ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟରେ ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳିଲେ କେନ୍ଦ୍ରମନ୍ତ୍ରୀ

Spread the love

ପୁନେ : ‘ନବମ ଆନ୍ତର୍ଜାତିକ ଯୋଗ ଦିବସ’ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟରେ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ବିଭିନ୍ନ ଦେଶରୁ ଆସିଥିବା ସଦସ୍ୟମାନଙ୍କ ସହ ଯୋଗ ଦିବସ ପାଳନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନର ଚାପଗ୍ରସ୍ତ ଜୀବନଶୈଳିରେ ଯୋଗର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଭାରତର ପ୍ରାଚୀନ ସଂସ୍କୃତିରୁ ଆସିଥିବା ଏହି ଯୋଗ ପରମ୍ପରାକୁ ବିଶ୍ୱ ଗ୍ରହଣ କରିଛି । ନିଜ ସହ ଅନ୍ୟ ଜଣେ ମଣିଷ ସହିତ ଏହାର ଗଭୀର ସମ୍ପର୍କ ରହିଛି । ଯୋଗ ହେଉଛି ଏକ ସାମଗ୍ରିକ ଆଭିମୁଖ୍ୟ, ଯାହା ସଚେତନତାକୁ ପ୍ରୋତ୍ସାହିତ କରେ । ସାମର୍ଥ୍ୟକୁ ବଢାଇବା ସହ ଜୀବନର ମୂଳ ଅର୍ଥକୁ ବୁଝାଇଥାଏ । ସୁସ୍ଥ ଓ ସୁଖୀ ଜୀବନଯାପନ ପାଇଁ ସମସ୍ତେ ଦୈନନ୍ଦିନ ଜୀବନରେ ଯୋଗକୁ ଗ୍ରହଣ କରିବା ଆବଶ୍ୟକ । ବିଶ୍ୱରେ ଭାଇଚାରାକୁ ଅଧିକ ଦୃଢୀଭୂତ କରିବା ପାଇଁ ଯୋଗକୁ ଏକ ଜୈବନଶୈଳୀ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ପାଳନ କରିବା ପାଇଁ ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦ ନିକଟରେ ଅପିଲ୍ କରିଥିଲେ । ଏହାକୁ ବିଶ୍ୱର ଅନେକ ଦେଶ ସମର୍ଥନ ଦେଇଥିବାରୁ ଆଜି ସାରା ବିଶ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି । ଯୋଗକୁ ଲୋକପ୍ରିୟ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଉଲ୍ଲେଖନୀୟ ଯେ, ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ ଚତୁର୍ଥ ଶିକ୍ଷା ଓ୍ୱାର୍କି ଗ୍ରୁପ ବୈଠକ ପୁନେରେ ହେଉଥିବା ବେଳେ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବିଭିନ୍ନ ଜି-୨୦ ରାଷ୍ଟ୍ର ସମୂହର ପ୍ରତିନିଧି ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *