ଅନୁଗୋଳ ଛେଣ୍ଡିପଦାରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

Spread the love

ଛେଣ୍ଡିପଦା/ଅନୁଗୋଳ : ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଆସିବା ପରେ ମଧ୍ୟ ଏଠାକାର ଶାସନତନ୍ତ୍ର ଭୁଷୁଡି ପଡିଥିବା କାରଣରୁ ମୋଦି ପଠାଉଥିବା ଟଙ୍କାର ୫୦ ଭାଗ ପିସି ହେଉଛି । ସରକାର ଅନ୍ୟ କାହାକୁ ଟେକି ଦିଆଯାଇଛି ବୋଲି ସୋମବାର ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ ଏହି ସମାବେଶରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ଓଡ଼ିଶାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁମାନେ ଲୋକମାନଙ୍କ ଠାରୁ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି ସେମାନେ ଆଜି ବାବୁ ମାନଙ୍କର ଚେୟାର ଉଠାଉଛନ୍ତି । ତାଙ୍କର ସଭା ସମିତି ଆୟୋଜନ କରୁଛନ୍ତି । ଏ ପ୍ରକାର ଓଲଟା ଶାସନ ବ୍ୟବସ୍ଥା ପୃଥିବୀର କେଉଁ ଅଞ୍ଚଳରେ ହେଉନାହିଁ । ତେଣୁ ଲୋକକଲ୍ୟାଣ କଥା କିଏ ବୁଝିବ ? ନୀଳବର୍ଣ୍ଣ ଶୃଗାଳ ମାନଙ୍କ ମୁଖା ଖୋଲିବାକୁ ହେବ, ଓଡ଼ିଶାର ପରିବର୍ତ୍ତନର ଶୁଭ ସଙ୍କେତ ଆଉ ବେଶୀ ଦୂର ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପ୍ରଧାନ କହିଛନ୍ତି ଯେ ଦୀର୍ଘ ୨୩ର ଲମ୍ବା ଶାସନରେ ଏଠାରେ ପଇବା ପାଣିର ସୁବିଧା ହୋଇନାହିଁ । ମୋଦି ସରକାରରେ ପିଏମ ଆବାସରେ ଓଡ଼ିଶାକୁ ୨୭ ଲକ୍ଷ ଘର ଆସିଛି । କିନ୍ତୁ ସ୍ଥାନୀୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଉନାହାନ୍ତି । ମୋଦି ସରକାର ନୀତି ତିଆରି କରି ଖଣି ରାଜସ୍ୱ ୫ ହଜାର କୋଟିରୁ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବଢାଇଛନ୍ତି । ସେହିଭଳି ଅନୁଗୋଳ ଜିଲ୍ଲା ମଧ୍ୟ ବିଗତ ୯ ବର୍ଷରେ ଓଡ଼ିଶାର ତହବିଲକୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଦେଇଛି । ଓଡ଼ିଶାର ୩.୨୫ କୋଟି ଲୋକଙ୍କୁ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି । ମାତ୍ର ଦୀପ ତଳ ଅନ୍ଧାର ଭଳି ଏହି ଅଞ୍ଚଳକୁ ଅଣଦେଖା କରାଯାଇଛି । ରାଜ୍ୟରେ ସରକାର ଅନ୍ୟ କାହାକୁ ଟେକି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦେଖା ଦର୍ଶନ ନାହିଁ ମିଳୁନି । ମନ୍ତ୍ରୀଙ୍କ ସୋର ଶବ୍ଦ ଶୁଣାଯାଉନାହିଁ । ବିଧାୟକ ଓ ଶାସକ ଦଳର ସାଂସଦଙ୍କ କଥା ନ କହିଲେ ଭଲ । ଆଜି ଓଡ଼ିଶାରେ ଏକ ଖରାପ ଅବସ୍ଥା ଅଛି । ତୃତୀୟ ମହଲା ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ଦୁର୍ନୀତି ପହଞ୍ଚିଛି । ଏହାକୁ ବଦଳାଇବା ପାଇଁ ବିଜେପି ବଡ ଜନଆନ୍ଦୋଳନର ପ୍ରସ୍ତୁତି କରୁଛି । ଲୋକଙ୍କ କଥାକୁ ପରିବର୍ତ୍ତନରେ ପହଞ୍ଚାଇବା ପାଇଁ ବିଜେପିର କାର୍ଯ୍ୟକର୍ତ୍ତାମାନେ କାମ କରୁଛନ୍ତି । ଓଡ଼ିଶାରେ ପରିବର୍ତ୍ତନର ଶୁଭ ସଙ୍କେତ ବେଶୀ ଦୂର ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ଯେ ଚଷାଚାଷୀ ଅଞ୍ଚଳ ଛେଣ୍ଡିପଦାରେ ପ୍ରଧାନମନ୍ତ୍ରୀ ଆବାସରେ ଘର ଦେବା ପାଇଁ ମୋଦିଜୀ ପଠାଉଥିବା ଟଙ୍କା ଓଡ଼ିଶାରେ ବାଟମାରଣା ହେଉଛି । ପାନୀୟ ଜଳ, ଜଳସେଚନ ସମସ୍ୟା ସହିତ ଅଘୋଷିତ ବିଦ୍ୟୁତ୍ କାଟ ହେଉଛି । ଛେଣ୍ଡିପଦାକୁ ଆସୁଥିବା କମ୍ପାନୀମାନେ ଜମି ଅଧିଗ୍ରହଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଜାଣିଶୁଣି ତାଳଚେର ମେଡିକାଲର ପରିଚାଳନା ଦାୟିତ୍ୱ ନିଆଯାଉନାହିଁ । ମୋଦି ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ ବିକାଶ କାମରେ ନ ଲଗାଇ ଶାସକ ଦଳର କର୍ମୀଙ୍କ ପକେଟ୍ ଗରମ କରାଯାଉଛି । ଶାସନ ଗାଦିରେ ବସିଥିବା ଲୋକଙ୍କୁ ଦୁର୍ନୀତି ଉପରେ ପ୍ରଶ୍ନ କଲେ ଦଳର ଗୁମାସ୍ତାମାନେ କେବଳ ରାଗରେ ଗରଗର ହେଉଛନ୍ତି । ଅନୁଗୋଳର ମାଟି ରାଜା ସୋମନାଥ ସିଂହ, ପବିତ୍ର ମୋହନ ପ୍ରଧାନ ଏବଂ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ପରି ସାହସୀ ସଂଗ୍ରାମୀଙ୍କ ମାଟି । ଯେଉଁ ମାଟି ରାଜାରାଜୁଡା ଓ ବ୍ରିଟିଶ ମାନଙ୍କର ତୋପ ବନ୍ଧୁକଙ୍କୁ ଡରିନଥିଲା, ସେହି ଅଞ୍ଚଳର ସ୍ୱାଭିମାନୀ ଲୋକମାନେ କେବେ ବି ଶାସକ ଦଳର ବଚସ୍କରଙ୍କ କଥାରେ ଡରିବେ ନାହିଁ । ରାଜ୍ୟରେ ନୀଳବର୍ଣ୍ଣ ଶୃଗାଳ ମାନଙ୍କ ମୁଖା ଖୋଲିବାକୁ ହେବ । ୨୦୨୪ରେ ପରିବର୍ତ୍ତନ ହେବ । ଲୋକଙ୍କ ହିତରେ ପରିବର୍ତ୍ତନ ହେବ ।

ଆଜି ଦେଶରେ ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ କରିଥିବା କାମକୁ ଅନ୍ୟ ରାଷ୍ଟ୍ରମାନେ ଅନୁସରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳାରେ ଗ୍ୟାସ ଭଳି ଯୋଜନା ଓଡ଼ିଶା ସମେତ ଭାରତବର୍ଷର ଗରିବ ଲୋକଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି । ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ” ବିଚାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ “ସବକା ସାଥ-ସବକା ବିକାଶ”କୁ ଶାସନ ପ୍ରଣାଳୀରେ ଉପଯୋଗ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଭାଷଣରେ କହିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳ ଓ ନାଲକୋ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *