ଜମାକାରୀ ଦେବେ ରଣହୁଙ୍କାର

Spread the love

() ଚିଟଫଣ୍ଡ ମାମଲାକୁ ନେଇ ଆସନ୍ତା ୨୦ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ତା ପୂର୍ବରୁ ମଙ୍ଗଳବାର ରାଜ୍ୟ ସ୍ତରୀୟ ଜମାକାରୀ ଗଣ କନଭେନସନରେ ଆଗାମୀ ଦିନର ରଣନୀତି ପ୍ରସ୍ତୁତ ହୋଇଛି । ଆସନ୍ତା ୧୩ ତାରିଖରୁ ପ୍ରତେକ ତହସିଲ ଅଫିସ ସାମ୍ନାରେ ପ୍ରତିବାଦ କରିବାକୁ ସ୍ଥିର ହୋଇଛି । ଏହାସହ ଏପ୍ରିଲ ମାସରେ ଲକ୍ଷ ଲକ୍ଷ ଲୋକ ରାଜ୍ୟ ରାଜଧାନୀରେ ବିକ୍ଷୋଭ କରିବାକୁ ଯୋଜନା କରାଯାଇଛି ।

ଚିଟଫଣ୍ଡ କ୍ଷତିଗସ୍ତ ଜମାକାରୀ ଦେବେ ରଣହୁଙ୍କାର। ତହସିଲ ଅଫିସରୁ ରାଜଧାନୀ ଯାଏଁ ହେବ ଗଣ ବିକ୍ଷୋଭ। ଏପ୍ରିଲରେ ସରକାରକୁ ଦେବେ କଡା ଚେତାବନୀ । ଆରମ୍ଭ ହୋଇଛି ପ୍ରସ୍ତୁତି । ଦିନେ କି ଦୁଇ ଦିନ ନୁହେଁ ଗତ ୧୧ ବର୍ଷ ଧରି ଚିଟଫଣ୍ଡ କ୍ଷତିଗ୍ରସ୍ତ ମାନେ ଜାରି ରଖିଛନ୍ତି ଆନ୍ଦୋଳନ । କଥା ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯାଇଛି । କ୍ରାଇମବ୍ରାଞ୍ଚରୁ ସିବିଆଇ ଯାଏଁ ଧରପଗଡ଼ କଥା କୁହାଯାଇଛି କିନ୍ତୁ ଅଭିଯୁକ୍ତ କିଏ ଜେଲରେ କିଏ ବେଲରେ ଅଛନ୍ତି। କମିଶନ ବସିଛି କର୍ପସ ଫଣ୍ଡ ବ୍ୟବସ୍ଥା ହୋଇଛି । ହେଲେ କ୍ଷତିଗ୍ରସ୍ତଙ୍କ କ୍ଷତିଭରଣା ସମ୍ଭବ ହୋଇନି । ତେଣୁ ଏଥର ନିର୍ଣ୍ଣାୟକ ଲଢେଇ ପାଇଁ ଅଣ୍ଟା ଭିଡୁଛନ୍ତି ଜମାକାରୀ। ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ କ୍ଷତିଗ୍ରସ୍ତ ମଞ୍ଚ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୧୩ ତାରିଖରୁ ୨୦ ତାରିଖ ଯାଏଁ ପ୍ରତି ତହସିଲ ଅଫିସ ସମ୍ମୁଖରେ ଆନ୍ଦୋଳନ କରାଯିବ। ସେଠାରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦିଆଯିବ। ଏହାସହ ଏପ୍ରିଲ ମାସରେ ଭୁବନେଶ୍ୱରରେ ୨ ଲକ୍ଷ ଲୋକଙ୍କୁ ନେଇ ବିଶାଳ ସମାବେଶ କରିବାକୁ ରାଜ୍ୟ ସ୍ତରୀୟ ଜମାକାରୀ ଗଣ କନଭେନସନରେ ରଣନୀତି ସ୍ଥିର ହୋଇଛି ।

ସେପଟେ ଫେବୃଆରୀ ୨୦, ସୁପ୍ରିମକୋର୍ଟରେ ଚିଟଫଣ୍ଡ ମାମଲାର ପରବର୍ତ୍ତୀ ଶୁଣାଣି ଥିବାବେଳେ ତା ପୁର୍ବରୁ ଆନ୍ଦୋଳନକୁ ବ୍ୟାପକ କରାଯିବ। ରାଜ୍ୟରେ ୫୦ ଲକ୍ଷରୁ ଅଧିକ କ୍ଷତିଗସ୍ତ ଥିବାବେଳେ ଏଯାଏ ମାତ୍ର ୪ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି।ତେବେ ଏତେ ବର୍ଷ ଭିତରେ କାହିଁକି କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯାଇନି ତାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ ।

ତେବେ ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିଥିବା  ଜମାକାରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ଏପରି ସ୍ଥଳେ ଅସନ୍ତୋଷର ବହ୍ନି ଏବେ ବ୍ୟାପକ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *