ସାଲିଆ ସାହିରେ ଉଛେଦ ଅଭିଯାନ ଜାରି ରହିଛି। ଏକାମ୍ରକାନନରୁ ଅନ୍ଧାରୁଆ ପର୍ଯ୍ୟନ୍ତ ୧୩ କିଲୋମିଟର ରାସ୍ତା ଲାଗି ବିଏମସି ଓ ବିଡିଏର ବୁଲଡୋଜର ବୁଲୁଛି। ୨୪ ତାରିଖ ଯାଏଁ ଏହି ଅଭିଯାନ ଜାରି ରହିବ। ୫ଶହରୁ ଉର୍ଦ୍ଧ୍ୱ ଘରକୁ ଉଛେଦ କରାଯିବ। ତେବେ ଥଇଥାନ ନ କରି ବନ୍ଧୁକ ମୁନରେ ଏମିତି ଉଛେଦକୁ ବିରୋଧ କରୁଛନ୍ତି ବସ୍ତିବାସିନ୍ଦା। ପ୍ରଶାସନର ଜୋରଜୁଲୁମକୁ ପ୍ରତିବାଦ କରିଛନ୍ତି। ଆଉ ଅନେକ ପ୍ରଶାସନର ବୁଝାସୁଝା ପରେ ଯଦିଓ ନିଜ ଆଡ଼ୁ ଘର ଛାଡ଼ିଛନ୍ତି। କିନ୍ତୁ ଅନେକ ନିଜ ଜିଦରେ ଏବେ ବି ଅଡ଼ି ବସିଛନ୍ତି। ପୁଲିସକୁ ଲଗାଇ ପ୍ରଶାସନର ଏଭଳି ମନୋଭାବକୁ ନିନ୍ଦା କରି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଗଣବିକ୍ଷୋଭ ହୋଇଛି। ନିର୍ବାଚନ ବେଳେ ପ୍ରତି ବାସହରାଙ୍କୁ ୬ଶହ ବର୍ଗଫୁଟ ଜାଗା ଦେବାକୁ କୁଆଡ଼େ ପ୍ରତିଶୃତି ଦିଆଯାଇଥିଲା। ହେଲେ ଏହାକୁ କାର୍ଯ୍ୟକାରୀ କରାଗଲାନି। ୨ ଶହ ଫୁଟିଆ ରାସ୍ତା ସିଧା ନ ନେଇ ବଙ୍କା ନେଲେ ସରକାର। କାଳେ ଲୋକଙ୍କୁ ଉଛେଦ କଲେ ଥଇଥାନ କରିବାକୁ ପଡ଼ିବ ବୋଲି ଏହି ଆଶଙ୍କାରେ ସରକାର ଏବେ ଜୋରଜୁଲୁମ କଲେ। ଅଦାଲତରେ ମାମଲା ବିଚାରାଧୀନ ଥିଲା ବେଳେ ସରକାର ଏହାକୁ ଭୃକ୍ଷେପ କଲେନି। ରାତି ଶୀତ କାକରରେ ବସ୍ତବାସିନ୍ଦା ନାହିଁ ନଥିବା ଅସୁବିଧାରେ ପଡ଼ିଛନ୍ତି। ଆଜି ସାଲିଆ ସାହି ପଡ଼ିଆରେ ରହିଥିଲେ ଉଛେଦ ହୋଇଥିବା ଲୋକେ। ତେବେ ପ୍ରଶାସନ ଡାକବାଜି ଯନ୍ତ୍ରରେ ସେମାନଙ୍କୁ ଘଣ୍ଟାଏ ଭିତରେ ପଡ଼ିଆ ଛାଡ଼ିବାକୁ ମହଲତ ଦେଇଥିଲା। ନହେଲେ ବଳପୂର୍ବକ ହଟାଇବାକୁ ଚେତାଇ ଦେଇଥିଲା। ଆଉ ଅବଧି ସରିବା ପରେ କିଏ ନିଜ ଆଡ଼ୁ ପଡ଼ିଆ ଛାଡ଼ିଥିଲେ ତ ଆଉ କେତେକଙ୍କୁ ପୁଲିସ ହଟାଇଥିଲା। ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ସାଲିଆ ସାହିରେ ଉଛେଦ ସମସ୍ତ ବସ୍ତିବାସିନ୍ଦାଙ୍କୁ ସରକାରୀ ଘର ମିଳିବ। କିଛି ଲୋକଙ୍କ କଥାରେ ବିଭ୍ରାନ୍ତ ହୋଇ ଘର ଛାଡ଼ିବାକୁ ଅନେକ ରାଜି ହେଉନାହାନ୍ତି। ଏହା ପଛରେ ଅସଲ କାରଣ ହେଲା କି, ଏଭଳି ଲୋକେ ଏକାଧିକ ଘରକୁ ଭଡ଼ାରେ ଲଗାଇଛନ୍ତି। ଭଡ଼ାରେ ଲଗାଇଥିବା ଘର କାଳେ ଭାଙ୍ଗିବ, ସେ ଭୟରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ବସ୍ତି ଉଛେଦ ବେଳେ ବସ୍ତିବାସିନାଙ୍କ ହକ୍ ଓ ଅଧିକାରର କଥା କହି ସରକାରଙ୍କୁ ସମାଲୋଚନା କରିଥିବା କିଛି ତଥାକଥିତ ନେତା ସାଜିଥିବା ଲୋକଙ୍କୁ ମନ୍ତୀ ସିଧାସଳଖ ଟାର୍ଗେଟ କରିଛନ୍ତି। ହକ୍ ଆଳରେ ନିରୀହ ବସ୍ତିବାସିନ୍ଦାଙ୍କୁ ବିଭ୍ରାନ୍ତି କରି ସେମାନଙ୍କ କାନ୍ଧରେ ନିଜର ସ୍ୱାର୍ଥ ଓ ମୁନାଫାକୁ ହାସଲ କରାଯାଉଛି କି। ଏମିତି ତମାମ ପ୍ରଶ୍ନ ସାଲିଆ ସାହି ବସ୍ତି ଉଛେଦ ସହ ଯୋଡ଼ି ହୋଇଯାଇଛି। କାରଣ ସାଲିଆ ସାହି ବାସିନ୍ଦାଙ୍କ ନେତୃତ୍ୱ ନେଉଥିବା ଅଞ୍ଜନ କୁମାର ବିଜେପିର ମଣ୍ଡଳ ସଭାପତି। ସେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଖାସ୍ ଅନୁଗତ। ଅଞ୍ଜନଙ୍କ ଭଳି ଅନେକ ସାଲିଆ ସାହି ବସ୍ତିବାସିନ୍ଦାଙ୍କ ହକ୍ ଲାଗି ଗଲା ୫ ବର୍ଷ ହେଲା ଆନ୍ଦୋଳନ ଜାରି ରଖିଛନ୍ତି। ଗଲା ନିର୍ବାଚନରେ ବସ୍ତିବାସିନ୍ଦାଙ୍କୁ କୁଆଡ଼େ ହଟାଯିବନି ବୋଲି କୁଆଡ଼େ ଅପରାଜିତା କଥା ଦେଇଥିଲେ। ଯାହାକୁ ଏବେ ଗଣ୍ଠି କରିଥିଲେ ବସ୍ତିବାସିନ୍ଦା। ବିଜେପି ସରକାରକୁ ଆସିବା ମାତ୍ରେ ପ୍ରତିଶୃତି କେମିତି ଭୁଲିଗଲା ବୋଲି ପଚାରିଛନ୍ତି। ସେପଟେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଏ ସନ୍ଦର୍ଭରେ ପ୍ରତିକ୍ରିୟାମ ମିଳିପାରିନି। ଅନେକ କହୁଛନ୍ତି, ବସ୍ତିବାସିନ୍ଦାଙ୍କ ଲୁହରେ ଏ ସରକାର ଭାସିଯିବ ବୋଲି ଅଭିଶାପ ଦେଇଛନ୍ତି। ସେପଟେ ବୁଦ୍ଧବିହାରରେ ଯୋଗ୍ୟ ବସ୍ତିବାସିନ୍ଦାଙ୍କ ଲାଗି ତିଆରି ଘରେ ଗୃହପ୍ରବେଶ କଲେଣି ଅନେକ। କିନ୍ତୁ ଘରର ଏରିଆ ଛୋଟ ଥିବାରୁ ଅସନ୍ତୋଷ ବି ଜାହିର କରିଛନ୍ତି। ବସ୍ତିରେ କିଏ ଜଙ୍ଗଲ ଜମି ଅଧିକାରର କଥା କହୁଛି ତ କିଏ କୋର୍ଟରେ ମାମଲାର କଥାକୁ ଯୋଡ଼ି ହଙ୍ଗାମା କରୁଛି। ଆଉ ବାସ୍ତବତାର ଦୃଶ୍ୟ ବି ମାନବିକତାକୁ ଗୋଟିଏ ପରେ ଧିକାର କରୁଥିଲା ବେଳେ ଅନ୍ୟପଟେ ଆଇନତଃ ଯାହା ସିଦ୍ଧ, ତାକୁ ବି ସାମୂହିକ ସ୍ୱାର୍ଥ ପାଇଁ ସରକାର କରିବେ ହିଁ କରିବେ, ଏ ଦିଗକୁ ବି ଏଡ଼ାଇ ହେଉନି।
Naxatra News is now on Whatsapp
Join and get latest news update delivered to you via whatsapp
Join Now