ପ୍ରଦୀପ ଜେନା ଯେମିତି ମେଳାପୀ ସେମିତି ଧୁରନ୍ଧର

Spread the love

() ମାର୍ଚ୍ଚ ପହିଲାରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ସମ୍ଭାଳିବେ ପ୍ରଦୀପ ଜେନା। ୧୯୮୯ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ କୁମାର ଜେନାଙ୍କ ଉପରେ ଆସ୍ଥାପ୍ରକଟ କରିଛନ୍ତି ସରକାର। ଏମିତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସାଙ୍ଗକୁ ଉନ୍ନୟନ କମିଶନର ଭାବେ ବେଶ୍ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି ପ୍ରଦୀପ। ଆଉ ସରକାରଙ୍କ ଗୁଡ୍ ବୁକରେ ଥିବା ତଥା ଅନ୍ୟତମ କ୍ରାଇସିସି ମ୍ୟାନେଜର ଭାବେ ପ୍ରଦୀପଙ୍କ ପଦୋନ୍ନତିକୁ ନେଇ କୌଣସି କେଁ ନଥିଲା।

୧୯୮୯ ବ୍ୟାଚ ଆଇଏଏସ ଅଧିକାରୀ ପ୍ରଦୀପ ଜେନା। ଉନ୍ନୟନ କମିଶନର ସାଙ୍ଗକୁ କୃଷି ଉତ୍ପାଦନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ଓସଡମାର ପରିଚାଳନା ନିର୍ଦେଶକ। କେବଳ ଦକ୍ଷ ଅଫିସର ନୁହଁନ୍ତି। ଯେତିକି ମେଳାପୀ ସେତିକି କାମରେ ଧୁରନ୍ଧର। ସେଥିଲାଗି ତ ଗୁଡ୍ ବୁକରେ ଥିବା ପ୍ରଦୀପଙ୍କୁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସରକାରଙ୍କ ଅନ୍ୟତମ କ୍ରାଇସିସ୍ ମ୍ୟାନଜେର ଭାବେ ପରିଚିତ ପ୍ରଦୀପ ମାର୍ଚ୍ଚ ପହିଲାରେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାର ସମ୍ଭାଳିବେ। ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରିବା ପରେ ପ୍ରଶାସନ ମୁଖ୍ୟ ପଦ ସମ୍ଭାଳିବେ ପ୍ରଦୀପ। ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ପ୍ରଦୀପ।

୧୯୬୪ ମସିହାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବାଲିଝାଟି ଗାଁରେ ଜନ୍ମିତ ପ୍ରଦୀପଙ୍କ କାନ୍ଧରେ ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। କଳାହାଣ୍ଡି, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି ପ୍ରଦୀପ। ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ଶକ୍ତି, ପଞ୍ଚାୟତିରାଜ, ବାଣିଜ୍ୟ, ପରିବହନ ଭଳି ଅନେକ ବିଭାଗକୁ ଲିଡ୍ କରିଛନ୍ତି ପ୍ରଦୀପ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ଫାଇଲିନ୍ ସମୟରେ ରେକର୍ଡ ଅବଧି ଭିତରେ ବିଜୁଳି ସେବା ପୁନର୍ବାହାଲ କରି ପ୍ରଶଂସାର ପାତ୍ର ହୋଇଥିଲେ। ବିପର୍ଯ୍ୟୟ ଆସିବା ମାତ୍ରେ ଖୋଜା ପଡ଼େ ପ୍ରଦୀପଙ୍କୁ। କାରଣ ବିପର୍ଯ୍ୟୟ ପରିଚାଳନାରେ ତାଙ୍କର ଯେଭଳି ଦକ୍ଷତା ଅଛି, ଆଉ କାହାର ନାହିଁ କହିଲେ ଭୁଲ୍ ହେବନି। ସେଥିଲାଗି ତ ରାଜ୍ୟର ବିକାଶରେ ଗୁଣ୍ଡୁଚି ମୂଷା ଭାବେ କାମ କରିବି ବୋଲି କହି ନମ୍ରତାର ପରିଚୟ ପୁଣି ଦେଇଛନ୍ତି ପ୍ରଦୀପ।

ପ୍ରଶାସନିକ ମୁଖ୍ୟ ଭାବେ ସର୍ବୋଚ୍ଚ ପଦରେ ବସିବାର ସ୍ୱପ୍ନ ସାକାର ହୋଇଛି ସତ। କିନ୍ତୁ ପ୍ରଦୀପଙ୍କ ଭଳି ନିଷ୍ଠା ଓ ଦାୟିତ୍ୱବାନ୍ ଅଧିକାରୀ ମୁଖ୍ୟ ସଚିବ ପଦରେ ବସିବା ପରେ ଆଶା କରାଯାଉଛି, ଅନ୍ୟ ଅଧିକାରୀ ତାଙ୍କୁ ତାଳ ଦେଇ ରାଜ୍ୟର ବିକାଶକୁ ଆଗେଇନେବେ। ସାଧାରଣ ଜନତା- ଅଧିକାରୀଙ୍କ ଭିତରେ ଦୂରତ୍ୱ ବଢ଼ୁଥିବା ପରିବେଶ ପ୍ରଦୀପଙ୍କ କାର୍ଯ୍ୟକାଳ ଭିତରେ ହଟିବ ବୋଲି ସଭିଏଁ ଆଶାବାଦୀ।

ଜ୍ୟୋତିମଞ୍ଜରୀ ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *