ଦେବସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ : ଆସନ୍ତା ୪ରେ ହେବ ମହାପ୍ରଭୁଙ୍କ ଦେବସ୍ନାନ ଯାତ୍ରା

Spread the love

ସାଲେପୁର : ନେମାଳ ମାହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଯାତ୍ରା ଅବସରରେ ଗତକାଲି ଏକ ପ୍ରସ୍ତୁତି ବୈଠକ ନେମାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ କମଳଜିତ୍ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଯୋଗଦେଇ ଦେବସ୍ନାନ ଯାତ୍ରାକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ବିଶେଷ କରି ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳ, ବିଦ୍ୟୁତ୍ ବ୍ୟବସ୍ଥା, ଟ୍ରାଫିକ୍ ବ୍ୟବସ୍ଥା, ଆଇନଶୃଙ୍ଖଳାରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଚିତ୍ରୋତ୍ପଳା ନଦୀରେ ଆବଶକୀୟ ପାଣି, ଶୃଙ୍ଖଳିତ ଦର୍ଶନ, ନିର୍ଦ୍ଧାରିତ ସମୟରେ ପ୍ରଭୁଙ୍କର ସେବା ପୂଜା, ପାକିଂ ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ବିଶେଷ କରି ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ବ୍ୟାପକ ପାନୀୟଜଳର ବ୍ୟବସ୍ଥା ସହିତ ଅଗ୍ନିଶମ ବାହିନୀ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ପ୍ରସ୍ତାବ ଆଗତ କରାଯାଇଥିଲା । ପୀଠ ଠାରୁ ୫ କି.ମି. ବ୍ୟାପୀ ଉଜ୍ଜଳ ଆଲୋକ ବ୍ୟବସ୍ଥା, ୱାନ୍ ୱେ ଗମନାଗମନ ବ୍ୟବସ୍ଥା ସଂପର୍କରେ ପ୍ରସ୍ତାବ ଆଗତ କରାଯାଇଥିଲା । ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥାକୁ ଯାତ୍ରା ସମୟରେ ଉପସ୍ଥିତ ରହି ସହଯୋଗ କରିବା ପାଇଁ ପ୍ରସ୍ତାବ ଦିଆଯିବା ସଙ୍ଗେ ସଙ୍ଗେ ଥଣ୍ଡା ପାନୀୟ ଜଳ ସିଂଚନ, ମାଗଣା ଅନ୍ନପ୍ରସାଦ ବଂଟନକାରୀଙ୍କୁ ଅଗ୍ରାଧିକାର, ବ୍ୟବସାୟ ନିମିତ ଦୋକାନ ବଜାର ଗୁଡିକୁ ଜାଗା ଚିହ୍ନଟ କରାଯାଇ ସ୍ଥାନ ପ୍ରଦାନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା ।

ଏହି ବୈଠକରେ କିଶୋରନଗର ତହସିଲଦାର ମଧୁସୂଦନ ନାୟକ, କଟକ ସଦର ବିଡିଓ ରାଜୀବ ଲୋଚନ ପରିଡା, ସହକାରୀ ଯନ୍ତ୍ରୀ ବିକାଶ କୁମାର ସାହୁ, ଡାକ୍ତର ପ୍ରିୟରଂଜନ ପତି, ସ୍ୱାସ୍ଥ୍ୟ ପରିଦର୍ଶକ ବସନ୍ତ କୁମାର ସାହୁ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଅନୀଲ କୁମାର ନାୟକ, ଅଗ୍ନିସମ ଅଧିକାରୀ ପ୍ରମୁଖ ବହୁ ଲୋକପ୍ରତିନିଧି, ସ୍ୱେଚ୍ଛାସେବୀ, ସରକାରୀ ପଦାଧିକାରୀ ଓ ଅଚ୍ୟୁତପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିଲେ । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠକୁ ଗମନାଗମନର ସୁବିଧା ନଥିବାରୁ ହଜାର ହଜାର ସାଧୁସନ୍ଥ ଓ ଶ୍ରଦ୍ଧାଳୁ ପୀଠକୁ ଆସିବାକୁ ବହୁ ହଇରାଣ ହରକତ ହେଉଥିବାରୁ ଏହି ପୀଠକୁ ସରକାରଙ୍କ ତରଫରୁ ମୋ ବସ୍ ଚଳାଚଳ କରାଇବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *