ନ୍ୟାୟ ପାଇଁ ନଛୋଡ଼ବନ୍ଧା- ବିରୋଧୀ ବନାମ ସରକାର

ଏଫଏମ ଛାତ୍ରୀ ମୃତ୍ୟୁ ମାମଲାରେ ରାଜନୀତି ଥମୁନି। କ୍ରାଇମବ୍ରାଞ୍ଚ ଟିମ୍ ତନାଘନା ଜାରି ରଖିଛି। ୟୁଜିସିର ୪ ଜଣିଆ ଟିମ୍ ବି ପହଞ୍ଚିସାରି ଘଣ୍ଟାଚକଟା ଆରମ୍ଭ କରିଛି। ସୌମ୍ୟାଶ୍ରୀଙ୍କ ଗାଁ ପଳାସିଆରେ ବି କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ବାପାମାଆ ଓ ପରିବାର ଲୋକଙ୍କୁ ପଚରାଉଚୁରା କରିଛି। ଗୋଟିଏ ପଟେ ଉଭୟ କ୍ରାଇମବ୍ରାଞ୍ଚ ଓ ୟୁଜିସିର ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ତନାଘନା ଜାରି ରଖିଥିଲା ବେଳେ ଏଭଳି ତଦନ୍ତକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ। କୋର୍ଟ ତତ୍ତ୍ୱାବଧାନରେ ସୌମ୍ୟାଶ୍ରୀ ଆତ୍ମାହୁତି ମାମଲାର ତଦନ୍ତ କରିବାକୁ ଦାବି କରିଛନ୍ତି ବିଜୟ ମହାପାତ୍ର। ଯେଉଁମାନେ ଟିକେ ଟିକେ କଥାରେ ସିବିଆଇ ତଦନ୍ତ ଦାବି କରୁଥିଲେ, ସେମାନେ କ୍ଷମତାକୁ ଆସିବା ପରେ ସିବିଆଇକୁ କାହିଁକି ତଦନ୍ତ ଭାର ଦେଉନାହାନ୍ତି। ଆଜି କେମିତି କ୍ରାଇମବ୍ରାଞ୍ଚ ଉପରେ ଭରସା ଆସିଗଲା। ସମସ୍ତଙ୍କ ଜ୍ଞାତସାରରେ ଏ ଘଟଣା ଘଟିଥିବାରୁ ଅନେକ ଦିଗକୁ ଇଙ୍ଗିତ କରୁଛି। କୋର୍ଟ ମନିଟରିଂ ହେଲେ ସବୁ ସତ ପଦାକୁ ଆସିବ। ଏବେକାର ତଦନ୍ତ କୁହୁଳୁଥିବା ନିଆଁକୁ ଲିଭାଇପାରିବନି ବୋଲି କହିଛନ୍ତି ବିଜୟ। ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରି ବିଜେଡି ଆନ୍ଦୋଳନ ଜାରି ରଖିଛି। ବାଲେଶ୍ୱର ବନ୍ଦ ସହ ଲୋକସେବା ଭବନ ଘେରାଓ କରିସାରିଛି ବିଜେଡି। ବିଭିନ୍ନ କ୍ୟାମ୍ପସ ଆଗରେ ଛାତ୍ର ଆନ୍ଦୋଳନ ଜାରି ରଖିଥିବା ବେଳେ ଜନତା ମଇଦାନ ଗାନ୍ଧୀମୂର୍ତ୍ତି ତଳେ ନୀରବ ପ୍ରତିବାଦ କରିଛି ବିଜେଡି। ମୁହଁରେ କଳାପଟି ବାନ୍ଧି ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛି ଦଳ। ଲୋକସେବା ଭବନ ଘେରାଓ ବେଳେ ପୁଲିସର ମାତ୍ରାଧିକ କାର୍ଯାନୁଷ୍ଠାନକୁ ନିନ୍ଦା କରିଛି ବିଜେଡି। ଏଫଏମ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି। ୨୧ରେ ଆରଡିସିସ୍ତରୀୟ ପ୍ରତିବାଦ କରିବ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। କଟକ, ବ୍ରହ୍ମପୁର ଓ ସମ୍ୱଲପୁର ଆରଡିସି ଅଫିସ ଆଗରେ ବିକ୍ଷୋଭ କରିବ ବିଜେଡି। ନ୍ୟାୟ ମାଗି ନିଆଁ ମିଳିଲା। ସରକାରଙ୍କ ପଦକ୍ଷେପକୁ କେହି ଗ୍ରହଣ କରିପାରୁନାହାନ୍ତି। ପୁଲିସ ନିଜେ ଅଭିଯୁକ୍ତ ହୋଇଥିଲା ବେଳେ କେମିତି ଠିକ ତଦନ୍ତ ହେବ। ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି, ସୌମ୍ୟାଶ୍ରୀ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି। କ୍ରାଇମବ୍ରାଞ୍ଚ ନୁହେଁ, ବରଂ ବିଚାର ବିଭାଗୀୟ ତଦନ୍ତ ହେବାର ଆବଶ୍ୟକତା ଅଛି। ରାଜନୀତିର ବଶବର୍ତ୍ତୀ ହୋଇଗଲେ ସୌମ୍ୟାଶ୍ରୀ। ବିଧାୟକ ଓ ସାଂସଦଙ୍କ କଳିରେ ବଳି ପଡ଼ିଗଲେ ସୌମ୍ୟାଶ୍ରୀ। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ୧୭ରେ ଓଡ଼ିଶା ବନ୍ଦ କରିଥିବା କଂଗ୍ରେସ ଓ ୮ଟି ସମଭାବାପନ୍ନ ଦଳ ଏ ପ୍ରସଙ୍ଗକୁ ନିର୍ଣ୍ଣାୟକ ମୋଡ଼ ଯାଏ ନ ପହଞ୍ଚାଇବା ଯାଏ ଚୁପ୍ ବସିବନି ବୋଲି କହିଛି। ସଡ଼କରୁ ନେଇ ସଂସଦ ଯାଏ ଏ ମୁଦ୍ଦାକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛି କଂଗ୍ରେସ।

କଂଗ୍ରେସ ମହିଳା ଅଭିଯୋଗ ପ୍ରକୋଷ୍ଠ ଖୋଲିବାକୁ ନିଷ୍ପତ୍ତି ନେଇଛି। ଏକ ସ୍ୱତନ୍ତ୍ର ସୁରକ୍ଷା ଆପ୍ ଲଞ୍ଚ୍ କରିବାକୁ ରାଜନୀତିକ ବ୍ୟାପାର କମିଟିରେ ନିଷ୍ପତ୍ତି ହୋଇଛି। ୨୪ରେ ରାଜ୍ୟ ସାରା କଂଗ୍ରେସ ପାଳିବ ଶ୍ରଦ୍ଧାଞ୍ଜଳି ଦିବସ ବୋଲି ଘୋଷଣା କରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ୨୪ରେ ପଡ଼ୁଛି ପୀଡ଼ିତାଙ୍କ ଶ୍ରାଦ୍ଧଦିବସ। କଲେଜ ଓ ୟୁନିଭରସିଟିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବ। ଏତଲା କାହିଁକି ହେଲାନି। ଯେଉଁମାନଙ୍କ ପାଖକୁ ପୀଡ଼ିତା ଏତଲା କରିବାକୁ ଯାଇଥିଲେ, ସେମାନେ କାହିଁକି ଶୁଣିଲେନି। ଏତେ ସଂସ୍କାର କଥା କହୁଥିବା ସରକାରଙ୍କ ଏ ଦିଗରେ ଉଦାସୀନତା ବାରି ହୋଇପଡ଼ୁଛି। ଯେଉଁମାନେ ହତୋତ୍ସାହିତ ସହ ଟାହିଟାପରା କରୁଥିଲେ, ସେମାନଙ୍କୁ ବି ଛାଡ଼ନ୍ତୁନି ସରକାର। ବିଜେପି କହିଛି, ସରକାର କାହାକୁ ବି ଛାଡ଼ିବେନି। ଯିଏ ଦୋଷୀ କେହି ନିସ୍ତାର ପାଇବେନି। ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ରାଜନୀତି ଶୋଭାପାଏନା। ବବି ଦାସଙ୍କ ସହ ନବୀନ କଥା ହେଲେ। କିନ୍ତୁ ପୀଡ଼ିତା ପରିବାର ସହ ଥରୁଟିଏ ହେଲେ ନବୀନ କଥା ହେଲେ କି। ଆନ୍ଦୋଳନ ଆଳରେ ଅସ୍ତିତ୍ୱ ଖୋଜୁଛନ୍ତି ବିରୋଧୀ ବୋଲି କହିଛନ୍ତି ବିଜେପି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଘଟଣା ଘଟିବା ପରେ ସରକାର ସଙ୍ଗେ ସଙ୍ଗେ ପଦକ୍ଷେପ ନେଇଛନ୍ତି। ଦୋଷୀ ଗିରଫ ହୋଇଛି। ତଦନ୍ତ ଚାଲିଛି। ଏଫଏମ୍ ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ଭିତରେ ସିଲଭର ମେଡାଲ୍ ପାଇଁ ପ୍ରତିଯୋଗିତା ଚାଲିଛି। ମମିତା ମେହେର,, ନବ ଦାସ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ତଦନ୍ତ କେମିତି ଦିଗହରା ହୋଇଥିଲା, ସମସ୍ତେ ଦେଖିଛନ୍ତି। ବିରୋଧୀ ନଛୋଡ଼ବନ୍ଧା। ନିର୍ଣ୍ଣାୟକ ଲଢେଇ ଲାଗି ସଜବାଜ ହେଲେଣି। ସେପଟେ ସରକାର ଏ ମାମଲାକୁ କେମିତି ମୁକାବିଲା କରିବେ, ଦେଖିବାର କଥା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *