ଧାମନଗର: ଧାମନଗର ମୈଦାନରେ ଯୋଦ୍ଧା ପ୍ରସ୍ତୁତ। ତିନି ପ୍ରମୁଖ ଦଳର ପ୍ରାର୍ଥୀତ୍ୱକୁ ନେଇ ସ୍ପଷ୍ଟତା ଆସିସାରିଥିଲା ବେଳେ ବିଜେଡିରେ ବିଦ୍ରୋହର ଦାନା ବାନ୍ଧିଲାଣି। ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ପରବର୍ତ୍ତୀ ଗିତିବିଧି ଉପରେ ସମସ୍ତଙ୍କ ନଜର। ସେପଟେ ଆଜି କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିଥିଲା ବେଳେ ଆସନ୍ତାକାଲି ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିବେ। ଆଉ ତିନି ଦଳର ଦମ୍ଭୋକ୍ତି, ଧାମନଗର ହାତେଇବୁ।
ବାଲେଶ୍ୱର, ବ୍ରଜରାଜନଗର ଭଳି ଧାମନଗରରେ ସ୍ଥିତିର ପୁନରାବୃତ୍ତି ହେବନି। ଅର୍ଥ ବଳ, ବାହୁ ବଳ ଓ ସରକାରୀ କଳ ଲାଗି ଜିତୁଥିବା ବିଜେଡିକୁ ଏଥର ପ୍ରତିପାଦରେ ଜଗିବ ବିଜେପି। ବିଜେଡିରେ ରାଜେନ୍ଦ୍ର ଦାସଙ୍କ ବିଦ୍ରୋହରୁ ଦଳ ଫାଏଦା ନେବ ବୋଲି ଆଶା କରିଛି। ତା ସହ କାହାର ଦୁର୍ବଳତା ବିଜେପି ଲାଗି ମଉକା ନୁହେଁ ବୋଲି ବି କହିଛି ପଦ୍ମ କ୍ୟାମ୍ପ୍। ମହିଳା କାର୍ଡ ଖେଳିଲେ ବି ସୂର୍ଯ୍ୟବଂଶୀ ସୁରଜଙ୍କ ଭଳି ପ୍ରାର୍ଥୀ ନିରନ୍ତର ଜନସମ୍ପର୍କ ରଖିଆସିଛନ୍ତି। ତା ସାଙ୍ଗକୁ କେନ୍ଦ୍ରମନ୍ତ୍ରୀ ବି ପ୍ରଚାରକୁ ଆସିବେ। ସେଥିଲାଗି ଧାମନଗର ଆସନକୁ ପୁଣି ବିଜେପି ବଜାୟ ରଖିବ। ଆଚରଣ ବିଧି ଲାଗୁ ପରେ ଧାମନଗର ନିର୍ବାଚନମଣ୍ଡଳୀର ଦୁଇ ଜଣ ବିଡିଓଙ୍କ ବଦଳି କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛି ବିଜେପି।
ସେପଟେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଆଜି ନାମାଙ୍କନ ଭରିଛନ୍ତି। ପିସିସି ସଭାପତିଙ୍କ ସମେତ ଅନେକ ତୁଙ୍ଗ ନେତା ଧାମନଗରରେ ପହଞ୍ଚି ରାଲିରେ ଯାଇ ହରେକୃଷ୍ଣଙ୍କ ନାମାଙ୍କନ ପ୍ରକ୍ରିୟାରେ ସାମିଲ୍ ହୋଇଥିଲେ। ଉଚ୍ଚଶିକ୍ଷିତ, ସମାଜସେବୀ ଭାବରେ ହରେକୃଷ୍ଣ ଭଲ ଫାଇଟ୍ କରିବେ ବୋଲି ଆଶାବାଦୀ କଂଗ୍ରେସ। କ୍ଷମତାରେ ରହିବାକୁ ବିଜେଡି-ବିଜେପିର ସଲାସୁତୁରା ପଲିଟିକ୍ସର ବିକଳ୍ପ ସାଜିବ କଂଗ୍ରେସ। ବିଜେଡି ସହ ଟକ୍କର ହେବ।
ସେପଟେ ୧୪ରେ ବିଜେଡି ପ୍ରାର୍ଥୀ ଅବନ୍ତୀ ପ୍ରାର୍ଥୀପତ୍ର ଦାଖଲ କରିବେ। ଧାମନଗରବାସୀ ବିଜେଡି ସହ ଅଛନ୍ତି। ବିଜେଡି ଭଲ ବ୍ୟବଧାନରେ ଜିତିବ ବୋଲି କହିଛି ଦଳ। ଏଠାରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଲାଗି ବିଜେପି ଓ କଂଗ୍ରେସ ଭିତରେ ପ୍ରତିଯୋଗିତା ଚାଲିଛି।
ଧାମନଗର ମୈଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ବ୍ୟତୀତ ଯଦି ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ମୈଦାନକୁ ଓହ୍ଲାନ୍ତି, ତେବେ ହୁଏତ ବଡ଼ ଧରଣର ଗଣିତ ଓଲଟପାଲଟ ହେବାର ସମ୍ଭାବନାକୁ ଏଡ଼ାଇହେବନି।
ସତ୍ୟବ୍ରତ ପ୍ରଧାନଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now