁ ନେଇ ଦମ୍ଭୋକ୍ତି ଓ ଦୃଢୋକ୍ତିର ସ୍ୱର ଶାଣିତ ହେଉଛି। ଧାମନଗରରେ ସୁନିଶ୍ଚିତ ବିଜୟ ବୋଲି ଉଭୟ ବିଜେଡି ଓ ବିଜେପି ଦମ୍ଭୋକ୍ତି ବାଢ଼ୁଛନ୍ତି। ନବୀନଙ୍କ ଉପରେ ଧାମନଗରବାସୀ ଭରସା କରିଛନ୍ତି। ମହିଳାଙ୍କ ଭୋଟ୍ ବଡ଼ ଫ୍ୟାକ୍ଟର ହେବ। ସେଥିଲାଗି ବିଜେଡି ବୃହତ ବ୍ୟବଧାନରେ ଜିତିବ ବୋଲି ଶାସକ ଦଳ କହିଥିଲା ବେଳେ ବିଜେପି ଦୃଢ଼ତାର ସହ କହିଛି, ଧାମନଗର ଜିତୁଛୁ। ଅବଶ୍ୟ ବ୍ୟବଧାନର ଗଣିତକୁ ଯାଇନି ବିଜେପି। ଆଉ ଉଭୟ ବିଜେଡି-ବିଜେପିର ଅର୍ଥବଳକୁ ଦାୟୀ କରି ଏହି ଲଢ଼େଇରେ ତୃତୀୟରେ ରହିବ ବୋଲି ସ୍ୱୀକାର କରିସାରିଲାଣି କଂଗ୍ରେସ। ତିନି ଦଳ ଭିତରେ ଆସନ ଅକ୍ତିଆର ଅଙ୍କକଷା ଭିତରେ ରାଜୁ ଦାସଙ୍କ ପ୍ରତି ଭୋଟ୍ ହାର କେତେ ରହିବ ଓ ଏହା କାହାକୁ ପ୍ରଭାବିତ କରିବ, ତା ଉପରେ ବି ନଜର।

ଧାମନଗର ଜନାଦେଶ କାହାକୁ ବାଜିଗର ସଜାଇବ। ଏହି ଫୈସଲା ଆଗରୁ ତିନି ପ୍ରମୁଖ ଦଳ ସମେତ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ଭିତରେ ସପକ୍ଷ ଜନମତର ହାରକୁ ନେଇ ସବୁଠି ଚର୍ଚ୍ଚା ସରଗରମ।

ଭଦ୍ରକରୁ ଶାନ୍ତନୁ ପଣ୍ଡା, ଧାମନଗରରୁ ସତ୍ୟବ୍ରତ ପ୍ରଧାନ ଓ ଭୁବନେଶ୍ୱରରୁ ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *