() ଅନ୍ତୋଦୟ ଅନ୍ନ ଯୋଜନାର ନାମ ବଦଳାଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କରିଛି କେନ୍ଦ୍ର ସରକାର । ଏହାସହ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ କେନ୍ଦ୍ରର ବୋଲି ମିଳିବ ରସିଦ । ଯାହାକୁ ନାପସନ୍ଦ କରିଛନ୍ତି ବିରୋଧି । କେନ୍ଦ୍ର ସରକାର ଲୋକଙ୍କ କଲ୍ୟାଣ କମ, ନିଜ ପ୍ରଚାର ପାଇଁ ଏସବୁ ଅଧିକ କରୁଥିବା ବିଜେଡ଼ି କହିଛି। ଯାହାର କଡା ଜବାବ ରଖିଛି ବିଜେପି । ଏପଟେ କଂଗ୍ରେସ ସରକାର ଅମଳରେ ହୋଇଥିବା ଯୋଜନାକୁ ନେଇ ଉଭୟ ଦଳ ରାଜନୀତି କରୁଥିବା କହିଛି କଂଗ୍ରେସ ।
ବଦଳିଲା ଯୋଜନାର ନାଁ । ଚାଉଳରେ ଲାଗିବ କେନ୍ଦ୍ରର ଚିହ୍ନ । ନାପସନ୍ଦ କଲା ବିଜେଡି । ବିଜେପି କହିଲା କେନ୍ଦ୍ର ନିଜସ୍ୱ ଯୋଜନାକୁ ବ୍ରାଣ୍ଡିଂ କରିବାରେ ଅସୁବିଧା ନାହିଁ। ଉଭୟ ଦଳକୁ କଂଗ୍ରେସର ସମାଲୋଚନା । ବୁଧବାର ଅନ୍ତୋଦୟ ଅନ୍ନ ଯୋଜନାର ନାମ ବଦଳାଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କରିଛି କେନ୍ଦ୍ର । ପୂର୍ବରୁ ଅନ୍ତଦ୍ୱୟ ଅନ୍ନ ଯୋଜନାରେ କେନ୍ଦ୍ର ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ୨ଟଙ୍କା ୯୧ ପଇସା ଦେଉଥିଲା । ଏହାସହ ହିତାଧିକାରୀଙ୍କୁ ୧ ଟଙ୍କା ଦେବାକୁ ପଡୁଥିଲା । ହେଲେ ଏବେ ମୁଣ୍ଡ ପିଛା ୫ କେଜି ମାଗଣା ଚାଉଳ ସମ୍ପୁର୍ଣ୍ଣ ମାଗଣା ଦେବ କେନ୍ଦ୍ର । ଚାଉଳ ଦେଲା ବେଳେ କେନ୍ଦ୍ର ଆଡୁ ରସିଦ ମିଳିବ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି ବ୍ରାଣ୍ଡିଙ୍ଗ ରାଜନୀତି ।
ଏହାକୁ ବିରୋଧ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । କେବଳ ନିଜ ପ୍ରଚାର ପାଇଁ କେନ୍ଦ୍ର ସରକାର ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ସମସ୍ତ ଆର୍ଥିକ ଅନଗ୍ରସରଙ୍କୁ ଚାଉଳ ମିଳିବ। ହେଲେ ରାଜ୍ୟ ବାରମ୍ୱାର ନୂଆ ହିତାଧିକାରୀଙ୍କ ନାମ ଯୋଡିବା ପାଇଁ କହିଲା ପରେ ମଧ୍ୟ କେନ୍ଦ୍ର ଯୋଡୁନାହିଁ । ଯାହା ଫଳରେ ରାଜ୍ୟକୁ ନିଜସ୍ୱ ଯୋଜନା କରିବାକୁ ପଡୁଛି । ଏପଟେ ରାଜ୍ୟ ନିଜ ଯୋଜନାରେ ୯ ଲକ୍ଷ ଲୋକଙ୍କୁ ଚାଉଳ ଦେଇ ପ୍ରଥମେ ବ୍ରାଣ୍ଡିଙ୍ଗ କରୁଥିବା ବିଜେପି କହିଛି। ତେଣୁ କେନ୍ଦ୍ର ଯୋଜନାରେ ନିଜର ବ୍ରାଣ୍ଡିଙ୍ଗ କରିବାରେ ଅସୁବିଧା କେଉଁଠି ବୋଲି ପାଲଟା ପ୍ରଶ୍ନ କରିଛି । ଏପଟେ କଂଗ୍ରେସ କହିଛି ମାଗଣା ଚାଉଳ ଦେବା କଂଗ୍ରେସ ସରକାରଙ୍କ ଯୋଜନା । ହେଲେ ବିଜେପି ଓ ବିଜେଡି ନିଜର କହି ପ୍ରଚାର କରୁଛନ୍ତି ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ହିତାଧିକାରୀଙ୍କୁ ଖାଦ୍ୟ ଦେବା କେନ୍ଦ୍ରର ଦାୟୀତ୍ୱ । ନାମ ପରିବର୍ତ୍ତନ କରିବାରେ କୈଣସି ଅସୁବିଧା ନାହିଁ । ହେଲେ ବିଭିନ୍ନ ରାଜ୍ୟ ନିଜ ନିଜ ନାଁରେ ପ୍ରଚାର କରିବା ପରେ କେନ୍ଦ୍ର ନିଜର ନାଁ ଦେବାକୁ ବାଧ୍ୟ ହୋଇଛି । କାରଣ ଏହାର ଫାଇଦା ବିଜେପିକୁ ଉତ୍ତର ପ୍ରଦେଶ ଓ ବିହାର ନିର୍ବାଚନରେ ମିଳିଛି । ତେଣୁ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜେପି ଏପରି କରି ଥାଇପାରେ ବୋଲି କହିଛନ୍ତି ବରିଷ୍ଠ ସାମ୍ୱାଦିକ । କିନ୍ତୁ ଏହାର ବିଶେଷ ପ୍ରଭାବ ଓଡ଼ିଶାରେ ପଡିବ ନାହିଁ ବୋଲି ମତ ଦେଇଛନ୍ତି।
ତେବେ ମାଗଣା ଚାଉଳ ରାଜନୀତି ସରି ନଥିବା ବେଳେ ପୁଣି ଆରମ୍ଭ ହୋଇଗଲା ବ୍ରାଣ୍ତିଙ୍ଗକୁ ନେଇ ତୁତୁ ମେମେ । ଏପରି ସ୍ଥଳେ ମାଗଣା ଚାଉଳରୁ କେଉଁ ଦଳ ଫାଇଦା ନେବ ତାହା ସମୟ କହିବ ।
ନବ କିଶୋର ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now