ଅସହାୟ ପରିବାରକୁ ଶୁଦ୍ଧିକ୍ରିୟା ସହାୟତା

Spread the love

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାନେଶ୍ୱର ବ୍ଲକ ରାସନପୁର ଗ୍ରାମରେ ଜନୈକା ବୃଦ୍ଧାଙ୍କ ଶୁଦ୍ଧିକ୍ରିୟା ପାଇଁ ସେବା ଅନୁଷ୍ଠାନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସୂଚନାନୂଯାୟୀ ଗ୍ରାମର ଚରଣ ଛୂରିଆଙ୍କ ଘରେ ରହୁଥିବା ତାଙ୍କ ବିଧବା ଭଉଣୀ ବିଲାସିନି ମହାନନ୍ଦଙ୍କର ଗତ କିଛି ଦିନ ତଳେ ସ୍ୱର୍ଗବାସ ହୋଇଥିଲା । ବିଳାସିନୀଙ୍କ କୌଣସି ସନ୍ତାନ ସନ୍ତତି ନଥିବା ବେଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ସେ ତାଙ୍କ ଭାଇ ଚରଣଙ୍କ ଘରେ ରହି ଆସୁଥିଲେ । ଦୁର୍ବଳ ଆର୍ଥିକସ୍ଥିତି ସତ୍ତ୍ୱେ ଚରଣ ନିଜ ବିଧବା ଭଉଣୀକୁ ଯେନତେନ ପ୍ରକାରେ ଚଳାଇ ନେଉଥିଲେ । ମାତ୍ର ବିଳାସିନୀଙ୍କ ମୃତ୍ୟୁ ପରେ ଗାଁରେ ଭଉଣୀର ଶୁଦ୍ଧିକ୍ରିୟା କରିବା ଚରଣଙ୍କ ପାଇଁ ଅସମ୍ଭବ ପରିସ୍ଥିତି ସୃଷ୍ଟି କରିଥିଲା । ଚରଣଙ୍କ ଏପରି ପରିସ୍ଥିତି ଦେଖି ରାସନପୁର ଗ୍ରାମର ଜିତେନ୍ଦ୍ର ଛୂରିଆ ସ୍ଥାନୀୟ ସେବା ସଭାପତି ଡଃ ଅମର ତାଣ୍ଡିଆଙ୍କୁ ଅବଗତ କରାଇଥିଲେ । ଏହା ଜାଣିବାପରେ ସେବା ଅନୁଷ୍ଠାନର କେତେକ ସଦସ୍ୟ ରାସନପୁର ଗ୍ରାମକୁ ଯାଇ ଚରଣ ଛୂରିଆଙ୍କୁ ଦିବଙ୍ଗତ ଭଉଣୀ ବିଳାସିନୀଙ୍କ ଗଙ୍ଗାଭୋଜି ନିମନ୍ତେ ଆବଶ୍ୟକୀୟ ସମସ୍ତ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ । ଏହି ସହାୟତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଗୌରୀଶଙ୍କର ମିଶ୍ର, ଦୀପକ ସା, ନରେଶ ସୂନାର, ଅରବିନ୍ଦ ବେହେରା, ଅର୍ପଣ ଦାସନାୟକ, ଶୁଭମ ଦେହୂରୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସେବା ଅନୁଷ୍ଠାନ ତଥା ସଭାପତି ଅମର ତାଣ୍ଡିଆଙ୍କର ଏହିଭଳି ମହନୀୟ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *