୨୦୨୩ ଡିସେମ୍ୱର ସୁଦ୍ଧା ବସ୍ତିମୁକ୍ତ ହେବ ରାଜ୍ୟ

Spread the love

() ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବାକୁ ଓଡ଼ିଶାର ୫ଟି ମହାନଗର ନିଗମରେ ଆଜିଠୁ ଡ୍ରୋନ୍ ସର୍ଭେ ଆରମ୍ଭ ହେଲା। ୩୩ଟି ପୌର ସଂସ୍ଥାର ୭୦୭ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀ ରୂପେ ଉତ୍ସର୍ଗ କରିଛନ୍ତି ସରକାର। ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ପୌରାଞ୍ଚଳ ଆଜିଠୁ ବସ୍ତିମୁକ୍ତ ସହର ରୂପେ ନୂଆ ପରିଚୟ ପାଇଛି। ୨୦୨୩ ଡିସେମ୍ୱର ସୁଦ୍ଧା ସାରା ରାଜ୍ୟ ବସ୍ତିମୁକ୍ତ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସେମାନେ ସହରର ମେରୁଦଣ୍ଡ। ସହର ବିକାଶ ଲାଗି କାମ ଓ ସେବା କରୁଥିବା ବସ୍ତିବାସିନ୍ଦାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦରକାର। ଜବରଦଖଲକାରୀ, ଆଇନଭଙ୍ଗକାରୀ ଭାବେ ସେମାନଙ୍କୁ ଏକଦା ଗଣାଯାଉଥିଲା। କିନ୍ତୁ ସେମାନଙ୍କୁ ନୂଆ ପରିଚୟ ଦେବାକୁ ଯାଇ ଜାଗା ମିଶନର ଜନ୍ମ। ମେ ୭, ୨୦୧୮ରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଦେବାକୁ ଆରମ୍ଭ ଜାଗା ମିଶନ ଏହାରି ଭିତରେ ଅନେକ ସଫଳତା ଅର୍ଜନ କରିଛି। ଆଉ ଆଜି ଆଉ ପାଦେ ଆଗେଇଛି। ୫ଟି ମହାନଗର ନିଗମରେ ଭୂମି ଅଧିକାର ଦେବାକୁ ଡ୍ରୋନ୍ ସର୍ଭେ ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ସବୁଜ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ପୌରାଞ୍ଚଳ ସମ୍ପୂର୍ଣ୍ଣ ବସ୍ତିମୁକ୍ତ ସହର ଭାବେ ନୂଆ ପରିଚୟ ପାଇଛି। ଆଜି ଯାଏ ୧୦୫ଟି ସହରର ବସ୍ତିରେ ଥିବା ୧ ଲକ୍ଷ ୭୦ ହଜାର ପରିବାରକୁ ଜମି ଅଧିକାର ମିଳିଥିଲା ବେଳେ ଡିସେମ୍ୱର ୨୦୨୩ ସୁଦ୍ଧା ରାଜ୍ୟର ଅଢ଼େଇ ଲକ୍ଷ ଲୋକଙ୍କୁ ଏହି ଅଧିକାର ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

 ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମିଶନକୁ ନେଇ ଷ୍ଟାଣ୍ଡିଂ ଅଡିସନ୍ ଦିଆଯାଇଥିଲା ସଭାରେ।

୩୩ଟି ପୌର ସଂସ୍ଥାର ୭୦୭ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀ ରୂପେ ଉତ୍ସର୍ଗ କରିଛନ୍ତି ସରକାର। ବୈଷୟିକ ସହଯୋଗ ପାଇଁ ଜାଗା ମିଶନ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଭିତରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ବ୍ରହ୍ମପୁର ସହରର ୧୦ ନମ୍ୱର ଓ୍ୱାର୍ଡର ଆଇନବନ୍ଧ ସାହିରୁ ଏହି ଡ୍ରୋନ ସର୍ଭେର ଶୁଭାରମ୍ଭ ହୋଇଥିଲା। ସହରର ୧୬୩ଟି ବସ୍ତିରେ ଏହି ଡ୍ରୋନ୍ ସର୍ଭେ ହେବ। ଏଥିରେ ସହରର ୨୮ ହଜାରରୁ ଅଧିକ ଲୋକ ଉପକୃତ ହେବେ।

ବସ୍ତି ବିକାଶରେ ବସ୍ତି ଉନ୍ନୟନ ସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଏହି ବସ୍ତି ଉନ୍ନୟନ ସଂଘଗୁଡ଼ିକ ହିଁ ବିଜୁ ଆଦର୍ଶ କଲୋନୀର ପରିଚାଳନା କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସହରକୁ ବସ୍ତିମୁକ୍ତ, ବସ୍ତି ସୃଷ୍ଟି ହେବା ପଛର କାରଣକୁ ଅନୁଧ୍ୟାନ କରି ଏହାର ନିରାକରଣ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ବ୍ରହ୍ମପୁରରୁ ଇତିଶ୍ରୀ ସମାପିକା ମହାନ୍ତିଙ୍କ ସହ ଭୁବନେଶ୍ୱରରୁ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *