ବୁଲା କୁକୁର ହଟାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମିଶ୍ର ପ୍ରତିକ୍ରିୟା

Spread the love

ଭୁବନେଶ୍ବର: ହାଇଦ୍ରାବାଦରେ ଶିଶୁକୁ ଝୁଣିଗଲେ ବୁଲା କୁକୁର। ଦୁଃଖଦ ଘଟଣାକୁ ନେଇ ସବୁଆଡେ ଚର୍ଚା ଆଉ ସମସ୍ତେ ସ୍ତବ୍ଧ। ଏଭଳି ଘଟଣାର ପୁନରାବୃତ୍ତି ନହେବା ଦିଗରେ ଯତ୍ନବାନ ରହିବାକୁ ସମସ୍ତଙ୍କ ମତ। ଘଟଣାକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟ ସରକାର। ଦୁଃଖ ପ୍ରକାଶ କରିବା ସହ ସଜାଗ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀଙ୍କ ନିର୍ଦେଶ। ସହରାଂଚଳରୁ ବୁଲା କୁକୁରଙ୍କୁ ହଟାଇବା ଯୋଜନାକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା।

ହାଇଦ୍ରାବାଦରେ ୪ବର୍ଷର ଶିଶୁକୁ ବୁଲା କୁକୁର ଝୁଣିନେବା ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର କାରଣ। ଏଭଳି ଦୁଃଖଦ ଘଟଣା ଯେଭଳି ଆମ ରାଜ୍ୟରେ ନଘଟିବ ସେଥିପାଇଁ ଘାରିଛି ଚିନ୍ତା। ଏନେଇ ସଜାଗ ରହିବା ସହ ସହରାଞ୍ଚଳରୁ କିଭଳି ବୁଲା କୁକୁରଙ୍କୁ ହଟାଯାଇ ପାରିବ ସେଥିନେଇ ରାଜ୍ୟର ସମସ୍ତ ଜିଲ୍ଲା ସିଡିଭିଓଙ୍କୁ ଦିଆଯାଇଛି ନିର୍ଦେଶ। ନଗର ଉନ୍ନୟନ ବିଭାଗ ସହିତ ଏନେଇ ଆଲୋଚନା ଚାଲିଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ମନ୍ତ୍ରୀଙ୍କ ନିର୍ଦେଶନାମା ପରେ ବିଏମସି ସହିତ ଦ୍ୱିପାକ୍ଷିକ ଆଲୋଚନା କରି ଭୁବନେଶ୍ୱର ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି ବୋଲି  କହିଛନ୍ତି ଏସଡିଭିଓ। ତେବେ ଏକ୍ଷେତ୍ରରେ ଆନିମଲ ୱେଲଫେୟାର ବୋର୍ଡ଼ ଅଫ ଇଣ୍ଡିଆର ୨୦୧୮ ମାର୍ଗଦର୍ଶିକାକୁ ଅନୁପାଳନ କରିବା ଜରୁରୀ ବୋଲି ସେ ସ୍ପଷ୍ଟ କରିଛନ୍ତି।

ରାଜରାସ୍ତାରେ ବୁଲା କୁକୁରଙ୍କ ଆକ୍ରମଣରେ ଶିଶୁର ମୃତ୍ୟୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସମସ୍ତେ। ତେବେ ହାଇଦ୍ରାବାଦର ଏକ ଘଟଣାକୁ ନେଇ ସହରାଂଚଳରୁ ବୁଲା କୁକୁରଙ୍କୁ ହଟାଇବା ଯୋଜନାକୁ ନାପସନ୍ଦ କରିଛନ୍ତି ପଶୁପ୍ରେମୀ। ଏହାଦ୍ୱାରା କୁକୁରଙ୍କ ଅଧିକାର କ୍ଷୁର୍ଣ୍ଣ ହେବା ସହ କୁକୁର ମାନଙ୍କର ଅସୁବିଧା ହେଲେ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ ହୋଇଛି l ସେପଟେ ଯଦି ଏପରି କରାଯାଏ ତେବେ ଆଗାମୀ ଦିନରେ ତୀବ୍ର ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପଶୁପ୍ରେମୀ। ସେପଟେ କୁକୁରଙ୍କୁ ହଟାଇବା ପରିବର୍ତ୍ତେ କୁକୁରଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଦିଗରେ ଗୁରୁତ୍ୱ ଆରୋପ କରିଛନ୍ତି ବିଏମସି କର୍ତ୍ତୃପକ୍ଷ। ଭୁବନେଶ୍ୱରରେ ପ୍ରାୟ ୬୦ହଜାର ବୁଲା କୁକୁର ଥିବା ଅନୁମାନ କରାଯାଉଛି। ABC କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଗଲେ କୁକୁରଙ୍କ ସଂଖ୍ୟା ଉପରେ ନିୟନ୍ତ୍ରଣ ଆସିପାରିବ ବୋଲି ବିଏମସିର ମତ ରଖିଛି ।

କହିବାକୁ ଗଲେ ଗୋରୁଗାଈ ଓ ଷଣ୍ଢଙ୍କ ପାଇଁ ଉଦ୍ଦିଷ୍ଟ ଗୋଶାଳା ଭଳି ବୁଲା କୁକୁରଙ୍କ ପାଇଁ ସ୍ୱତନ୍ତ୍ର ଥଇଥାନ ବ୍ୟବସ୍ଥା କୋଉଠି ନାହିଁ। ଏପରିକି ନିୟମ ପ୍ରକାରେ ବୁଲା କୁକୁରଙ୍କୁ ନିରୁଦ୍ଧିଷ୍ଟ ଅଞ୍ଚଳରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଉପରେ ମଧ୍ୟ ରହିଛି କଟକଣା।

 ନବକିଶୋର ଓ ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *