ଓଏସ୍ଏସ୍ ସି ଦ୍ୱାରା ୧୦୮ ପ୍ରଶିକ୍ଷକ ଚୟନ

Spread the love

ଭୁବନେଶ୍ୱର : ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍ଏସ୍ ସି) ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକ ପ୍ରଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ୧୦୮ ଜଣ ଶିକ୍ଷକ ପ୍ରଶିକ୍ଷକଙ୍କୁ ଉପଯୁକ୍ତ ଚୟନ ପ୍ରକ୍ରିୟା ଆଧାରରେ ଚୟନ କରାଯାଇଛି । ସେମାନଙ୍କୁ ଜିଲ୍ଲା ପ୍ରଶିକ୍ଷଣ ଅନୁଷ୍ଠାନ ଓ ବ୍ଲକ୍ ପ୍ରଶିକ୍ଷଣ ଅନୁଷ୍ଠାନରେ ନିଯୁକ୍ତ କରାଯିବ । ଏହି ପ୍ରଶିକ୍ଷକମାନେ ପ୍ରାଥମିକ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବେ । ଓଡିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଶିକ୍ଷାକ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ନିଯୁକ୍ତିର ପ୍ରମୁଖ ଉଦ୍ଦେଶ୍ୟ ।

ଏହି ଶିକ୍ଷକ ପ୍ରଶିକ୍ଷକମାନଙ୍କ ନିୟୋଜନ ପ୍ରାଥମିକ ଶିକ୍ଷକମାନଙ୍କର ନିରନ୍ତର ବୃତିଗତ ବିକାଶ ଉପରେ ଗୁରୁତ୍ୱାରୋପ କରିବ । ଏହାସହ ସେମାନଙ୍କୁ ନିଜ ବୃତିରେ ଉତ୍କର୍ଷତା ପ୍ରତିପାଦନ ପାଇଁ ଆବଶ୍ୟକୀୟ ସମସ୍ତ ଜ୍ଞାନକୌଶଳ ଯୋଗାଇଦେବ । ବିଭିନ୍ନ ତାଲିମ କାର୍ଯକ୍ରମର ଆୟୋଜନ, ପରିକଳ୍ପନା, ବିତରଣ, କର୍ମଶାଳା ସହ ସେମିନାର ପରିଚାଳନା, ଶିକ୍ଷାଦାନ ଓ ପାଠ୍ୟକ୍ରମ ବିକାଶ ଉପରେ ମାର୍ଗଦର୍ଶନ ପ୍ରଦାନ କରିବ । ଏହି ନିୟୋଜନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦୀର୍ଘଦିନ ଧରି ଚାଲିଥିବା ପଦବୀ ପୂରଣ ସମସ୍ୟାର ସମାଧାନ କରି ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି କରିବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ୩୦ଟି ଜିଲ୍ଲାରେ ୩୦ଟି ଜିଲ୍ଲା ପ୍ରଶିକ୍ଷଣ ଅନୁଷ୍ଠାନ ଓ ୪ଟି ବ୍ଲକ୍ ପ୍ରଶିକ୍ଷଣ ଅନୁଷ୍ଠାନ କାର୍ଯ୍ୟରତ । ପ୍ରତି ଜିଲ୍ଲା ପ୍ରଶିକ୍ଷଣ ଅନୁଷ୍ଠାନରେ ୧୦୦ଜଣ ପ୍ରାଥମିକ ଶିକ୍ଷକ ତାଲିମ ନେବାର ବ୍ୟବସ୍ଥା ରହିଛି । ସେହିଭଳି ରାଜ୍ୟର ଆଦିବାସୀ ବହୁଳ ଅଂଚଳ ଯଥା ମୟୂରଭଞ୍ଜ, ସୁନ୍ଦରଗଡ, ରାୟଗଡ଼ା, ନବରଙ୍ଗପୁରରେ ୪ଟି ବ୍ଲକ୍ ପ୍ରଶିକ୍ଷଣ ଅନୁଷ୍ଠାନ ରହିଛି ।

Leave a Reply

Your email address will not be published. Required fields are marked *