ଜମୁଛି ପିକନିକ

Spread the love

()ଏବେ ଚାଲିଛି ପିକନିକ ଋତୁ । ବ୍ୟସ୍ତ ବହୁଳ ଜୀବନରୁ ଅବସର ସମୟ ବାହାର କରି ବଣ ଭୋଜି ଓ ନୂଆ ନୂଆ ସ୍ଥାନ ବୁଲିବାକୁ ପସନ୍ଦ କରୁଛନ୍ତି ପର୍ଯ୍ୟଟକ । ତେବେ କଟକ ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତ ଲୁଣା ନଦୀ କୂଳରେ ଥିବା ମା ରାମଚଣ୍ଡୀ ପୀଠ ଏବେ ଉପକୂଳ ଜିଲ୍ଲା ପାଇଁ ଏକ ପ୍ରମୁଖ ବଣ ଭୋଜି ର ସ୍ଥାନ ପାଲଟିଛି ।

କୁଳୁକୁଳୁ ନାଦରେ ବହି ଯାଉଛି ଲୁଣା ନଦୀର ଜଳ, ନଦୀ ପଠାରେ ବିରାଜିତ ମା ରାମଚଣ୍ଡୀ । ହଁ ଆଜ୍ଞା ଆମେ କହୁଛୁ ଖଣ୍ଡ ହସ୍ତ ବିଭୁଷିତା ମା ରାମଚଣ୍ଡୀ ପୀଠର କଥା। କଟକ ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତ ବାହାରବମ୍ପୁର ଏହି ପୀଠକୁ ଯିବା ପାଇଁ ହେଲେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଅସୁରେଶ୍ୱର ଛକରୁ କଟିକଟା-ଜଇପୁର ପୂର୍ତ୍ତ ବିଭାଗ ରାସ୍ତା ଦେଇ ଯିବାକୁ ପଡ଼ିବ । ଲୁଣା ନଦୀର ଦକ୍ଷିଣ ପାର୍ଶ୍ଵ ବନ୍ଧ କଡ଼ରେ ଅବସ୍ଥିତ ମାଙ୍କ ପୀଠ ପରିସରରେ ଥିବା ବୃକ୍ଷ ରାଜି ପକୃତିର ଶୋଭାକୁ ଆହୁରି ଅଳଙ୍କୃତ କରିବାରେ ସହାୟକ ହେଉଛି। ସକାଳର ସୁର୍ଯ୍ୟ କିରଣ ହେଉ ଅବା ମଧ୍ୟାହ୍ନ ଅବା ସାୟାହ୍ନ, ସୂର୍ଯ୍ୟକିରଣ ମା ରାମ ଚଣ୍ଡୀଙ୍କ ମନ୍ଦିର ବେଢା ହିଁ କେବଳ ସ୍ପର୍ଶ କରିବାରେ ସକ୍ଷମ ହୁଏ , ମନ୍ଦିରଟି ଫୁଙ୍ଗୁଳା କାନ୍ଥ ଥିଲେ ହେଁ ସୁର୍ଯ୍ୟ କିରଣ ମା ଙ୍କ ଶାଶ୍ୱତ ପ୍ରତିମୂର୍ତ୍ତିକୁ ସ୍ପର୍ଶ କରି ପାରେ ନାହିଁ ।

ମା ଙ୍କ ପୀଠରେ ଆମିଷ ଭୋଗ ଯଥା ମାଛ ଆଉ ଛାଗ ବଳି ଭୋଗ ଲାଗି ହେଉଥିବାରୁ ଦୂର ଦୂରାନ୍ତରୁ ନିଜର ମାନସିକ ପୂରଣ କରିବା ପାଇଁ ଏଠାକୁ ପରିବାର ସହିତ ଆସନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ମାନେ । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ମା ରାମଚଣ୍ଡୀ ନଦୀ ପଠାର ଏକ ବରଗଛ କୋରଡରେ ପୂଜା ପାଉଥିଲେ । ସମୟକ୍ରମେ ମାଙ୍କ ପାଇଁ ମନ୍ଦିର ନିର୍ମାଣ ସହିତ ଜଳସମ୍ପଦ ବିଭାଗ ପକ୍ଷରୁ ନଦୀ ପଠା ସଂରକ୍ଷଣ ନିମନ୍ତେ ପଥର ପ୍ୟାକିଂ କରଯାଇଥିଲା । MGNREGS ରେ ୩୦୦୦ରୁ ଉର୍ଦ୍ଧ୍ବ ଵୃକ୍ଷ ରୋପଣ କରାଯାଇଛି। ଫଳସ୍ୱରୂପ ମା ରାମଚଣ୍ଡୀ ପୀଠ ଏବେ ବଣ ଭୋଜିର ପ୍ରମୁଖ ପସନ୍ଦ ପାଲଟିଛି ଉପକୂଳ ଜିଲ୍ଲା ପାଇଁ । ଯାଜପୁର ,ପୁରୀ ,କେନ୍ଦ୍ରାପଡା ,ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାର ପର୍ଯ୍ୟଟକମାନେ ପ୍ରତ୍ୟେକ ଦିନ ଏଠାରେ ବଣଭୋଜି କରିବାକୁ ଆସୁଛନ୍ତି। ଖାଲି ସେତିକି ନୁହେଁ ପୁରାତନ ଛାତ୍ର ଛାତ୍ରୀ ମାନେ ବନ୍ଧୁ ମିଳନ ପାଇଁ ରାମଚଣ୍ଡୀ ପୀଠକୁ ପସନ୍ଦ କରୁଛନ୍ତି।

ଆଶୀଷ ପଣ୍ଡା

Leave a Reply

Your email address will not be published. Required fields are marked *