ଉପଯୁକ୍ତ ଓ ଯୋଗ୍ୟ ପ୍ରାର୍ଥୀ ଚୟନରେ ଲୋକସେବା ଆୟୋଗର ଗୁରୁଦାୟିତ୍ୱ ରହିଛି : ରାଜ୍ୟପାଳ

Spread the love

ଭୁବନେଶ୍ୱର : ଭାରତବର୍ଷର ପରିଚୟ କେବଳ ଏକ ଭୌଗୋଳିକ ସୀମାବଦ୍ଧ ରାଷ୍ଟ୍ରରେ ସୀମିତ ନୁହେଁ । ଏହା ଚଳନ୍ତି ଈଶ୍ୱର । ଏହି ପବିତ୍ର ଭୂମିର ସେବାରେ ନିୟୋଜିତ ହେବା ପାଇଁ ଉପଯୁକ୍ତ ତଥା ଯୋଗ୍ୟ ବ୍ୟକ୍ତି ଚୟନ ବିଶେଷ ଗୁରୁତ୍ୱ ବହନ କରେ । ସାମ୍ବିଧାନିକ ଅନୁଷ୍ଠାନ ଭାବେ ଲୋକସେବା ଆୟୋଗର ଏ ଦିଗରେ ଗୁରୁଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।

ଆଜି ସ୍ଥାନୀୟ ଏକ ତାରକା ହୋଟେଲ୍ ଠାରେ ଅନୁଷ୍ଠିତ ଓଡ଼ିଶା ଲୋକସେବା ଆୟୋଗ ପ୍ରତିଷ୍ଠାର ୭୫ ବର୍ଷ ପାଳନର ଉଦ୍ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରାର୍ଥୀ ଚୟନରେ ସ୍ୱଚ୍ଛତା ଅବଲମ୍ବନ ଉପରେ ଜୋର ଦେଇ ଏ ଦିଗ ପ୍ରତି ଲୋକସେବା ଆୟୋଗ ସର୍ବଦା ପ୍ରାଧାନ୍ୟ ଦେବା ସହିତ ଯୋଗ୍ୟତାକୁ ସମ୍ମାନ ଦେଇ ଏକ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ବ୍ରତୀ ରହିବ ବୋଲି କହିଥିଲେ । ପ୍ରାର୍ଥୀ ଚୟନ ସମୟରେ ସାଧୁତା, ଆଧ୍ୟାତ୍ମିକ ଚେତନା, ଆଚରଣରେ ଶୁଦ୍ଧତା, ଜନସେବା ପ୍ରତି ଆଭିମୁଖ୍ୟ ଓ ମନୋଭାବକୁ ଗୁରୁତ୍ୱ ଦିଆଯାଇ ଯୋଗ୍ୟ ଓ ଉତ୍ସର୍ଗୀକୃତ ପ୍ରାର୍ଥୀଙ୍କୁ ରାଜ୍ୟ ଏବଂ ରାଷ୍ଟ୍ରର ସେବାରେ ନିୟୋଜିତ କରାଗଲେ ସରକାରୀ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଂଚିପାରିବ ଓ ବିକାଶ ଏବଂ ପ୍ରଗତି ଅବଶ୍ୟମ୍ଭାବୀ ବୋଲି ରାଜ୍ୟପାଳ କହିଥିଲେ । ଓଡ଼ିଶା ଲୋକସେବା ଆୟୋଗର ପଚସ୍ତରୀୟ ବର୍ଷର ଇତିହାସ ଏହାର ପ୍ରତିବଦ୍ଧତାର ପରିଚୟ ଦେଉଛି ଓ ଆଗାମୀ ଦିନରେ ଆୟୋଗ ଯୋଗ୍ୟତା ଚୟନ କ୍ଷେତ୍ରରେ ଅଭିନବ ପଦକ୍ଷେପମାନ ଗ୍ରହଣ କରି ନିଜର ସମ୍ମାନ ବୃଦ୍ଧି କରିବା ସହିତ ଦେଶରେ ଏକ ପ୍ରମୁଖ ଲୋକସେବା ଆୟୋଗର ମାନ୍ୟତା ହାସଲ କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଆୟୋଗର ନୂତନ ଅନ୍ଲାଇନ୍ ନିଯୁକ୍ତି ପରିଚାଳନା ବ୍ୟବସ୍ଥା ଇ-ଚୟନର ଶୁଭାରମ୍ଭ କରିଥିଲେ ଓ ଆୟୋଗର ପ୍ରୟାସକୁ ପ୍ରଶଂସା କରିଥିଲେ ।

ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଡ. ସତ୍ୟଜିତ୍ ମହାନ୍ତି ଆୟୋଗର ପଚସ୍ତରୀ ବର୍ଷର ଦୀର୍ଘ ଯାତ୍ରା, ସଫଳତା ଓ ଆହ୍ୱାନ ସଂପର୍କରେ ସୂଚନା ପ୍ରଦାନ କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ଆୟୋଗର ସଦସ୍ୟା ଶ୍ରୀମତୀ ସରିତା ସୂପକାର ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟପାଳ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଆୟୋଗର ପାଂଚଜଣ ଅଧିକାରୀ ଓ କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ଆୟୋଗର ବର୍ତମାନ ସଦସ୍ୟ, ପୂର୍ବତନ ଅଧ୍ୟକ୍ଷ ଓ ସଦସ୍ୟ, ଅଧିକାରୀ ଓ କର୍ମଚାରୀଙ୍କ ସହ ବହୁ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *