ପାଳିତ ହେଲା ବିଶ୍ଵ ଜଳ ବୁଡି ନିରୋଧ ଦିବସ

Spread the love

ପୁରୀ : ପାଣିରେ କାହାର ଜୀବନ ନଯାଉ ଏଭଳି ଆଭିମୁଖ୍ୟ ରଖି ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଏବଂ ମିଳିତ ଜାତିସଂଘ ପ୍ରତିବର୍ଷ ଜୁଲାଇ ୨୫ ତାରିଖକୁ ବିଶ୍ଵ ଜଳବୁଡ଼ି ନିରୋଧ ଦିବସ ଘୋଷଣା କରିଛନ୍ତି । ଓଡ଼ିଶାରେ ପ୍ରତ୍ୟେକ ଦିନ ଜଣେରୁ ଅଧିକ ଓ ଭାରତରେ ୮୦ ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ କରୁଛନ୍ତି । ମିଳିତ ଜାତିସଂଘ ତଥ୍ୟ ମୁତାବକ, ପାଣିରେ ବୁଡ଼ିଯିବା ଦ୍ଵାରା ପ୍ରତିବର୍ଷ ୨ ଲକ୍ଷ ୩୬ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି । ଏହି ମୃତ୍ୟୁ ନିତିଦିନିଆ କାର୍ଯ୍ୟକଳାପ ସହିତ ଜଡିତ । ଯେପରିକି ଗାଧୋଇବା, ଘରୋଇ ବ୍ୟବହାର ପାଇଁ ପାଣି ସଂଗ୍ରହ, ଡଙ୍ଗା କିମ୍ବା ଘାଟରେ ପାଣି ଉପରେ ଯାତ୍ରା କରିବା ଇତ୍ୟାଦି । ସେହିପରି ମତ୍ସ୍ୟଜୀବୀମାନେ ମାଛ ମାରି ଯିବା ସମୟରେ ମଧ୍ୟ ବିପଦରେ ପଡିଥାନ୍ତି । ଏହି ଉପଲକ୍ଷେ ମଙ୍ଗଳବାର ପୁରୀ ବିଚ୍ ଲାଇଫ୍ଗାର୍ଡ ମହାସଂଘ ପକ୍ଷରୁ ବିଶ୍ଵ ଜଳବୁଡ଼ି ନିରୋଧ ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ଜୁଲାଇ ୨୫ ତାରିଖକୁ ବିଶ୍ଵ ଜଳବୁଡ଼ି ନିରୋଧ ଦିବସ ରୂପେ ପାଳନ କରାଯାଉଛି। ମଙ୍ଗଳବାର ପୁରୀ ବିଚ୍ ଲାଇଫ୍ଗାର୍ଡ ମହାସଂଘ ପକ୍ଷରୁ ବେଳାଭୂମିରେ ବିଶ୍ଵ ଜଳବୁଡ଼ି ନିରୋଧ ଦିବସ ପାଳନ କରାଯାଇଛି । ମହାସଂଘ ତରଫରୁ ଲାଇଫ ଗାର୍ଡ, ବିଭିନ୍ନ ସ୍ୱେଛାସେବୀ ଓ ବ୍ୟବସାୟୀ ଅନୁଷ୍ଠାନ, ସ୍କୁଲ କଲେଜ ଛାତ୍ର ଛାତ୍ରୀ, ହୋଟେଲ କର୍ମଚାରୀ ମିଶି ୧,୫୦୦ରୁ ଊର୍ଦ୍ଧ୍ଵ ଲୋକଙ୍କୁ ନେଇ ମାନବ ଶୃଙ୍ଖଳ କରାଯାଇଥିଲା। ଯାହା ପୁରୀ ସମୁଦ୍ର କୂଳରେ ଦେଢ଼ କିଲୋମିଟର ବ୍ୟାପି ରହିଥିଲା। ଏହା ଏକ ସର୍ବକାଳୀନ ରେକର୍ଡ଼ ବୋଲି ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘ ମୁଖ୍ୟ ଉପଦେଷ୍ଟା ସିଦ୍ଧାର୍ଥ ରାୟ ସୂଚନା ଦେଇଥିଲେ।

ଏହି ଅବସରରେ ଲାଇଫ ଗାର୍ଡ ମାନେ ସମୁଦ୍ରରେ ଉଦ୍ଧାର କୌଶଳ ଦେଖାଇ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆଗାମୀ ସମୟରେ ପୁରୀ ବିଚ୍ କୁ ସେଫ୍ଟି ବିଚ୍ ଭାବରେ ପରିଚିତ କରାଇବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି ବୋଲି ସୂଚନା ଦେବା ସହିତ ପ୍ରାରମ୍ଭିକ ପର୍ଯ୍ୟାୟରେ ପଚାଶ ଲକ୍ଷ ଟଙ୍କା ଅନୁଦାନ ରାଶି ରାଜ୍ୟ ସରକାର ପ୍ରଦାନ କରିଛନ୍ତି କହିଥିଲେ। ଯେଉଁଥିରେ ପୁରୀ ବିଚରେ ଲାଇଫ ଗାର୍ଡ଼ିଂ କରୁଥିବା ଲାଇଫ ଗାର୍ଡ ମାନଙ୍କୁ ଅତ୍ୟାଧୁନିକ ସାଜ ସରଞ୍ଜାମ ଯୋଗାଇ ଦିଆଯିବ। ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବରେ ହୁ (who)ର ଲାଇଫ ଗାର୍ଡ ସେଭିଂ କମିଟି ମେମ୍ବର ଜର୍ଜ ମାକାଶାରେ ଅନ୍ତରାଷ୍ଟ୍ରୀୟ ସ୍ତରରେ କିଭଳି ଭାବରେ ଲାଇଫ ସେଭିଂ କରାଯାଉଛି, ସେ ସମ୍ପର୍କରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବରେ ପୁରୀ ଉପ ଜିଲ୍ଲାପାଳ ଭବତରଣ ସାହୁ, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଭିକ୍ଟୋରିଆ କ୍ଳବ୍ ହୋଟେଲ ର ଏମ. ଡି ଦେବାଶିଷ କୁମାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠାନର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ମହାସଂଘର ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ମହାସଂଘ ତରଫରୁ ଜୀବନ ବ୍ୟାପି ସାଧନା ପାଇଁ ସ୍ବର୍ଗତ ଅଙ୍କ ନାରାୟଣଙ୍କୁ ମରଣତର ଭାବରେ ରତ୍ନାକର ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା। ସେହିପରି ଜୀବନ ବ୍ୟାପି ସାଧନା ପାଇଁ ଲାଇଫ ଗାର୍ଡ ପୁରୁଷୋତମ୍ ରାଓ, ଓଡ଼ି ମୋହନ, ନାଗଲ ନଚେୟା, ପୋକାଲ ଆରେୟା, ବି ଗୌରୟା, ଗୋବିନ୍ଦ ସହଦେବ ଙ୍କୁ ସମ୍ମାନିତ କରାଯାଇଥିଲା। ମହାସଂଘର ଲାଇଫ ଗାର୍ଡିଙ୍ଗ ସେବାରେ ମୃତ୍ୟୁ ବରଣ କରିଥିବା ୬ ଜଣ ଲାଇଫ ଗାର୍ଡ ପରିବାର ଲୋକଙ୍କୁ ମହାସଂଘ ତରଫରୁ ପ୍ରତ୍ୟେକ ପରିବାରଙ୍କୁ ୭୦ ହଜାର ଟଙ୍କା ଲେଖାଏଁ ସର୍ବମୋଟ ୪ ଲକ୍ଷ ୨୦ ହଜାର ଟଙ୍କା ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ମହାସଂଘ ସଭାପତି ବାଡ଼ି ଶିବ, ଉପସଭାପତି ବାଡ଼ି ଅରେୟା, ସମ୍ପାଦକ ପୋକାଲ୍ ହାରି, ସହ ସମ୍ପାଦକ ଜି. ରମେଶ ତଥା ହରଚଣ୍ଡି ଲାଇଫ ଗାର୍ଡ ଆସୋସିଏସନ୍, ସାଗର ତରଙ୍ଗ ଲାଇଫ ଗାର୍ଡ ଆସୋସିଏସନ୍, କାଳୀ ମା ଲାଇଫ ଗାର୍ଡ ଆସୋସିଏସନ୍, ଗୋଲ୍ଡେନ ଲାଇଫ ଗାର୍ଡ ଆସୋସିଏସନ୍, ସରସ୍ଵତୀ ଲାଇଫ ଗାର୍ଡ ଆସୋସିଏସନ୍ ଓ ଚକ୍ରତୀର୍ଥ ଲାଇଫ ଗାର୍ଡ ଆସୋସିଏସନ୍ ର କର୍ମକର୍ତା ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *