ଲଘୁ ଖଣିଜ ପଦାର୍ଥର ଉତ୍ପାଦନ ଓ ପରିଚାଳନା ନେଇ ସମୀକ୍ଷା ବୈଠକ

Spread the love

ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲାରେ ଖଣି ଅଧିକାରୀମାନଙ୍କ ମୁତୟନ ଏବଂ କାର୍ଯ୍ୟ କରିବାକୁ ସୁନିଶ୍ଚିତ କରିବା ଏବଂ କାର୍ଯ୍ୟକାରୀ ଥିବା ଖଣିଜ ପଦାର୍ଥ ଉତ୍ସଗୁଡ଼ିକର ଯଥାଶୀଘ୍ର ହସ୍ତାନ୍ତର ନିମନ୍ତେ ଇସ୍ପାତ ଓ ଖଣି ଏବଂ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି । ଇସ୍ପାତ ଓ ଖଣି ବିଭାଗର ସମ୍ମିଳନୀ କକ୍ଷରେ ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ଉତ୍ପାଦନ ଓ ପରିଚାଳନା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗଠାରୁ ଇସ୍ପାତ ଓ ଖଣି ବିଭାଗକୁ ହସ୍ତାନ୍ତର ହେଲାପରେ ଏହାର ବର୍ତମାନର ସ୍ଥିତି ଓ କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ରାଜ୍ୟରେ କେନ୍ଦ୍ର ସରକାରୀ ତଥା ରାଜ୍ୟ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ହେଉଥିବା ଅନେକ ନିର୍ମାଣ, ଜନହିତକର କାର୍ଯ୍ୟଗୁଡ଼ିକର ସମାପନ ତଥା ସାଧାରଣ ବ୍ୟକ୍ତିବିଶେଷଙ୍କ ଗୃହନିର୍ମାଣ ଏବଂ ଅନ୍ୟ କାର୍ଯ୍ୟରେ ବ୍ୟବହାର ନିମନ୍ତେ ଲଘୁ ଖଣିଜ ଦ୍ରବ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହାର ଅବିରତ ଉତ୍ପାଦନ ଏବଂ ଉପଲବ୍ଧ ହେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିବାରୁ ବିଭାଗ ଏଥି ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଲଘୁ ଖଣିଜ ଦ୍ରବ୍ୟର ଚୋରାଚାଲାଣ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଆରକ୍ଷୀ ସହାୟତା ପ୍ରଦାନ କରିବାକୁ ଅନୁଦେଶ ଦେଇଥିଲେ ।

 ମନ୍ତ୍ରୀ ଇସ୍ପାତ ଓ ଖଣି ବିଭାଗର ବିଗତ ବର୍ଷର କାର୍ଯ୍ୟକୁ ରାଜ୍ୟର ରାଜସ୍ୱ ବୃଦ୍ଧି କ୍ଷେତ୍ରରେ ଉତ୍ସାହଜନକ ପଦକ୍ଷେପ ବୋଲି ଅଭିହିତ କରିବା ସହିତ ଏହି କାର୍ଯ୍ୟଦକ୍ଷତା କାରଣରୁ ଲଘୁ ଖଣିଜ ପଦାର୍ଥର ପରିଚାଳନାର ଭାର ଏହି ବିଭାଗକୁ ଅର୍ପିତ କରାଯାଇଥିବା ଜଣାଇଥିଲେ । ସମସ୍ତ କାର୍ଯ୍ୟକାରୀ ଉତ୍ସଗୁଡ଼ିକର ହସ୍ତାନ୍ତର ପ୍ରକ୍ରିୟା ସମାପନ ସହିତ ଉତ୍ସ ନିଲାମଧାରୀମାନଙ୍କୁ ଇ-ପାସ ପ୍ରଦାନ ଏବଂ ନିଲାମ ହେବାକୁ ପ୍ରସ୍ତୁତ ଥିବା ଉତ୍ସଗୁଡ଼ିକର ବୈଷୟିକ ଔପଚାରିକତା ଚୂଡ଼ାନ୍ତ କରି ଏହାକୁ ବିଧିବଦ୍ଧ ଭାବରେ ନୂତନ ସଂଶୋଧିତ ଆଇନ ଅନୁଯାୟୀ ଇ-ନିଲାମ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟକାରୀ କରି ରାଜସ୍ୱ ବୃଦ୍ଧି କରିବା ନିମନ୍ତେ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତ୍ୟେକ ମାସରେ ଏହି ବିଷୟରେ ପ୍ରଗତିର ଅନୁଧ୍ୟାନ କରାଯାଇ  ମନ୍ତ୍ରୀଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯିବ ବୋଲି ପ୍ରକାଶ କରିଥିଲେ ।

ଏହି ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଖଣି ଉପଦେଷ୍ଟା, ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶକ, ରାଜ୍ୟ ଲଘୁ ଖଣିଜ ନିର୍ଦ୍ଦେଶକ ଏବଂ ସମସ୍ତ ବିଭାଗୀୟ ଏବଂ ବିତୀୟ ଅଧିକାରୀ ଉପସ୍ଥିତି ଥିଲେ ।

Leave a Reply

Your email address will not be published. Required fields are marked *