ଅଦାଲତି ଆଶ୍ବସ୍ତି ପରେ ବି ବିବାଦରେ ମୋକିମ

Spread the love

ଭୁବନେଶ୍ୱର: ମହମ୍ମଦ ମୋକିମଙ୍କୁ ଗୋଟିଏ ପଟେ ଅଦାଲତିରୁ ଆଶ୍ୱସ୍ତି ମିଳିଥିଲା ବେଳେ ସେପଟେ କିନ୍ତୁ ଦଳ ପକ୍ଷରୁ ବିରୋଧାଭାସର ଅଶ୍ୱସ୍ତିକର ପରିବେଶ ଘେରିଛି। ହାଇକୋର୍ଟଙ୍କ ରହିତାଦେଶ ବଳରେ ମୋକିମଙ୍କ ବିଧାୟକ ପଦ ବଜାୟ ରହିଲା। ଆଉ ବିଧାୟକ ସତ୍ତ୍ୱେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଭୋଟ ଦେବାକୁ ଆସିନଥିବାରୁ ତାଙ୍କ ବିରୁଦ୍ଧରେ ବିଷ ଓଗାଳିଛନ୍ତି ବାହିନୀପତି।

ବହୁ ଚର୍ଚ୍ଚିତ ତଥା ପୁରୁଣା ଓଆରଏଚଡିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥିବା ମହମ୍ମଦ ମୋକିମଙ୍କୁ ଶେଷରେ ଆଶ୍ୱସ୍ତି ମିଳିଛି। ଭିଜିଲାନ୍ସ କୋର୍ଟଙ୍କ ରାୟ ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି। ଆଉ ଏହି ରହିତାଦେଶ ବଳରେ ମୋକିମଙ୍କ ବିଧାୟକ ପଦ ବି ବଜାୟ ରହିଛି। ଆସନ୍ତା ଫେବୃଆରୀ ୨୨ରେ ଏହାର ପରବର୍ତ୍ତୀ ଶୁଣାଣୀ ହେବ। ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ପରେ ମୋକିମ୍ ଆଉ ବିଧାୟକ ଅଛନ୍ତି ନା ତାଙ୍କ ସଭ୍ୟପଦ ରଦ୍ଦ ହୋଇସାରିଛି, ତାକୁ ନେଇ ବିତର୍କର ବିବାଦ ଛିଡ଼ା ହୋଇଥିଲା। ଆଉ ହାଇକୋର୍ଟଙ୍କ ରାୟ ଆସିଲା ପରେ ମୋକିମ ଆଶ୍ୱସ୍ତ ହୋଇଛନ୍ତି। ଏହା ସହ ସେ ନିର୍ଦ୍ଦୋଷ ବୋଲି କଥାକୁ ଦୋହରାଇଛନ୍ତି।

ଗୋଟିଏ ପଟେ ଅଦାଲତି ଲଢେଇରେ ସିନା ଆଶ୍ୱସ୍ତ ମିଳିଛି ମୋକିମଙ୍କୁ। ସେପଟେ କିନ୍ତୁ ଦଳ ପକ୍ଷରୁ ନୁହେଁ। ଦ୍ରୌପଦୀ ମୁର୍ମୁଙ୍କୁ ମାଟିର ଝିଅ କହି ସମ୍ମାନ ଦେବା ଆଳରେ ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଭୋଟ୍ ଦେଲେ। କିନ୍ତୁ ଯେଉଁ ଦଳର ପରିଚୟରେ ବିଧାୟକ, ସେ ଦଳର ଅଧ୍ୟକ୍ଷ ନିର୍ବାଚନରେ ଭୋଟ ଦେବାକୁ ନ ଆସିବା ନିନ୍ଦନୀୟ ବୋଲି କହିଛନ୍ତି ବାହିନୀପତି। ଏଆଇସିସି ଆକ୍ସନ ନେଉ। ପିସିସି ସଭାପତିଙ୍କ ଦମ୍ ଥିଲେ, ମୋକିମଙ୍କ ଉପରେ ଆକ୍ସନ ନିଅନ୍ତୁ।

କଂଗ୍ରେସ ଲାଗି ମୋକିମ୍ ଅଡୁଆ। ଶରତ ପଟ୍ଟନାୟକ ସଭାପତି ହେବା ଦିନଠୁ ମୋକିମଙ୍କ ବିଦ୍ରୋହର ସ୍ୱର ତେଜିଛି। ଦ୍ରୌପଦୀଙ୍କୁ ଭୋଟ ଦେଇଥିବାରୁ ତାଙ୍କ ଉପରେ ଦଳୀୟ ଆକ୍ସନର ପ୍ରକ୍ରିୟା ଆରମ୍ଭ ହୋଇଛି। କଅଣ ଭୁଲ କରିଛି କହି ତାହାର ଉତ୍ତର ନ ମିଳିଲା ଯାଏ କଂଗ୍ରେସ ଭବନ ମାଡ଼ିବିନି ବୋଲି ବି କହିଛନ୍ତି ମୋକିମ୍। ଆଉ ଏହାରି ଭିତରେ ପୁରୁଣା ଓଆରଏଚଡିସି ଦୁର୍ନୀତି ମାମଲାରେ ପୁରା ଘାଣ୍ଟି ହୋଇଯାଇଛନ୍ତି ମୋକିମ୍।

ନବକିଶୋର ସାହୁଙ୍କ ସହ ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *