ଖରିଫରେ ଉନ୍ନତ କିସମ ବିହନ ଯୋଗାଣ ଜାରି, ଜୁଲାଇ ୧୦ ସୁଦ୍ଧା ପ୍ରାୟ ୩.୫୦ ହଜାର କ୍ୱିଣ୍ଟାଲ ଧାନ ଓ ଅଣଧାନ ବିହନ ଯୋଗାଣ

Spread the love

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଚଳିତ ଖରିଫରେ ଉନ୍ନତ କିସମର ବିହନ ଯୋଗାଣ ଜାରି ରହିଛି । ଜୁଲାଇ ଦଶ ତାରିଖ ସୁଦ୍ଧା ପ୍ରାୟ ୩ ଲକ୍ଷ ୫୦ ହଜାର କ୍ୱିଣ୍ଟାଲ ଧାନ ଓ ଅଣଧାନ ବିହନ ରାଜ୍ୟର ସମସ୍ତ ଜିଲ୍ଲାର ଡିଲର ଏବଂ ପ୍ୟାକସ୍ ମାଧ୍ୟମରେ ଯୋଗାଣ କରାଯାଇଛି । ଚଳିତ ବର୍ଷ ବିଳମ୍ବିତ ମୌସୁମୀ ଓଡ଼ିଶାକୁ ଛୁଇଁଥିବା ହେତୁ ବିହନ ଯୋଗାଣ କ୍ଷେତ୍ରରେ ବିଳମ୍ବ ପରିଲକ୍ଷିତ ହେଉଛି, ଯାହା ଆଗାମୀ ଦିନରେ ସୁଧୁରି ଯାଇପାରେ ଏବଂ ଜୁଲାଇ ମାସ ଶେଷ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ । ବିହନ ଯୋଗାଣ ଜାରି ରହିଛି ଏବଂ ଖରିଫ ଋତୁରେ ୪ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ବିହନ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ।

ବୁଧବାର କୃଷି ଭବନଠାରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଖରିଫରେ ଧାନ ଓ ଅଣଧାନ ବିହନ ଯୋଗାଣ ସମ୍ପର୍କରେ ସମୀକ୍ଷା କରିଥିଲେ । ବିହନ ଯୋଗାଣ ପ୍ରକ୍ରିୟାରେ ଡିବିଟି ମାଧ୍ୟମରେ ଚାଷୀମାନଙ୍କୁ ରିହାତି ପ୍ରଦାନ କରାଯାଇଛି । ରିହାତି ପ୍ରଦାନରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ନିମନ୍ତେ ରିହାତି ରାଶି ଓଟିପି ମାଧ୍ୟମରେ ଚାଷୀମାନଙ୍କୁ ଆକାଉଣ୍ଟକୁ ସିଧାସଳଖ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସ୍ୱଚ୍ଛତା ଦୃଷ୍ଟିରୁ ଏହା ଏକ ଉତମ ପଦକ୍ଷେପ ବୋଲି ଡ. ପାଢ଼ୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ଓଟିପି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବା ପାଇଁ ଗୋଟିଏ ମୋବାଇଲ ନମ୍ବରରେ ଦଶ ଜଣ ଚାଷୀଙ୍କ ପାଇଁ ଓଟିପି ଜାରି କରାଯାଉଛି । ଚାଷୀ ପିଛା ସର୍ବାଧିକ ୩ ହେକ୍ଟର ଚାଷଜମି ପାଇଁ ବିହନରେ ରିହାତି ଦିଆଯାଉଛି । ଚଳିତ ଖରିଫରେ ଦଶବର୍ଷରୁ ଅଧିକ ଧାନ ବିହନରେ ରିହାତି କ୍ୱିଣ୍ଟାଲ ପିଛା ୧୨୫୦ ଟଙ୍କା ପ୍ରଦାନ କରାଯାଉଥିବାବେଳେ ଦଶ ବର୍ଷରୁ କମ୍ ଅବଧିବିଶିଷ୍ଟ ଧାନ ବିହନରେ କ୍ୱିଣ୍ଟାଲ ପ୍ରତି ୧୫୦୦ ଟଙ୍କା ରିହାତି ବ୍ୟବସ୍ଥା ରହିଛି ।

ସେହିପରି ଖରିଫରେ ଚାଷୀମାନଙ୍କୁ ଆଳୁ ବିହନ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ଏବଂ ଚାଷୀମାନଙ୍କ ଖରିଫରେ ଆଳୁ ବିହନ ପ୍ରତି ଅଧିକ ଆଗ୍ରହ ପରିଲକ୍ଷିତ ହେଉଛି । ଅଦ୍ୟାବଧି ୪୦ ହଜାର କ୍ୱିଣ୍ଟାଲ ପ୍ରାମାଣିକ ଆଳୁ ବିହନ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି, ଯାହାକି ପୂର୍ବବର୍ଷ ରବି ଋତୁଠାରୁ ଅଧିକ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଛନ୍ତି ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଭବେଶ କୁମାର ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗାଦେଇଥିଲେ ।

Leave a Reply

Your email address will not be published. Required fields are marked *