ଶ୍ରାବଣରେ ନିଅଣ୍ଟିଆ ବର୍ଷା, ଖୋର୍ଦ୍ଧାରେ ଚାଷ ସ୍ଥିତି ମନ୍ଥର

Spread the love

ଖୋର୍ଦ୍ଧା : ଧାରା ଶ୍ରାବଣରେ ବି ମୁଣ୍ଡଫଟା ଖରା ସାଙ୍ଗକୁ ଗୁଳୁଗୁଳି କାରଣରୁ ଚାଷ ଜମି ଫାଟି ଆଁ କଲାଣି । ଗଛ ରୋଇବା ପାଇଁ ଚାଷୀ ଯେଉଁ ତଳି ପକାଇଥିଲା, ତାହା ପାଣି ନପାଇ ଆଉ ବଢ଼ୁନି । ଏପରିକି ଗଛ ଗୁଡ଼ିକ ହଳଦିଆ ପଡ଼ିଗଲାଣି । ଫଳରେ ଧାନ ରୁଆ କି ବେଉଷଣ କାମ ଆରମ୍ଭ ହୋଇପାରିନାହିଁ । ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଅଭାବରୁ ଚାଷବାସ କାମ ଆଗେଇ ପାରୁନାହିଁ । ନିଅଣ୍ଟିଆ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଅନ୍ୟପକ୍ଷରେ କୃଷି ବିଭାଗ ବି ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ପଡିଯାଇଛି । ତେବେ ଧାରା ଶ୍ରାବଣରେ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଆହୁରି ସଙ୍ଗିନ ହୋଇପଡ଼ିଛି ।

ପାଣିପାଗ ବିଭାଗର ସୂଚନା ମୁତାବକ, ଜୁନ୍ ମାସର ୧୧, ୧୯, ୨୩, ୨୪, ୨୫ ଓ ୨୭ ତାରିଖରେ ବର୍ଷା ହୋଇଥିଲା। ତେବେ ଜୁନ୍ ମାସରେ ସ୍ୱାଭାବିକ ଭାବେ ୧୯୬.୨ ମି.ମି. ବର୍ଷା ହୋଇଥାଏ । ହେଲେ ଚଳିତ ମାସରେ ୧୨୬.୫୬ ମି.ମି. ବର୍ଷା ହୋଇଛି । ଜୁଲାଇ ମାସ ୧୦ ତାରିଖ ସୁଦ୍ଧା ମାତ୍ର ୪୨ ମି.ମି. ବର୍ଷା ହୋଇଛି । ତେବେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଜିଲ୍ଲାର ୧ ଲକ୍ଷ ୯ ହଜାର ହେକ୍ଟର ଖରିଫ ଚାଷ ଜମିରୁ ଜୁନ୍ ମାସରେ ୧୦ ହଜାର ହେକ୍ଟର ଧାନ ବୁଣାଯାଇଥିଲା। ଜୁନ ମାସର ବର୍ଷାର ଅଭାବ ଜୁଲାଇରେ ଭରଣା ହେବ ବୋଲି ଚାଷୀ ଆଶାବାନ୍ଧି ବସିଥିଲା। କିନ୍ତୁ, ଜୁଲାଇ ମାସର ପ୍ରଥମ ସପ୍ତାହର ସ୍ୱଳ୍ପ ବୃଷ୍ଟିଯୋଗୁଁ ଚାଷୀର ଆଶା ମଉଳି ଯାଇଛି । ଜିଲାରେ ୮୫ରୁ ୯୦ ପ୍ରତିଶତ ଚାଷ ଜମିରେ ଚାଷ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ । ଯଦି ଆଗାମୀ ୧୫ ତାରିଖ ସୁଦ୍ଧା ବର୍ଷା ନହୁଏ ତେବେ ଜିଲ୍ଲାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ ବୋଲି କୃଷି ବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମହାରଣା କହିଛନ୍ତି ।

Leave a Reply

Your email address will not be published. Required fields are marked *