ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

Spread the love

() ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ହୋଇଥିବା ଆନ୍ଦୋଳନରେ ହିଂସା। ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର। ଲାଠି ମାଡ଼, ପୁଲିସ ଉପରକୁ ଆକ୍ରମଣ, ଢେଲା ପଥର ମାଡ଼ ସହ ପୁଲିସ ଗାଡ଼ି ଭଙ୍ଗାରୁଜା ସହ ପୋଡ଼ିବାକୁ ଉଦ୍ୟମ ଭଳି ଘଟଣା ଘଟିଲା। ଏହାକୁ ନେଇ ପୁଲିସ ଆକ୍ସନ ନେବ ବୋଲି କହୁଥିବା ବେଳେ ଏହାକୁ ନେଇ ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିଧାନସଭା ଘେରାଓ କାର୍ଯ୍ୟକ୍ରମରେ ହଙ୍ଗାମା। ହଲ୍ଲାବୋଲରୁ ହିଂସା ରୂପ ନେଇଥିଲା ଆନ୍ଦୋଳନ। ପୁଲିସ ଅଟକାଇବାକୁ ଗଲାବେଳେ ଧସ୍ତାଧସ୍ତିରୁ ବିଷମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆନ୍ଦୋଳନକାରୀଙ୍କୁ ଅଟକାଇବା ବେଳେ ପୁଲିସ ଲାଠି ମାଡ଼ କରିଥିଲା। ପୁଲିସକୁ ଆକ୍ରମଣ ସହ ଢେଲାପଥର ମାଡ଼ ହୋଇଥିଲା। ପୁଲିସ ଗାଡ଼ି ଭଙ୍ଗାରୁଜା ସହ  ଗାଡ଼ି ପୋଡ଼ିବାକୁ କୁଆଡ଼େ ଉଦ୍ୟମ କରିଥିଲେ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା। ଅନେକ ପୁଲିସ କର୍ମୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜଣେ ଡିଏସପିଙ୍କ ମୁଣ୍ଡ ଫାଟିଛି। ଆହତ ପୁଲିସ କର୍ମୀଙ୍କୁ ଡିଜିପି, ସିପି ପ୍ରମୁଖ ଭେଟିଛନ୍ତି ହସ୍ପିଟାଲରେ। ଆଇନ ଭାଙ୍ଗିଥିଲେ ଆକ୍ସନ ହେବ ବୋଲି କହିଛନ୍ତି ସିପି। ସେପଟେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ବର୍ଷିଛି ବିଜେପି।
ସେପଟେ ଆନ୍ଦୋଳନ ବେଳେ ହିଂସାକୁ ନେଇ ଗୃହରେ ବି ତାତି ଦେଖିବାକୁ ମିଳିଛି। ପ୍ରତିବାଦ କଲେ ପୁଲିସ ଗୋଡ଼ାଇ ଗୋଡ଼ାଇ ମାରୁଛି। ପୁଲିସ ଆନ୍ଦୋଳନକାରୀଙ୍କ ଉପରେ ଯେଉଁ ଦକ୍ଷତା ଦେଖାଇଲା, ସେତକ ଯଦି ନବ ଦାସଙ୍କ ହତ୍ୟାରେ ଦେଖାଇଥାଆନ୍ତା, ତେବେ ହତ୍ୟା ପଛର କାହାଣୀ ଉନ୍ମୋଚିତ ହୋଇସାରନ୍ତାଣି ବୋଲି ବିରୋଧୀ ଦଳ ନେତା ଗର୍ଜିଛନ୍ତି। ଆଉ କାଉଣ୍ଟରରେ ସରକାରୀ ଦଳ କହିଛି, ପ୍ରତିବାଦ କରିବା ସମୟରେ ସଂଯମତା ରକ୍ଷା କରିବା ଦରକାର। ଏଭଳି ଗୁଣ୍ଡାଗର୍ଦ୍ଦି କରିବା କେତେଦୂର ସମୀଚିନ।

ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର। ଶତାଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୁଲିସ। ଏଭଳିସ୍ଥଳେ ଆନ୍ଦୋଳନ କାହିଁକି ହିଂସାତ୍ମକ ରୂପ ନେଲା, ତାକୁ ନେଇ ପୁଲିସ ଅନୁସନ୍ଧାନ କରୁଥିଲା ବେଳେ ବିରୋଧୀଙ୍କ ସ୍ୱରକୁ ଚାପିଦେବାକୁ ପୁଲିସ ମାତ୍ରାଧିକ ବଳପ୍ରୟୋଗ କରୁଛି ବୋଲି ବିଜେପି ଅଭିଯୋଗ କରୁଛି।

ଅକ୍ଷୟ ମହାରଣା, ନବକିଶୋର ସାହୁ, ସ୍ୱରୂପା ମହାପାତ୍ରଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *