ବଦଳିଲା ସୁଆଣ୍ଡୋର କାୟା

Spread the love

() ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠର କାୟାକଳ୍ପ ହେଲା। ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୋପବନ୍ଧୁଙ୍କ ଭାର୍ଗବୀ ସଂକଳ୍ପକୁ ଜୀବନର ବ୍ରତ କରି ନୂଆ ଓ ସଶକ୍ତ ଓଡ଼ିଶା ଗଠନ ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲା ବେଳେ ମଞ୍ଚାସୀନ ଅତିଥିଙ୍କ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ନେଇ ପ୍ରତିଯୋଗିତା ଭିନ୍ନ ପରିବେଶ ସୃଷ୍ଟି କରିଥିଲା।

ଉତ୍କଳମଣିଙ୍କ ଜନ୍ମପୀଠର କାୟାକଳ୍ପ। ସୁଆଣ୍ଡୋ ଚଳଚଞ୍ଚଳ। ଯୁଗ ପୁରୁଷଙ୍କ ସ୍ମୃତି ରକ୍ଷା ଲାଗି ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋରୁ ଆରମ୍ଭ ହୋଇଛି ମହାପୁରୁଷଙ୍କ ଜନ୍ମପୀଠର ବିକାଶ କାର୍ଯ୍ୟକ୍ରମ। ସୁଆଣ୍ଡୋରେ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିବା ସହ ୧୫ଫୁଟ ଉଚ୍ଚର ଅବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ ପୈତୃକ ବାସଗୃହର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ସୂଚନାକେନ୍ଦ୍ର ମଧ୍ୟ କରାଯାଇଛି। ଉତ୍କଳମଣିଙ୍କ ସ୍ମୃତି ରକ୍ଷା ଲାଗି ଯେତେ ଯାହା କଲେ ବି କମ୍ ହେବ ବୋଲି କହିଛନ୍ତି ନବୀନ।

ହେଲେ ଏହି ଅବସରରେ ନବୀନଙ୍କୁ ପ୍ରଶଂସା ବେଳେ ପ୍ରତିଯୋଗିତା ଏଠି ବି ଥିଲା ଢେର୍। ଫାଇଭ-ଟି କ୍ରମରେ ରାଜ୍ୟର ସବୁ ବରପୁତ୍ରଙ୍କ ଜନ୍ମପୀଠର ରୂପାନ୍ତର କରାଯିବ। ଆଉ ସୁଆଣ୍ଡୋରୁ ଏହା ଆରମ୍ଭ ହୋଇଥିବାରୁ ସମାଜର ପ୍ରକାଶକ ନିରଞ୍ଜନ ରଥ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଯାଇ ଓଡ଼ିଶାର ଚିହ୍ନ ଗୋପବନ୍ଧୁ ବୋଲି କହି କଥା କମ୍ ରେ ଅଧିକ କାମ କରି ବିପୁଳ ଜନସମର୍ଥନ ପାଉଥିବା ନବୀନ ପୃଥିବୀରେ ଅନନ୍ୟ କହି ଭୁରି ଭୂରି ପ୍ରଶଂସାରେ ପୋତି ପକାଇଥିଲେ। ଆଉ ତା ପଛକୁ ପଛ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ତ ପ୍ରଶଂସା କରି ଏକରକମ ଭାବବିହ୍ୱଳ ହୋଇଯାଇଥିଲେ। ସାଂସଦ ପିନାକୀ ମିଶ୍ର ତ ନବୀନଙ୍କୁ ମହାପୁରୁଷ ବୋଲି କହିବାକୁ ପଛାଇଲେନି। ଗୋପବନ୍ଧୁଙ୍କ ନାତି ଧିରେନ୍ଦ୍ର ଦାସଙ୍କୁ ଏହାଠୁ ଆଉ ବଡ଼ କାୟାକଳ୍ପ ହୋଇପାରିଥାଆନ୍ତା କି ବୋଲି ପଚାରିଥିଲେ ପିନାକୀ। ଆଉ ମନ୍ତ୍ରୀ ସମୀର ଦାସ ପ୍ରବଚନ ଷ୍ଟାଇଲରେ ନବୀନ ସେବକର ମୂର୍ତ୍ତିମନ୍ତ ପ୍ରତୀକ ବୋଲି କହି ତାଙ୍କ ଭଳି ଆଉ କେହି ନେତା ବିଧାୟକ କି ମନ୍ତ୍ରୀଙ୍କୁ ସେବକ ଭାବେ ଭାବିବାକୁ ମନ୍ତ୍ର ଦେଇନଥିବେ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଫାଇଭ-ଟି ସଚିବ ଯେଭଳି ଦିନରାତି ଏକ କରିଦେଇଥିଲେ ଉତ୍କଳମଣିଙ୍କ ଜନ୍ମପୀଠକୁ ନୂଆ ରୂପ ଦେବାରେ, ତାହା ବାସ୍ତବିକ ପ୍ରଶଂସନୀୟ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୂର୍ବତନ ଜିଲ୍ଲାପାଳ ବଲଓ୍ୱନ୍ତ ସିଂଙ୍କ ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ।

 ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *