ବିଧାନସଭା ପରିସରରେ ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି

Spread the love

ଭୁବନେଶ୍ୱର : ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ, ଅନ୍ୟତମ ବିପ୍ଳବୀ ପୁରୁଷ, ସମାଜବାଦୀ ନେତା, ପ୍ରଜା ତଥା ଭୂଦାନ ଆନ୍ଦୋଳନର କର୍ଣ୍ଣଧାର, ଆଦର୍ଶବାଦୀ ରାଜନୀତିଜ୍ଞ ଏବଂ ନିଷ୍କଳଙ୍କ ମୁଖ୍ୟମନ୍ତ୍ରୀ ଥିଲେ ନବକୃଷ୍ଣ ଚୌଧୁରୀ । ତାଙ୍କର ଅନନ୍ୟ ବ୍ୟକ୍ତିତ୍ୱ ଓ ବୈପ୍ଳବିକ ଚିନ୍ତାଧାରା ଆଜି ଅକଳ୍ପନୀୟ । ସମ୍ଭ୍ରାନ୍ତ ପରିବାରରେ ଭୂମିଷ୍ଠ ହୋଇଥିଲେ ମଧ୍ୟ ସମାଜର ଦଳିତ, ନିଷ୍ପେସିତ ଓ ଅବହେଳିତଙ୍କ ସେବାରେ ସେ ଥିଲେ ଚିରବ୍ରତୀ । ଚାଷୀମୂଲିଆଙ୍କ ସ୍ୱାର୍ଥରକ୍ଷା, ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ପ୍ରତିବଦ୍ଧତା, ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବ୍ୟବହାର କରିବା ନିମନ୍ତେ ତାଙ୍କର ଉଦ୍ୟମ ପାଇଁ ସେ ଚିର ଅମର ହୋଇ ରହିବେ ।

ଶନିବାର ପୂର୍ବାହ୍ନରେ ଓଡ଼ିଶା ବିଧାନସଭା ପକ୍ଷରୁ ଆଦର୍ଶବାଦୀ ବିଶିଷ୍ଟ ଜନନେତା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୩୯ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ ବିଧାନସଭାସ୍ଥିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ ।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ସରକାରୀ ଉପମୁଖ୍ୟ ସଚେତକ ସରୋଜ ମେହେର, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ ଓ ଅମର ପ୍ରସାଦ ଶତପଥୀ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମହାନ ଜନନାୟକ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀମାନେ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଆଧାରିତ ‘ଉତ୍କଳ ମାଟିର ମହାନାୟକ’ ଶୀର୍ଷକ ସଂଗୀତ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *