ଶ୍ରୀଜୀଉଙ୍କ ଦଶମୂଳ ପ୍ରସ୍ତୁତି ଓ ଚକା ବିଜେ ନୀତି

Spread the love

ପୁରୀ : ଆଜି ଅଣସର ଦଶମୀ ତିଥିରେ ଶ୍ରୀଜିଉ ମାନଙ୍କୁ ଦଶମୂଳ ମୋଦକ ଲାଗି ହୋଇଛି । ପରେ ଚକା ବିଜେ ନୀତି ଅନୁଷ୍ଠିତ ହେବ । ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଶ୍ରୀଜୀଉଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥିଲା। ଏହା ଏକାଦଶୀ ଦିନ ଶ୍ରୀଜୀଉଙ୍କ ପାଖେ ସମର୍ପଣ ହୋଇଥାଏ । ଶ୍ରୀମନ୍ଦିରର ରାଜବୈଦ୍ୟ ସେବକ ମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି । ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ ଶାଳପନ୍ନି, ଗମ୍ଭାରୀ, ଫଣଫଣା, କୃଷ୍ଣ ପନ୍ନି, ଅଗବଥୁ, ବେଲ, ଅଙ୍କରାନ୍ତି, ଗୋଖରା, ଲବିଂ କୋଳି, ନବାଙ୍କୁରୀକୁ ପ୍ରଥମେ ଶୁଖା ଯାଇଥିଲା। ପରେ ଏହାକୁ କୁଟା ଯାଇ ଗୁଣ୍ଡ କରାଯାଇଥିଲା। ଏହି ଗୁଣ୍ଡକୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସାଯାଇ ଖୁଆ, ଶର୍କରା, ସର, ମହୁ, ଘିଅ, ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଇଥିଲା। ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥିଲା। ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆରେ ରଖା ଯାଇଥିଲା। ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦରେ ଦାଖଲ କରାଯାଇଥିଲା।

ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ମହାପ୍ରଭୁଙ୍କ ଅଣସର କାଳୀନ ଗୋପନ ସେବା ସଂପର୍କରେ ରହିଥିବା ମାର୍ଗ ଦର୍ଶକ ମୁତାବକ, ବିଶ୍ଵାବସୁ ତଥା ବିଦ୍ୟାପତି ବଂଶଧାରମାନେ ଶ୍ରୀଅଙ୍ଗ ସେବାରେ ଲାଗିବେ। ଏହି ସେବା ପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ବଡଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଓ ଶୁଦ୍ଧସୁଆର ସେବକମାନେ ଯୋଗାଇଥିବା ଓଷୁଅ ବା ଖଳି।

ସ୍ନାନ ପୂର୍ଣ୍ଣମୀ ଦିନ ସର୍ବାଙ୍ଗ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଲାଗି ଦଶମୂଳ ମହୌଷଧି ଲାଗି କରାଯାଏ। ପବିତ୍ର ଏକାଦଶୀ ତିଥି ଅବସରରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ପତି ମହାପାତ୍ର ସେବକ ଏହାକୁ ଲାଗି କରିବେ। ଏହି ମହୌଷଧି ଶ୍ରୀ ଅଙ୍ଗରେ ଉପଚାର କରାଯିବା ପରେ ଜ୍ଵରରେ କମ୍ପୁଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ଏଥିସହିତ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ମଧ୍ୟ ଅନୁଷ୍ଠିତ ହେବ। ଶ୍ରୀଜୀଉମାନେ ରକ୍ତବସ୍ତ୍ର ପରିଧାନ କରିବେ ଓ ମହାପ୍ରଭୁଙ୍କୁ ତୁଳସୀ ଲାଗି ହେବେ। ସ୍ନାନ ପୂର୍ଣ୍ଣିମୀ ପରଠାରୁ ଅସୁସ୍ଥ ହୋଇପଡିବା ପରେ ମହାପ୍ରଭୁଙ୍କୁ ନୀତିରେ ତୁଳସୀ କିମ୍ବା ଧଳା ଫୁଲ ବ୍ୟବହାର ହେଉନଥିଲା। ଦଇତାପତି ସେବକଙ୍କ ଉଦ୍ୟମ କ୍ରମେ ମହାପ୍ରଭୁ କ୍ରମଶଃ ସୁସ୍ଥ ହୋଇ ଉଠନ୍ତି। ପୂର୍ବରୁ ବଡ଼ ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇ ଦିଅନ୍ତି, ଯାହା ମହାପ୍ରଭୁଙ୍କ ଠାରେ ଲାଗି କରାଯାଏ। ସେହିଭଳି ଶୁଦ୍ଧ ସୁଆର ସେବକ ମହାପ୍ରଭୁଙ୍କୁ ଔଷଧ ଯୋଗାଇ ଦିଅନ୍ତି। ଏହି କ୍ରମରେ ମହାପ୍ରଭୁ ଚକାବିଜେ ହେବା ପରେ ସୁସ୍ଥ ହେଉଥିବା ଲକ୍ଷଣ ପ୍ରକାଶ ପାଏ। ପ୍ରଭୁଙ୍କ କବିରାଜ ତୁରନ୍ତ ଶ୍ରୀମନ୍ଦିରକୁ ଦଶମୂଳ ବା ମୋଦକ ବିଜେ କରାନ୍ତି। ଆଷାଢ଼ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରର ଅନବସର ଗୃହରେ ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ। ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥିଲା। ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା କରିବା ପରେ ଅଣସର ଘରେ ଶୋଇରହିଥିବା ଜୀଉମାନେ ଉଠି ଚକା ଉପରକୁ ବିଜେ କରିବେ।

Leave a Reply

Your email address will not be published. Required fields are marked *