ଅନୁସୂଚିତ ଜାତି ଜନଜାତି – ଭାଗିଦାରୀରେ ବିକାଶର ମାନସମନ୍ଥନ

ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷଙ୍କ ଦୁଇ ଦିନିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା। ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା ବାଚସ୍ପତିଙ୍କୁ। ଏହା ପରେ ଲୋକସେବା ଭବନରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଓଡ଼ିଶା ଲୋକସେବା ଭବନରେ ଆୟୋଜିତ ଜାତୀୟ ସମ୍ମିଳନୀରେ ବିଭିନ୍ନ ରାଜ୍ୟରେ ରହିଥିବା ସଂସଦୀୟ ପରମ୍ପରା, ଅନୁସୂଚିତ ଜାତି ଜନଜାତିଙ୍କ ବିକାଶକୁ ନେଇ ଭାବବିନିମୟ ହୋଇଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ କଲ୍ୟାଣ, ବିକାଶ ଓ ସଶକ୍ତିକରଣରେ ସଂସଦୀୟ ଏବଂ ବିଧାନସଭା କମିଟିର ଭୂମିକାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ଏହି ସମ୍ମିଳନୀରେ। ଏହି ସମ୍ମିଳନୀରେ ସାମ୍ୱିଧାନିକ ସୁରକ୍ଷାକୁ ସୁଦୃଢ଼ କରିବା, ସାମାଜିକ-ଆର୍ଥିକ ବିକାଶକୁ ବୃଦ୍ଧି ଦିଗରେ କି କି ପଦକ୍ଷେପ ନିଆଯାଇପାରିବ, ଆଲୋଚନା ହୋଇଥିଲା। ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ସାକାର କରିବା ଦୃଷ୍ଟିକୋଣ ସହ କଲ୍ୟାଣକାରୀ ନୀତି ଗୁଡ଼ିକର କାର୍ଯ୍ୟାନ୍ୱୟନରେ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବାରେ ସଂସଦୀୟ ଓ ରାଜ୍ୟ ବିଧାନସଭା କମିଟିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା କଅଣ ହେବା ଦରକାର ସେ ନେଇ ଆଲୋଚନା ହୋଇଥିଲା। ଏ ସନ୍ଦର୍ଭରେ ଏକ ସ୍ମରଣିକାକୁ ଉନ୍ମୋଚନ କରିଥିଲେ ବାଚସ୍ପତି। ଫଗନ ସିଂ କୁଲସ୍ତେ କହିଛନ୍ତି, ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ କେବଳ ନୁହେଁ। ବରଂ ରାଜନୀତିରେ ସମଭାଗିଦାରୀ ନ ପାଇଲା ଯାଏ, ଏହା ସମ୍ଭବ ନୁହେଁ। ଏମାନଙ୍କ ଅଧିକାରର ସୁରକ୍ଷା ଲାଗି ରାଜନୀତି, ରଣନୀତି ସହ କ୍ଷେତ୍ରୀୟ ଅଞ୍ଚଳରେ ଆସୁଥିବା ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ପଡ଼ିବ। ଆଇନଗତ ଓ ରାଜନୀତିକ ଢାଞ୍ଚା ଯେମିତି ବଞ୍ଚିତ ବର୍ଗର ଅଧିକାରକୁ ସୁରକ୍ଷା କରିପାରିବ, ତାକୁ ସୁଦୃଢ଼ କରିବାକୁ ହେବ। ସମସ୍ତଙ୍କୁ ରାଜନୀତିକ ବରାବର କରିବାକୁ ପଡ଼ିବ। ତା ନହେଲେ ମୁଖ୍ୟ ସ୍ରୋତକୁ ଆଦିବାସୀ ଆସିବେ କେମିତି ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। କୌଣସି ନିଷ୍ପତ୍ତି ସରକାର ଥୋପି ଦେବା ଭଳି ସେ କାଳ ନାହିଁ। କାରଣ ଗ୍ରାଉଣ୍ଡରେ ଯାହା ଚାହିଦା ଅଛି, ସେହି ଅନୁସାରେ କାମ କରିବାକୁ ପଡ଼ିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସମାବେଶୀ ବିକାଶ ଓ ସମାବେଶୀ ସମାଜରେ କି ଗୁରୁଦାୟିତ୍ୱ ରହିଛି, ତାକୁ ନେଇ ପ୍ରାଥମିକତା ଦେବା ଜରୁରୀ। ସାମାଜିକ ନ୍ୟାୟ ପ୍ରତି ଅଟଳଙ୍କଠୁ ନେଇ ମୋଦି ସରକାରଙ୍କ ପ୍ରତିବଦ୍ଧତା କଅଣ ରହିଛି, ତାହାର ନଜିର ରଖିଥିଲେ ଧର୍ମେନ୍ଦ୍ର। ରାଷ୍ଟ୍ରୀୟ ଶିକ୍ଷାନୀତି ଆଧାରରେ ଆଜି ଅନୁସୂଚିତ ଜାତି ଜନଜାତିବର୍ଗର ପିଲା କେମିତି ଅଧିକ ବଞ୍ଚିତ ରହିବେନି, ତାକୁ ଫୋକସ୍ କରାଯାଉଛି। ସମିତିର ପରାମର୍ଶରେ ନୀତି ହେବ ଓ ନୀତି ଆଧାରରେ ଏହି ବର୍ଗର ବିକାଶ ହେଉ ବୋଲି ଅପିଲ୍ କରିଛନ୍ତି ଧର୍ମେନ୍ଦ୍ର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଅସ୍ପୃଶ୍ୟତା ଭଳି ଅନ୍ଧବିଶ୍ୱାସକୁ ଦୂର କରିବାକୁ ନିରନ୍ତର ଉଦ୍ୟମ ଜାରି ରହିଛି। ସଫେଇ କର୍ମଚାରୀଙ୍କ ପ୍ରତି ମୋଦିଙ୍କ ମାନସିକତା ଏ ଛାପ ଛାଡ଼ିସାରିଛି। ଏହି ବର୍ଗର ବିକାଶ ଲାଗି ସରକାର ସଂକଳ୍ପବଦ୍ଧ। ଏକ ଚତୁର୍ଥାଂଶ ଜନଜାତି ବର୍ଗର। ଏ ବର୍ଗର ବିକାଶ ନହେଲେ ରାଜ୍ୟର ସାମଗ୍ରୀକ ବିକାଶ ସମ୍ଭବ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁଇଟି ରଣନୀତି ଆପଣାଇଛନ୍ତି ସରକାର। ବ୍ୟକ୍ତିଗତ ଓ ସାମୂହିକ ବିକାଶ ସାଙ୍ଗକୁ ଏ ସମୁଦାୟର ସଶକ୍ତିକରଣ। ଯଦି ସଶକ୍ତିକରଣ ନହୁଏ, ତାହେଲେ ଯେତେ ଅନୁଦାନ ଦେଲେ ବି ବିକାଶ ସମ୍ଭବ ହେବନି। ଗରିବଙ୍କୁ ନେଇ ଟୁରିଜିମ ପଲିଟିକ୍ସ ନୁହେଁ। ସେମାନଙ୍କ ବ୍ୟଥା, ଦୁର୍ଦଶା ବୁଝି ସମାଧାନ ଜରୁରୀ।ଅନୁସୂଚିତ ଜାତି ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷଙ୍କ ପ୍ରଥମ ସମ୍ମିଳନୀ ୧୯୭୬ ମସିହାରେ ନୂଆଦିଲ୍ଲୀରେ ହୋଇଥିଲା। ପରେ ୧୯୭୯, ୧୯୮୩, ୧୯୮୭ ଓ ୨୦୦୧ରେ କ୍ରମାଗତ ଏଭଳି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆଉ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଏଭଳି ସମ୍ମିଳନୀ ହୋଇଛି। ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଏସସି, ଏସଟି ଉନ୍ନୟନ ସମିତିର ପରାମର୍ଶ ଆଧାରରେ ଏହି ବର୍ଗର ବିକାଶକୁ କେମିତି ଅଧିକ ପ୍ରାଥମିକତା ଦିଆଯିବ, ସେ ନେଇ ଫୋକସ କରାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *