ନବ ଦାସ ହତ୍ୟାକାଣ୍ଡରେ ବିଧାୟକ ସୁଶାନ୍ତ ସିଂଙ୍କ ହାତ!

Spread the love

() ନବ ଦାସ ହତ୍ୟାକାଣ୍ଡର ଗୁମର କେବେ ଖୋଲିବ? କିଏ ଷଡ଼ଯନ୍ତ୍ରକାରୀ? ଏ ଯାଏ କାହିଁକି କିଛି ସ୍ପଷ୍ଟତା ଆସିଲାନି? ଗୃହ କାର୍ଯ୍ୟ ଚାଲିପାରିନଥିବାରୁ ଆଜି ବିରୋଧୀଙ୍କ ଲିଖିତ ପ୍ରଶ୍ନର ଉତ୍ତର ସରକାରଙ୍କ ପକ୍ଷରୁ ଆସିଛି। ସେପଟେ ନବ ଦାସ ହତ୍ୟାକାଣ୍ଡ ପଛରେ ବିଧାୟକ ସୁଶାନ୍ତ ସିଂଙ୍କ ହାତ ଥିବା ଆରୋପ ଆଣି ଛାତ୍ର କଂଗ୍ରେସ ସୁଶାନ୍ତଙ୍କ ସରକାରୀ ବାସଭବନ ଘେରାଓ କରିଥିଲା। ଆଉ ଶାସକ ଦଳ କହିଛି, ତଦନ୍ତରେ ସ୍ୱଛତା ରଖିବାକୁ ସବୁପ୍ରକାର ପଦକ୍ଷେପ ନେଉଛନ୍ତି ସରକାର। ବିରୋଧୀ ତୁଛା ରାଜନୀତିରେ ମାତିଛନ୍ତି।

ମୌଖିକରେ ପଚାରୁଥିଲେ। ଆଉ ଏବେ ଲିଖିତ ପ୍ରଶ୍ନରେ ସରକାରଙ୍କଠୁ ଉତ୍ତର ଲୋଡ଼ିଲେ ବିରୋଧୀ। ନବ ଦାସ ହତ୍ୟାକାଣ୍ଡର ଗୁମର କେବେ ଖୋଲିବ? ଏଏସଆଇ ଗୋପାଳ ଦାସ କେତେ ଥର ଛୁଟି ମାଗିଛନ୍ତି। ଗଲା ୧୦ ବର୍ଷ ଭିତରେ ତାଙ୍କର ପରଫରମାନ୍ସ କେମିତି ଥିଲା। ସେ କେତେ ଥର ପୁରଷ୍କୃତ ହୋଇଛନ୍ତି। ଚାକିରୀ କାଳରେ କୌଣସି ଅପରାଧିକ ମାମଲାର ତଦନ୍ତ କରିଛନ୍ତି କି। ହତ୍ୟା ଘଟଣାରେ କେଉଁ ସାମଗ୍ରୀ ଏଯାବତ ଜବତ ହୋଇପାରୁନି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କ ନିଯୁକ୍ତି ନେଇ ହାଇକୋର୍ଟଙ୍କୁ ସିଏମଓରୁ ଲେଖାଯାଇଥିବା ଅନୁରୋଧ ପତ୍ର, ଅଭିଯୁକ୍ତଙ୍କ ମାନସିକ ରୋଗ ସଂକ୍ରାନ୍ତ ବିବରଣୀ, କ୍ରାଇମବ୍ରାଞ୍ଚ ଅପରାଧର ଉଦ୍ଦେଶ୍ୟ ଓ ଷଡ଼ଯନ୍ତ୍ର ଉନ୍ମୋଚନ କରିନପାରିଲେ ଆଗକୁ କି ପଦକ୍ଷେପ ବୋଲି ବିବରଣୀ ମାଗିଛନ୍ତି। ଏମିତି ତମାମ ଲିଖିତ ପ୍ରଶ୍ନରେ ସରକାରଙ୍କଠୁ ଉତ୍ତର ଲୋଡ଼ିଛନ୍ତି ବିରୋଧୀ। ଆଉ ସରକାର ବି ଏହାର ଉତ୍ତର ରଖିଛନ୍ତି। ୧୦ ବର୍ଷ ଭିତରେ ଗୋପାଳଙ୍କ ତଦନ୍ତ ସନ୍ତୋଷଜନକ। ଗୋପାଳ କେବେ ବି ନିଜର ମାନସିକ ରୋଗ ଦର୍ଶାଇ ଛୁଟି ଦରଖାସ୍ତ ଦେଇନାହାନ୍ତି। କି କେବେ ବଦଳି ଲାଗି ରିପ୍ରେଜେଣ୍ଟେସନ ଦେଇନାହାନ୍ତି। ସର୍ବୋପରି କାହା ସ୍ୱାର୍ଥରେ ତଦନ୍ତ ଦିଗହରା ହେଲାଣି କହି ବିରୋଧୀ ସରକାରଙ୍କୁ ପୁଣି ଅଙ୍ଗୁଳି ଉଠାଇଛନ୍ତି।

ସେପଟେ ହତ୍ୟାକାଣ୍ଡ ପଛରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ହାତ ରହିଥିବାର ଅଭିଯୋଗ ଆଣି ଛାତ୍ର କଂଗ୍ରେସ ସୁଶାନ୍ତଙ୍କ ବାସଭବନ ଘେରାଓ କରିଥିଲା। ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଦାବି କରିଛି ଛାତ୍ର କଂଗ୍ରେସ। ସୁଶାନ୍ତଙ୍କ ଘର ଉପରକୁ ଟମାଟୋ ମାଡ଼ କରିବା ସହ ଘରେ ଧସେଇ ପଶିବାକୁ ଉଦ୍ୟମ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ବିଧାନସଭା ଘେରାଓ କରିବାକୁ ଉଦ୍ୟମ ବେଳେ ପୁଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ଶାସକ ଦଳ କହିଛି, ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି ବିରୋଧୀ। କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ସରକାର ସବୁ ଦିଗକୁ ନଜର ଦେଇ ତଦନ୍ତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିସାରିଛନ୍ତି। ତା ସତ୍ତ୍ୱେ ବିରୋଧୀ ଏଭଳି ହୀନ ରାଜନୀତି କରିବା ଛାଡ଼ନ୍ତୁ ବୋଲି ପରାମର୍ଶ ଦେଇଛି।

ନବ ଦାସ ହତ୍ୟାକାଣ୍ଡକୁ ୫୦ ଦିନ ପୁରିଲାଣି। ଅଥଚ ଗୋପାଳ କାହିଁକି ମାରିଲା, ସେ କଥାର ଉନ୍ମୋଚନ ହୋଇପାରିଲାନି। ସେଥିଲାଗି କ୍ରାଇମବ୍ରାଞ୍ଚ ଉପରେ ଭରସା ନାହିଁ କହି ଏସଆଇଟି ତଦନ୍ତ କଂଗ୍ରେସ ଚାହୁଁଥିଲା ବେଳେ ବିଜେପି କହୁଛି ସିବିଆଇ କରୁ।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *