ସଂଗୀତ ମାଧ୍ୟମରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ଜନ ମାନସରେ ଚିର ଅମର

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଜନ୍ମଶତବାର୍ଷିକୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡମ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତିସ୍ଥଳୀରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।  ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା ସ୍ୱାଗତ କରିବା ପରେ ଉପସ୍ଥିତ ଶ୍ରଦ୍ଧାଳୁ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ ବାଳକୃଷ୍ଣଙ୍କ ବନ୍ଦନା ଗାନ କରିବା ପରେ ଶିକ୍ଷାବିତ୍ କାମଦେବ ମହାପାତ୍ର ସ୍ୱରଚିତ କବିତା ପାଠ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ବାଳକାଟିର ବସନ୍ତପେଡି ଗ୍ରାମରେ ଜନ୍ମିତ ବାଳକୃଷ୍ଣ ଦାଶ ପିଲାବେଳୁ ସଙ୍ଗୀତ ସାଧନା କରିବା ସହିତ ବହୁ ପ୍ରତିଷ୍ଠିତ ଗୁରୁଙ୍କ ଠାରୁ ସଙ୍ଗୀତ ଶିକ୍ଷା କରି ନିଜକୁ ଜଣେ ଦକ୍ଷ ସଙ୍ଗୀତଜ୍ଞ ଭାବେ ପ୍ରତିଷ୍ଠିତ କରି ଆକାଶବାଣୀ କଲିକତାରେ ସଙ୍ଗୀତ ଗାନ କରିଥିଲେ । ପରେ କଟକ ଆକାଶବାଣୀ ପ୍ରତିଷ୍ଠା ହେବାପରେ ନିୟମିତ କଣ୍ଠଶିଳ୍ପୀ ଭାବେ ସଙ୍ଗୀତ ପରିବେଷଣ ସହିତ ବିଭିନ୍ନ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସଙ୍ଗେ ସଙ୍ଗେ କଣ୍ଠଦାନ କରିଥିଲେ । ତାଙ୍କ ସୁଲଳିତ କଣ୍ଠରେ ଅସଂଖ୍ୟ ଭଜନ, ଛାନ୍ଦ, ଜଣାଣ, ପଲ୍ଲୀଗୀତ, ଆଧୁନିକ ଗୀତ ଗାନ କରି ଜନମାନସକୁ ମନ୍ତ୍ରମୁଗ୍ଧ କରୁଥିଲେ ଯେଉଁ ଧାରା ଆଜି ବି ଅତୁଟ ଅଛି । ନିର୍ଦ୍ଦେଶକ ଶ୍ରୀ ରାଉତରାଏ ନିଜ ବକ୍ତବ୍ୟରେ ବାଳକୃଷ୍ଣ ଦାଶଙ୍କ ଜନ୍ମଶତବାର୍ଷିକୀ ଅବସରରେ ବିଭାଗ ତରଫରୁ ବିଭିନ୍ନ ସଂସ୍ଥାରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଆୟୋଜିତ କରାଯିବ, ଏହାକୁ ଅଧିକ ଲୋକାଭିମୁଖୀ କରିବାକୁ ସଙ୍ଗୀତ ଗୁରୁ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଉଦ୍ୟମ କରିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ଡଃ ମିହିର ପଟ୍ଟନାୟକ, ଉଇ ଫର ଭୁବନେଶ୍ୱର ପକ୍ଷରୁ କର୍ପୋରେଟର ଅମରେଶ ଜେନା, ନରେନ୍ ସାହୁ, ଶିବ ସୁଆର, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରା, ସଭ୍ୟବୃନ୍ଦ, ଅଧ୍ୟାପକ ଡଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଜୟ କୁମାର ଜେନା, ନିମାକାନ୍ତ  ରାଉତରାୟ, ପୂର୍ବତନ ସରପଂଚ ଭାଗ୍ୟଧର ନନ୍ଦୀ, ସମାଜସେବୀ ବେଣୁଧର ଭୋଇ, ଆଡ୍‌ଭୋକେଟ୍ ମନୋଜ କୁମାର ନାୟକ, ଗିରିଜା ଶଙ୍କର ମହାପାତ୍ରଙ୍କ ସହିତ ବହୁ ଅଧ୍ୟାପକ ଓ ସଂଗୀତ ପ୍ରତିଭା ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରତାପ ଶାସନ ଗ୍ରାମବାସୀଙ୍କ ତରଫରୁ ନିର୍ଦ୍ଦେଶକ ଶ୍ରୀ ରାଉତରାଏ ଓ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସଙ୍ଗୀତ ସୁଧାକର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ସମସ୍ତେ ସମ୍ମିଳିତ ଭାବେ ସଙ୍ଗୀତ ସୁଧାକର ଗାଇଥିବା ଲୋକପ୍ରିୟ ଗୀତ ଗାନ କରିଥିଲେ । ଅନୁଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତ୍ୟୁଷରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସହ ପୂର୍ବତନ ସରପଂଚ ଭାଗ୍ୟଧର ନନ୍ଦୀ ସମାଜସେବୀ ବେଣୁଧର ଭୋଇ, ଗାନ୍ଧିବାଦୀ ଆଡ୍‌ଭୋକେଟ୍ ମନୋଜ କୁମାର ନାୟକ ସ୍ୱର୍ଗତ ଦାଶଙ୍କ ଜନ୍ମମାଟି ବାଳକାଟି ଭାର୍ଗବୀ ନଦୀରେ ତିଳତର୍ପଣ କରିବା ସହ ବସନ୍ତପେଡିସ୍ଥିତ ତାଙ୍କ ପ୍ରତିମୂର୍ତିସ୍ଥଳୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବିଭିନ୍ନ ମନ୍ଦିରରେ ଦୀପଦାନ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *