ଥାନା ୱାରୀ ଲାଗିବ ନୋଟିସ୍

Spread the love

ସାଲେପୁର : କମିଶନରେଟ୍ ପୁଲିସ ବ୍ୟବସ୍ଥାରେ ଏକାଧିକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଦିନକୁ ଦିନ ନୂଆ ନିର୍ଦ୍ଦେଶାନାମା ଗୁଡିକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚକର୍ତୃପକ୍ଷ ପଦକ୍ଷେପ ନେଇଛନ୍ତି । ତେବେ ଗିରଫ ସମୟରେ ଥିବା ନିୟମାବଳୀକୁ ଥାନାଗୁଡିକ ପାଳନ କରୁନଥିବା ଅଭିଯୋଗ ହେବା ପରେ କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରତ୍ୟେକ ଥାନାକୁ ତାଗିଦ କରାଯାଇଛି । ଗିରଫ ନିୟମାବଳୀ ସଂପର୍କୀତ ନୋଟିସ୍ କୁ ଥାନା କାନ୍ଥରେ ଲଗାଇବାକୁ କୁହାଯାଇଛି । କୌଣସି ଅଭିଯୁକ୍ତକୁ ଗିରଫ କରିବା ସମୟରେ ଯେଉଁ ନିୟମ ପୁଲିସ ପାଳନ କରିବା କଥା ତାହାକୁ କଡାକଡି ଭାବେ ପାଳନ କରିବାକୁ ଡିସିପି ପିନାକୀ ମିଶ୍ର ପ୍ରତ୍ୟେକ ଥାନାର ଆଇଆଇସି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଥାନା ଅଧିକାରୀ ଗିରଫ ସମୟରେ ରହିଥିବା ନିୟମାବଳୀକୁ ଉଲଘଂନ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀ ମିଶ୍ର କରିଛନ୍ତି ।

କୌଣସି ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା ପୁଲିସ ଅଧିକାରୀ ସାଦା ପୋଷାକରେ ନଯାଇ ପୁଲିସ ପୋଷାକରେ ଯିବେ । ପୋଷାକ ଉପରେ ସଂପୃକ୍ତ ପୁଲିସ ଅଧିକାରୀଙ୍କ ନାମ ଓ ନମ୍ବର ରହିବା ଅପରିହାର୍ଯ୍ୟ । ପୁଲିସ ଗିରଫ କଲେ ଗିରଫ ତାରିଖ ଓ ସମୟ ଥିବା ଏକ ‘ମେମୋ ଅଫ ଆରେଷ୍ଟ’ ବା ଗିରଫ ତାଲିକା ପ୍ରସ୍ତୁତ କରିବେ । ଯେଉଁଥିରେ କି ଜଣେ ସାକ୍ଷୀ ଓ ଗିରଫ ବ୍ୟକ୍ତିଙ୍କ ସ୍ୱାକ୍ଷର ରହିବା ବାନ୍‌ଛନୀୟ । ବ୍ୟକ୍ତିଙ୍କ ଗିରଫଦାରୀ ଏବଂ ତାଙ୍କୁ ରଖାଯାଇଥିବା ଆବଦ୍ଧ ଘର ସଂପର୍କରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଜଣାଇବା ଆବଶ୍ୟକ । ଗିରଫ ବ୍ୟକ୍ତିଙ୍କର ପରିବାର, ବନ୍ଧୁ କିମ୍ବା ସଂପର୍କୀୟମାନେ ଯଦି ଜିଲ୍ଲା ବାହାରେ ରହୁଥିବେ ସେମାନଙ୍କୁ ଗିରଫ ହେବାର ସମୟ, ତାରିଖ ଓ ରଖାଯାଇଥିବା ଘର(ହାଜତ) ବିଷୟରେ ସର୍ବନିମ୍ନ ୮ରୁ ସର୍ବାଧିକ ୧୨ ଘଂଟା ମଧ୍ୟରେ ଆଇନ ସହାୟତା ସଂସ୍ଥା ମାଧ୍ୟମରେ ଜଣାଇବା ଗୁରୁତ୍ୱପୂର୍ଣ୍ଣ । ପୁଲିସ ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ ସମୟରେ ଆବଶ୍ୟକସ୍ଥଳେ ଫୋନ୍ ବ୍ୟବହାର କରିବାର ସୁଯୋଗ ଦେଇପାରିବେ । ଗିରଫ ସମ୍ବନ୍ଧୀୟ ସୂଚନାର ଏକ ଲିଖିତ ତଥ୍ୟରେ ପରଦର୍ଶକ ଦାୟିତ୍ୱରେ ଥିବା ପୁଲିସ ଅଫିସରଙ୍କ ନାମ ଉଲ୍ଲେଖ ରହିବ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂପର୍କୀୟ ଥାନାକୁ ଆସି ତାଙ୍କ ସମ୍ପର୍କୀୟଙ୍କ ସବିଶେଷ ତଥ୍ୟ ସେ ପୁଲିସ ଡାଏରୀରୁ ପଢି ଜାରିପାରିବେ । ଅନ୍ୟପକ୍ଷରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କର ଡାକ୍ତରୀମାଇନା ଏବଂ ଆଘାତ ବିବରଣୀ ଥାନାରେ ଲିଖିତ ଭାବେ ରହିବ । ସେହି ବିବରଣୀରେ ଗିରଫ କରିଥିବା ପୁଲିସ ଏବଂ ଗିରଫ ହୋଇଥିବା ବ୍ୟକ୍ତିର ଦସ୍ତଖତ ସଂଳଗ୍ନ ଏକ ନକଲ ଗିରଫ ଅଭିଯୁକ୍ତ ବା ତାଙ୍କ ସମ୍ପକୀୟଙ୍କୁ ପୁଲିସ ପ୍ରଦାନ କରିବେ । ଯଦି କୌଣସି ଅଭିଯୁକ୍ତ ଗିରଫ ହୋଇ କୋର୍ଟଚାଲାଣ ହୋଇନଥିବେ, ସେ କ୍ଷେତ୍ରରେ ୪୮ ଘଂଟା ମଧ୍ୟରେ ଥରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସମସ୍ତ ତଥ୍ୟ ସମ୍ବଳିତ ନକଲ ଅଦଲାତରେ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ପୁଲିସ ଉପସ୍ଥାପନ କରିବ । ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଜେରା ସମୟରେ ତାଙ୍କ ଓକିଲଙ୍କୁ ଭେଟିବାର ସୁଯୋଗ ଦିଆଯିବ । ଏଥିରେ ପୁଲିସ ସହଯୋଗ କରିବ । ଏଭଳି ବିଭାଗୀୟ ନିର୍ଦ୍ଦେଶନାମା ଗିରଫ ହୋଇଥିବା ଅଭିଯୁକ୍ତଙ୍କ କ୍ଷେତ୍ରରେ ପାଳନ କରିବା ବାଧ୍ୟତାମୂଳକ । ହେଲେ କେତେକ ଥାନାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଥାନା ଅଧିକାରୀମାନେ ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି ହେବା ସହିତ ଚେତାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *