ଭୁବନେଶ୍ୱର : ଗ୍ରୀଷ୍ମପ୍ରବାହରେ ସାଧାରଣ ଲୋକେ ହନ୍ତସନ୍ତ । ‘ପାୱାର କଟ୍’ କୁ ନେଇ ସମଗ୍ର ରାଜ୍ୟ ହୁଲୁସ୍ତୁଲ୍ । ବିଜୁଳି ବିତରଣ କମ୍ପାନୀ ଟାଟା ପାୱାର, ଶକ୍ତି ବିଭାଗ ଏବଂ ରାଜ୍ୟ ସରକାରଙ୍କ ଭିତିରି ବୁଝାମଣା କାରଣରୁ ଘନ ଘନ ଅଘୋଷିତ ବିଜୁଳି କାଟ୍ ସତ୍ୱେ ମୁଖ୍ୟମନ୍ତ୍ରୀ ମୈାନ ଧାରଣ କରି ନୀରବ ଅଛନ୍ତି । ରାଜ୍ୟବାସୀଙ୍କୁ ନିରବିଚ୍ଛନ ବିଜୁଳି ସେବା ଯୋଗାଇବାରେ ହୋଇଥିବା ବିଜେଡି ସରକାର ସଂପୂର୍ଣ୍ଣ ବିଫଳ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ.ଲେଖାଶ୍ରୀ କହିଛନ୍ତି ଯେ ଟାଟା କମ୍ପାନୀ ନିଜ ଲାଭ ପାଇଁ ଓଡିଶାରେ ବିତରଣ ଦାୟୀତ୍ୱ ନେଇଛି । କିନ୍ତୁ ଓଡିଶା ସରକାର ଫାଇଦା ବା ଲାଭ ପାଇଁ ନୁହେଁ, ବରଂ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରିବା ଉଚିତ୍ । ବିଜୁଳି ବିଭ୍ରାଟ ପ୍ରସଙ୍ଗରେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇ ଘରୋଇ ଟାଟା ପାୱାର କଂପାନୀ ଉପରେ କାହିଁକି ଦୋଷ ଲଦି ଦେଉଛନ୍ତି ରାଜ୍ୟ ସରକାର ବୋଲି ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।ଚୁକ୍ତି ମୁତାବକ ୪୯ ପ୍ରତିଶତ ଅଂଶଧନ ରାଜ୍ୟ ସରକାରଙ୍କର ଏବଂ ୫୧ ପ୍ରତିଶତ ହେଉଛି ଟାଟା ପାୱାରର ହୋଇଥିଲେ ସୁଦ୍ଧା ମୁଳ ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ଟାଟା ପାୱାର ନୁହେଁ ରାଜ୍ୟ ସରକାର ଉତରଦାୟୀ ହୁଅନ୍ତୁ । ବିଦ୍ୟୁତ ବିତରଣର ୧୦୦ ପ୍ରତିଶତ ଟାଟା ପାୱାର କଂପାନୀ ହାତକୁ ଟେକି ଦେଲା ଭଳି ବ୍ୟବହାର ରାଜ୍ୟ ସରକାର କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିବା ସହିତ ହୋଇଥିବା ଚୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ଏକ ଶ୍ୱେତ ପତ୍ର ଜାରୀ କରିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି ।
ସେ କହିଛନ୍ତି ମହାମହିମ୍ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସଭାରେ ‘ପାୱାର କଟ୍’ ହେବା ଦ୍ୱାରା ଦେଶରେ ଓଡିଶାବାସିଙ୍କୁ ଲଜ୍ଜିତ ହେବାକୁ ପଡିଥିଲା । ଗତକାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ୍ ମ୍ୟାଚ ସମୟରେ ବାରମ୍ବାର ‘ପାୱାର କଟ୍’ ହେବା ଦ୍ୱାରା ସମଗ୍ର ବିଶ୍ୱରେ ଓଡିଶାବାସୀ ନିନ୍ଦିତ ହେଲେ ।
ବିଜୁଳି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କମ୍ପାନୀ ପ୍ରୀତି ପ୍ରତିବାଦରେ ବିଜେପି ତରଫରୁ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଓ ବିକ୍ଷୋଭ ଆଜି ମଧ୍ୟ ଜାରୀ ରହିଛି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now