ସେତୁ ଯୋଜନାରେ ଅନ୍ତର୍ଭୁକ୍ତ ହେବ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍ ର ୧୦ ପଞ୍ଚାୟତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି

Spread the love

ଭୁବନେଶ୍ୱର : ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍ ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍ ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସେତୁ ଯୋଜନାରେ ବ୍ୟୟ ଅଟକଳ ୫୦ କୋଟିରୁ ୧୦୦ କୋଟିକୁ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଚିତ୍ରକୋଣ୍ଡା ବ୍ଳକ୍ ର ୯ ଗୋଟି ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ଦ୍ୱାରା ସଂଯୋଗ କରାଯାଇଛି, ଯାହା ସ୍ୱାଭିମାନ ଅଞ୍ଚଳ ନାମରେ ନାମିତ । ଏହି ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସେତୁ ଯୋଜନା ୨୦୧୮ ମସିହାରୁ କାର୍ଯ୍ୟକାରି ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଗତ ମାର୍ଚ୍ଚ ୨୮ ତାରିଖରେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଳକ୍ ପରିଦର୍ଶନ କରିଥିଲେ ଓ ଲୋକମାନଙ୍କ ସ୍ୱାର୍ଥ, ସେମାନଙ୍କର ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ।

ଏତଦ୍‌ବ୍ୟତୀତ ଏହି ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ପାଇଁ ନିୟୋଜିତ ଅର୍ଦ୍ଧସାମରିକ ବାହିନୀ ପ୍ରତିଷ୍ଠାନର ଭିତିଭୂମି ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ସେତୁ ଯୋଜନାରେ ୯ କୋଟି ୬୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *