ଭକ୍ତି ସଂଗୀତରେ ଶରଧାବାଲି ମୁଖରିତ: ଶ୍ରଦ୍ଧାଳୁ ବିମୋହିତ, ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିବିଧ କାର୍ଯ୍ୟକ୍ରମ ଆୟୋଜନ

Spread the love

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ତିନିରଥ ଗୁଣ୍ଡିଚା ଦ୍ୱାରରେ ପହଞ୍ଚିବା ପରେ ଚଳଚଞ୍ଚଳ ହୋଇଛି ଶରଧାବାଲି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ନବଦିନାତ୍ମକ ଯାତ୍ରା ଅବସରରେ ଗୁଣ୍ଡିଚାବାଡ଼ି ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ । ପ୍ରଥମ ସନ୍ଧ୍ୟାରେ ଭକ୍ତି ଓ ଭାବରସରେ ନିମଜ୍ଜିତ ଭଜନ ସନ୍ଧ୍ୟାରେ ଓଡ଼ିଶାର ସୁପ୍ରସିଦ୍ଧ ଭଜନ ଗାୟିକା ଶ୍ରୀମତୀ ଶାନ୍ତିଲତା ଛୋଟରାୟ, ମନ୍ମଥ ମିଶ୍ର ପ୍ରମୁଖ ଭଜନ ପରିବେଷଣ କରି ଦର୍ଶକ, ଭକ୍ତ, ଶ୍ରଦ୍ଧାଳୁ ଓ ଭଜନପ୍ରେମୀମାନଙ୍କୁ ବିମୋହିତ କରିଥିଲେ । ବାହୁଡ଼ା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଭଜନ କାର୍ଯ୍ୟକ୍ରମରେ ପ୍ରତ୍ୟହ ବିଭିନ୍ନ ସଂଗୀତ ଅନୁଷ୍ଠାନର ପରିଚାଳନାରେ ଓଡ଼ିଶାର ଭଜନ ଓ ଆଧ୍ୟାତ୍ମିକ ସଂଗୀତ ଜଗତର ଖ୍ୟାତନାମା କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିବେ । ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଶରଧାବାଲିରେ ସଂଗୀତ ପରିବେଷଣ କରିବାକୁ ସୁଯୋଗ ଦେଇଥିବାରୁ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ମନ୍ମଥ ମିଶ୍ର ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଥିଲେ ।

ସେହିପରି ପୁରୀର ୯ଟି ସ୍ଥାନ ଯଥା-ଜଗନ୍ନାଥ ବଲ୍ଲଭ ମଠ, ବଡ଼ଶଙ୍ଖ, ବଳଗଣ୍ଡି, ରେଲେୱ ଷ୍ଟେସନ୍, ସୁବାସ ବୋଷ ଛକ, ଦିଗବାରେଣୀ, ପାନ୍ଥଭବନ, ତାଳବଣିଆ, ମାଳତୀପାଟପୁରଠାରେ ଥିବା ସୂଚନା କେନ୍ଦ୍ରଗୁଡ଼ିକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟହ ସ୍ଥାନୀୟ କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ପାଲା, ଦାସକାଠିଆ, ଘୋଡ଼ାନାଚ, ସଂକୀର୍ତ୍ତନ ଆଦି ପରିବେଷଣ କରାଯାଉଛି, ଯାହାକୁ ଦେଖିବା ନିମନ୍ତେ ପ୍ରବଳ ଜନଗହଳି ପରିଲକ୍ଷିତ ହେଉଛି । ଏହିସବୁ ସୂଚନା କେନ୍ଦ୍ରଗୁଡ଼ିକରେ ବିଭାଗ ଦ୍ୱାରା ପ୍ରକାଶିତ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ରଥଯାତ୍ରା ବିଶେଷାଙ୍କ କିଣିନେବା ପାଇଁ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଅସାଧାରଣ ଆଗ୍ରହ ଦେଖିବାକୁ ମିଳୁଛି ।

ଭୋଳାନାଥ ବିଦ୍ୟାପୀଠ ପରିସରରେ ପଲ୍ଲୀଶ୍ରୀ ମେଳାରେ ମଧ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନା ତଥା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀକୁ ଦେଖିବା ନିମନ୍ତେ ମଧ୍ୟ ବହୁସଂଖ୍ୟାରେ ଜନସାଧାରଣ ଆସୁଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *