ରଥ ନିର୍ମାଣରେ ରୂପକାର ସେବକ

Spread the love

ପୁରୀ : ରଥକାଠରେ ଜୀବନ୍ତ ଭାବେ ମୂର୍ତି ଖୋଦେଇ କରୁଛନ୍ତି ରୂପକାର ସେବକ । ନୃସିଂହ ଚତୁର୍ଦ୍ଦଶୀ ଦିନ କୋଣ ଗୁଜ ଅନୁକୂଳ ଶୁଭାରମ୍ଭ ହୋଇଥାଏ । ସେହିଦିନ ଠାରୁ ରୂପକାର ସେବକମାନେ କୋଣ ଗୁଜରେ ନର ବିରାଳ, ସିଂହ ବିରାଳ, ହସ୍ତୀ ବିରାଳ ଖୋଦେଇ କରୁଛନ୍ତି । ରୂପକାର ସେବକଙ୍କୁ ମଧ୍ୟ ସ୍ଥାପତ୍ୟ ମହାରଣା କୁହନ୍ତି । ରୂପକାର ସେବକମାନେ ଅକ୍ଷୟ ତୃତୀୟାରେ ଶାଢି ବନ୍ଧାଇଥାନ୍ତି । ତିନି ରଥର କୋଣ ଗୁଜ, ପଟ୍ଟ ଗୁଜ, ଖମ୍ବି, ନାଟ ଗୋଡ଼, ତାରି ପରିଚ୍ଛା, ସିଂହାସନ, ପ୍ରଭା ଓ ମୁହାଁଟରେ ଖୋଦେଇ କରନ୍ତି । ପଟ୍ଟା ଗୁଜରେ ଗଜ ବିରାଳ, ନାଟ ଗୋଡ଼ରେ ସିଂହ ବିରାଳ ଏହାସହ ରଥର ବିଭିନ୍ନ ସ୍ଥାନରେ ଡ଼ାଳି ଲତା ଖୋଦେଇ କରିଥାନ୍ତି । ନବକଳେବର ସମୟରେ ନୂଆ ସାରଥୀ, ଘୋଡ଼ା, ପାଶ୍ୱର୍ ଦେବତା, ଋଷି, ସଖୀ, ଓଲଟ ଶୁଆ ଓ କଲସ ଆଦି ଦିର୍ମାଣ କରିଥାନ୍ତି । ରଥରେ ଘୋଡ଼ା ଯୋଚିବା ଓ ଖୋଲିବା ମଧ୍ୟ ରୂପକାର ସେବକମାନେ କରିଥାନ୍ତି । ବଡ଼ ଭାଇ ଶ୍ରୀବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥର ମୁଖ୍ୟ ରୂପକାର ହେଉଛନ୍ତି ଗଣେଶ୍ୱର ମହାପାତ୍ର । ତାଙ୍କ ବାଡ଼ରେ ୮ଜଣ ରୂପକାର ଖୋଦେଇ କାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନରସିଂହ ମହାପାତ୍ର, ପଞ୍ଚାନନ ମହାପାତ୍ର, ଦୀପକ ମହାପାତ୍ର, ମନୋରଞ୍ଜନ ମହାପାତ୍ର, ସତ୍ୟରଞ୍ଜନ ମହାପାତ୍ର, ଚିତରଞ୍ଜନ ମହାପାତ୍ର । ସେହିପରି ସାନଭାଇ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ମୁଖ୍ୟ ରୂପକାର ହେଉଛନ୍ତି ଲିଙ୍ଗରାଜ ମହାପାତ୍ର । ତାଙ୍କ ବାଡ଼ରେ ୭ଜଣ ରୂପକାର କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ରାଜେନ୍ଦ୍ର କୁମାର ମହାପାତ୍ର, କାହ୍ନୁଚରଣ ମହାପାତ୍ର, ସନ୍ତୋଷ ମହାପାତ୍ର, ଜଗନ୍ନାଥ ମହାପାତ୍ର, ଶୁଭମ ମହାପାତ୍ର, ପ୍ରକାଶ ମହାପାତ୍ର । ଦେବୀ ମା ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ରୂପକାର ସେବକ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ତାଙ୍କ ବାଡ଼ରେ ୪ଜଣ ରୂପକାର ସେବକ କାର୍ଯ୍ୟ କରୁଛନ୍ତି । ହରିହର ମହାପାତ୍ର, ରାଜଶ୍ୱର ମହାପାତ୍ର ଓ ସୁନିଲ ମହାପାତ୍ର । ସମସ୍ତ ରୂପକାର ସେବକମାନେ ନିଷ୍ଠା, ଭକ୍ତି ଓ ଏକାଗ୍ରତା ସହ ହବିଷ୍ୟ ପାଳନ କରି ତିନି ରଥ କାର୍ଯ୍ୟରେ ଲାଗିଛନ୍ତି । ଏଥିରେ ମଧ୍ୟ ରୂପକାରଙ୍କ ଛୋଟ ଛୋଟ ରୂପକାର ପିଲାମାନେ ରଥ ଖଳାରେ କୋଣ ଗୁଜ ଓ ଖୋଦେଇ କାମ କରୁଛନ୍ତି । ସେମାନଙ୍କ ମନ ଆଗ୍ରହ ସହ ଭକ୍ତି ଭାବରେ ନିମଗ୍ନ ରହି ମହାପ୍ରଭୁଙ୍କ ରଥ କାମ କରୁଛନ୍ତି ଓ ଶିଖୁଛନ୍ତି । ମହାପ୍ରଭୁଙ୍କ ରଥକାମ ରୂପକାରମାନେ ପିଢ଼ି ପରେ ପିଢ଼ି କରି ଆସୁଛନ୍ତି । ଖରା, ବର୍ଷା ସହ ଯେତେ ଦୁଃଖ କଷ୍ଟ ଥିଲେ ମଧ୍ୟ ସେମାନେ ମହାପ୍ରଭୁଙ୍କ ପାଖରେ ସମର୍ପଣ ଭାବ ରଖି କାର୍ଯ୍ୟ କରୁଛନ୍ତି । ରଥ ନିର୍ମାଣର ସୌନ୍ଦର୍ଯ୍ୟକରଣ ରୂପକାର ସେବାୟତଙ୍କ ଦ୍ୱାରା ସମାହିତ ହୋଇଥାଏ । ଖୋଦେଇ ଚିତ୍ର ଗୁଡ଼ିକ ଚିତ୍ରକର ସେବାୟତଙ୍କ ଦ୍ୱାର ରଙ୍ଗ କରାଯିବା ପରେ ତାହା ଅଧିକ ଆକର୍ଷଣୀୟ ହୋଇଥାଏ । ରୂପକାର ସେବକମାନେ କୁହନ୍ତି ମହାପ୍ରଭୁଙ୍କ ମହିମା ଯୋଗୁଁ ଖୋଦେଇ ସମୟରେ କେତେ ସମୟ କାର୍ଯ୍ୟ କରୁଛୁ ତାହା ଅନୁଭବ କରି ହୋଇନଥାଏ । ମହାପ୍ରଭୁଙ୍କ କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ରୂପକାର ସେବକମାନେ ନିଜକୁ ଧନ୍ୟ ମନେ କରୁଛନ୍ତି ।

Leave a Reply

Your email address will not be published. Required fields are marked *