ରଥକନା ପ୍ରସ୍ତୁତିରେ ଦରଜି ସେବକ

Spread the love

ପୁରୀ : ଜୁନ୨୦ ତାରିଖ ବିଶ୍ଵ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂତି । କାଠରେ ନିର୍ମିତ ରଥକୁ ଆକର୍ଷଣୀୟ କରିବା ପାଇଁ ରଥ କନାରେ ମଣ୍ଡଣି ଦିଆଯାଇଥାଏ । ଶ୍ରୀମନ୍ଦିର ସ୍ଵତ୍ଵଲିପି ୯୫ ନମ୍ବର ଅନୁଯାୟୀ ଦରଜି ସେବା ସମ୍ପର୍କରେ ଉଲ୍ଲେଖ ରହିଛି । ତିନି ରଥର କନା ସିଲାଇ କରିବା ଦରଜି ସେବକଙ୍କ ମୁଖ୍ୟ କାମ । ତିନି ରଥର କନା ମଣ୍ଡଣି ନେତ୍ର ଉତ୍ସବ ଦିନ ଶେଷ ହୋଇଥାଏ । ଶ୍ରୀ ବଳଭଦ୍ରଙ୍କ ତାଳଧ୍ଵଜ ରଥର କନା ମଣ୍ଡଣି ପାଇଁ ୪୨୫ ମିଟର ନାଲି ଓ ନେଳି କନା ବ୍ୟବହୃତ ହୋଇଥାଏ । ମା ସୁଭଦ୍ରାଙ୍କ ଦେବଦଳନ ରଥର କନା ମଣ୍ଡଣି ପାଇଁ ୪୦୦ ମିଟର କଳା ଓ ନାଲି କନା ବ୍ୟବହୃତ ହୋଇଥାଏ । ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥ ପାଇଁ ୪୨୫ ମିଟର ନାଲି ଓ ହଳଦିଆ କନା ବ୍ୟବହୃତ ହୋଇଥାଏ । ତିନି ରଥ ପାଇଁ ସମୁଦାୟ ୧୨୫୦ ମିଟର କନାର ଆବଶ୍ୟକ ହୋଇଥାଏ । ସ୍ନାନପୂର୍ଣ୍ଣମୀ ଦିନ ଦରଜି ସେବାୟତମାନେ ୫୦ ଫୁଟ ଲମ୍ବା ଓ ୫୦ ଫୁଟ ଓସାରର ୧୪ଟି ଚନ୍ଦୁଆ ନିର୍ମାଣ କରିଥାନ୍ତି । ଦରଜି ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ନେତୃତ୍ୱରେ ୧୭ ଜଣ ଦରଜି ସେବକ କାର୍ଯ୍ୟ କରୁଛନ୍ତି । ତିନି ରଥକୁ ଆକର୍ଷଣୀୟ କରିବା ପାଇଁ ଜମ୍ବୁରା, ଜରି, ଲେସ, ଫୁଲ ବ୍ୟବହୃତ ହୋଇଥାଏ । ନିଷ୍ଠାର ସହ ହବିଷ ପାଳନ କରି ଦରଜି ସେବାୟତମାନେ ରଥକନା ସିଲାଇ କରୁଛନ୍ତି । ଶ୍ରୀଜୀଉଙ୍କ ଚକା ଅପସର ପାଇଁ ଦରଜି ସେବକମାନେ ସ୍ୱତନ୍ତ୍ର ତକିଆ ନିର୍ମାଣ କରିଥାନ୍ତି । ହଳଦିଆ,ନେଳି ଓ ନାଲି ରଙ୍ଗରେ ଚକା ଅପସର ପ୍ରସ୍ତୁତ ହୋଇଥାଏ । ରଥରେ ଲଗିବାକୁ ଥିବା ରଥକନା ସିଲାଇ କରିବାପାଇଁ ଦରଜି ସେବକମାନେ ଅନୁକୂଳ ପୂଜା କରିଥାନ୍ତି । ବଡ଼ଠାକୁରଙ୍କ ୮ଟି ବେତା ଓ ୨୪ ଟି ବିଳାସପଟି କଟା ହୋଇ ରଥକନାର ଶୁଭାରମ୍ଭ ହୋଇଥିଲା । ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୮ଟି ଲେଖାଁଏ ବତା ଓ ୨୪ଟି ଲେଖାଁଏ ବିଳାସପଟି କଟା ହୋଇଥିଲା । କନା କଟା ହୋଇ ଚିହ୍ନ ଦିଆଯିବା ପରେ ଦରଜି ସେବକମାନଙ୍କୁ ଯୋଗାଇ ଦିଆଯାଇଥିଲା । ବସନ୍ତ ମହାପାତ୍ର,ଲୋକନାଥ ମହାପାତ୍ର, ଅମିତ ମହାପାତ୍ର, ପ୍ରଦୀପ ମହାପାତ୍ର, ପ୍ରତାପ ମହାପାତ୍ର, ଅସିତ ମହାପାତ୍ରଙ୍କ ସମେତ ଅନ୍ୟ ଦରଜି ସେବକମାନେ କାର୍ଯ୍ୟରତ ଅଛନ୍ତି । ମହାପ୍ରଭୁଙ୍କ ସେବାରେ ଦରଜି ସେବକମାନେ ନିୟୋଜିତ ହୋଇଥିବାରୁ ସେମାନେ ନିଜକୁ ଧନ୍ୟ ମଣି ଛନ୍ତି ବୋଲି ଦରଜି ସର୍ଦ୍ଦାର କହିଛନ୍ତି ।

Leave a Reply

Your email address will not be published. Required fields are marked *